କଟକରେ ରୂପାନ୍ତରଣ କାମର ସମୀକ୍ଷା କଲେ ୫-ଟି ସଚିବ

Advertisment
କଟକରେ  ରୂପାନ୍ତରଣ କାମର ସମୀକ୍ଷା କଲେ ୫-ଟି ସଚିବ

କଟକ: ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ କଟକରେ ପହଞ୍ଚି ଏସ୍‌ସିବି ଏମ୍‌ସ ପ୍ଲସ୍‌ ସଂପ୍ରସାରଣ କାର୍ଯ୍ୟ, ତାଳ‌ଦଣ୍ଡା କେନାଲ୍‌ ଉନ୍ନତୀକରଣ ଓ ଅନ୍ୟ କେତେକ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଶେଷ କରାଯିବା ଉପରେ ଶ୍ରୀ ପାଣ୍ଡିଆନ୍‌ ଗୁରୁତ୍ବାରୋପ କରିଛନ୍ତି। ନୂଆକରି ନିର୍ମାଣ ଚାଲିଥିବା କ୍ଲିନିକାଲ୍‌ ବ୍ଲକ୍‌ ୧ ଓ ୪ର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେବାସହ ଅନ୍ୟ ବ୍ଲକ୍‌ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।

ସଚିବ ଶ୍ରୀ ପାଣ୍ଡିଆନ ଆଜି ଭୋର୍‌ ୫ଟାରେ କଟକରେ ପହଞ୍ଚିଥିଲେ। ରୋଗୀ ସଂପର୍କୀୟମାନଙ୍କ ରହିବା ନିମନ୍ତେ ଧର୍ମଶାଳା ଓ ବଜେଟ୍‌ ହୋଟେଲ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ, ରାଣୀହାଟ ଛକ ନିକଟରେ ବ୍ୟାବସାୟିକ ପ୍ରତିଷ୍ଠାନ (କମର୍ସିଆଲ କମ୍ପେକ୍ସ) କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ତଥା ଏସ୍‌ସିବିର ଅଧ୍ୟାପକ, ଚିକିତ୍ସକ ଓ ଅନ୍ୟ କର୍ମଚାରୀମାନଙ୍କ ରହଣି ନିମନ୍ତେ ନିର୍ମିତ ହେଉଥିବା ୧୩ଟି ଆବାସିକ (ରେସିଡେନ୍‌ସିଆଲ୍‌ ବ୍ଲକ୍‌) କାର୍ଯ୍ୟ ୨୦୨୩, ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବର୍ତ୍ତମାନ ସୁଦ୍ଧା ମାତ୍ର ୫ଟି ବ୍ଲକ୍‌ର କାମ ଆରମ୍ଭ ହୋଇଛି। ଏହାସହିତ ଏସ୍‌ସିବି ସମ୍ପ୍ରସାରଣରେ ପ୍ରଭାବିତ ହୋଇଥିବା ଡିଏଭି ଏସ୍‌ସିବି ମେଡିକାଲ୍‌ ପବ୍ଲିକ୍‌ ସ୍କୁଲ୍‌ର କାମ ମାର୍ଚ୍ଚ ୨୦୨୩ ସୁଦ୍ଧା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୫-ଟି ସଚିବ ତାଳଦଣ୍ଡା କେନାଲ ପରିଦର୍ଶନ କରି ଏହାର ରୂପାନ୍ତରଣ କାର୍ଯ୍ୟ ବୁଲି ଦେଖିଥିଲେ। କେନାଲ୍‌ ଓ ପାର୍ଶ୍ବର ଉନ୍ନତୀକରଣ କାର୍ଯ୍ୟ ଡିସେମ୍ବର ୨୦୨୨ ସୁଦ୍ଧା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଭବିଷ୍ୟତର ପାର୍କିଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ‘ବଫର୍‌ ଜୋନ୍‌’ ରଖିବା ପାଇଁ ତଥା ମାଲ୍‌ ପରିବହନ କରୁଥିବା ବଡ଼ ବଡ଼ ଯାନଗୁଡ଼ିକର ପାର୍କିଂ ପାଇଁ ରେଲୱେଠାରୁ ଅଧିକ ଜମି ନେବାପାଇଁ ସେ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଲୋକ ତଥା ବୁଲାବିକାଳିମାନେ ଯେପରି ତାଳଦଣ୍ଡା କେନାଲରେ ଅଳିଆ ଆବର୍ଜନା ନ ପକାଇବେ, ସେଥିପାଇଁ ସେମାନଙ୍କୁ ସଚେତନ କରିବା ସହିତ କେନାଲ ରାସ୍ତାରେ ଥିବା ସମସ୍ତ ଇଲେକ୍ଟ୍ରିକ୍‌ ସବ୍‌ଷ୍ଟେସନ୍‌, ପାଣି ପାଇପ୍‌ ତଥା ନର୍ଦ୍ଦମା ଜଳ ପାଇପ୍‌ ସଂପୂର୍ଣ୍ଣ ଭାବରେ ସ୍ଥାନାନ୍ତକରଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ଗସ୍ତ ସମୟରେ ୫-ଟି ସଚିବଙ୍କ ସହିତ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ଦାୟିତ୍ବରେ ଥିବା ବିଶାଳ ଦେବ, କେନ୍ଦ୍ରାଞ୍ଚଳ ରାଜସ୍ବ କମିସନର୍‌ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଡିଏ ଉପାଧ୍ୟକ୍ଷ ତଥା ଏସ୍‌ସିବି ସଂପ୍ରସାରଣ କମିଟି ଅଧ୍ୟକ୍ଷ ଅନୀଲ ସାମଲ, ସିଏମ୍‌ସି କମିସନର୍‌ ନିଖିଲ ପୱନ୍‌ କଲ୍ୟାଣ, ମୁଖ୍ୟଯନ୍ତ୍ରୀ (ରାସ୍ତା) ଇଂ. ତାରାପ୍ରସାଦ ମିଶ୍ର, ଓବିସିସିର ଏମ୍‌ଡି ଇଂ. ଜୟକୃଷ୍ଣ ଦାସ, ମୁଖ୍ୟଯନ୍ତ୍ରୀ ଇଂ. ଦୁଃଖବନ୍ଧୁ ବେହେରାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe