ବେଆଇନ ଭ୍ରୁଣ ଚିହ୍ନଟ ରାକେଟ, ଦଲାଲ ସାଜିଥିଲେ ଆଶାକର୍ମୀ; ମଧ୍ୟସ୍ଥି ଥିଲେ ଔଷଧ ଦୋକାନୀ

Advertisment

ପୁରୀ ଜିଲ୍ଲାରେ ପୁଲିସର ଚଢ଼ଉ; ଅଲଟ୍ରାସାଉଣ୍ଡ କମ୍ପାନି ସହ ଯୋଗାଯୋଗ

ପୁରୀ ଜିଲ୍ଲାରେ ପୁଲିସର ଚଢ଼ଉ; ଅଲଟ୍ରାସାଉଣ୍ଡ କମ୍ପାନି ସହ ଯୋଗାଯୋଗ

ବେଆଇନ ଭ୍ରୁଣ ଚିହ୍ନଟ ରାକେଟ, ଦଲାଲ ସାଜିଥିଲେ ଆଶାକର୍ମୀ; ମଧ୍ୟସ୍ଥି ଥିଲେ ଔଷଧ ଦୋକାନୀ

Sambad

କଟକ: ଆଲଫା ହେଲଥ କେୟାରରେ ଗର୍ଭବତୀ ମହିଳାଙ୍କ ଭ୍ରୁଣ ଚିହ୍ନଟ ରାକେଟର ଦଲାଲ ସାଜିଥିଲେ ବିଭିନ୍ନ ସ୍ଥାନରେ ଆଶାକର୍ମୀ। କଟକ ସମେତ ପଡ଼ୋଶୀ ଜିଲ୍ଲାରେ ଗାଁ ଗାଁରେ ଆଶାକର୍ମୀମାନେ ପ୍ରସନ୍ନ କୁମାର ସାହୁ ପାଇଁ ଦଲାଲି କରୁଥିଲେ। ଗ୍ରାମାଞ୍ଚଳରେ ଗର୍ଭବତୀ ମହିଳାଙ୍କ ସହିତ ସିଧାସଳଖ ଆଶାକର୍ମୀ ଜଡ଼ିତ ଥିବାରୁ ଭ୍ରୁଣ ନଷ୍ଟ କରିବାକୁ ଚାହୁଁଥିବା ମହିଳାଙ୍କୁ ପ୍ରସନ୍ନର କ୍ଲିନିକକୁ ପଠାଉଥିଲେ। ଏଥିପାଇଁ ତାଙ୍କୁ ପ୍ରତି ଗର୍ଭବତୀ ମହିଳା ପିଛା ୧ ହଜାର ଟଙ୍କା ଲେଖାଏ ମିଳୁଥିଲା। ଏହି କେଳେଙ୍କାରୀରେ ପୁଲିସ ଏବେ ଆଶାକର୍ମୀମାନଙ୍କ ପରିଚୟ ବି ଠାବ କରିଛି। ସେମାନଙ୍କ ଯୋଗାଯୋଗ ନମ୍ବର ପୁଲିସ ପ୍ରସନ୍ନର ସିଡିଆରରୁ ଜବତ କରିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ସାମନାକୁ ଆସିଛି। ସୂଚନା ଅନୁଯାୟୀ, ମଙ୍ଗଳାବାଗ କାଠଗୋଲା ସାହିରେ ନିଜକୁ କର୍କଟ ରୋଗ ବିଶେଷଜ୍ଞ ପରିଚୟ ଦେଇ ଅଲଟ୍ରାସାଉଣ୍ଡ କରୁଥିବା ତିଗିରିଆ ପାଞ୍ଚଗାଁର ପ୍ରସନ୍ନ ପୂର୍ବରୁ ମଙ୍ଗଳାବାଗ ଅଞ୍ଚଳରେ ଏକ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଆଟେଣ୍ଡାଣ୍ଟ କାମ କରୁଥିଲା। କରୋନା ସମୟରେ ଅଧିକ ରୋଜଗାର ଲୋଭରେ ଆଟେଣ୍ଡାଣ୍ଟରୁ ପ୍ରସନ୍ନ ପାଲଟି ଯାଇଥିଲା କର୍କଟ ରୋଗ ବିଶେଷଜ୍ଞ। ଏହି ମାମଲାରେ ମଙ୍ଗଳାବାଗ ଥାନା ପୁଲିସ ପ୍ରସନ୍ନ ସମେତ ଜଣେ ଆଟେଣ୍ଡାଣ୍ଟ, ଡାଇଗ୍ନୋଷ୍ଟିକ ସେଣ୍ଟର ଓ ମେଡିକାଲ୍ ଷ୍ଟୋର ମାଲିକଙ୍କୁ ଗିରଫ କରିବା ପରେ ପୁଲିସ କଟକ ସମେତ ପଡ଼ୋଶୀ ଜିଲ୍ଲାର ଦଲାଲଙ୍କୁ ଧରିବାକୁ ଜିଲ୍ଲା ବାହାରକୁ ଯାଇଛି। ପୃଥକ ଟିମ୍ ସମାନ୍ତରାଳ ଭାବେ ପୁରୀ ସମେତ ଅନ୍ୟ କିଛି ଜିଲ୍ଲାରେ ଆଜି ଦିନ ସାରା ଚଢ଼ଉ କରିଛି। ପୁରୀରେ ଅଧିକ ସଂଖ୍ୟାରେ ଦଲାଲ ଲୁଚିଥିବା କୁହାଯାଉଛି। ତେଣୁ ଏକ ଟିମ୍ ଆଜି ପୁରୀରେ ଡେରା ପକାଇଛି। ପୁଲିସ ପ୍ରସନ୍ନର ସିଡିଆରରୁ ମିଳିଥିବା ନମ୍ବର ଆଧାରରେ ଏହି ଦଲାଲଙ୍କ ପିଛା କରି ପୁରୀରେ ପହଞ୍ଚିଛି।

ଏହି ପୁରା କାରବାରର ପୁଲିସ ଏକ ବଡ଼ ଲିଙ୍କ୍ ଆଜି ପାଇଛି। ଗ୍ରାମାଞ୍ଚଳରେ ପ୍ରଥମ ଦଲାଲ ପାଲଟି ଥିଲେ ଆଶାକର୍ମୀ। ଆଶାକର୍ମୀମାନେ ସ୍ଥାନୀୟ ଅଞ୍ଚଳର ମେଡିସିନ୍ ଦୋକାନୀଙ୍କ ସହିତ ଯୋଗାଯୋଗ କରୁଥିଲେ। ମେଡିସିନ୍ ଦୋକାନୀଙ୍କ ମାଧ୍ୟମରେ ପ୍ରସନ୍ନ ନିକଟରେ ଗର୍ଭବତୀ ମହିଳା ପହଞ୍ଚି ଭ୍ରୁଣ ଚିହ୍ନଟ କରୁଥିଲେ। ବର୍ତ୍ତମାନ ସୁଦ୍ଧା କଟକ ଜିଲ୍ଲାର ବଡମ୍ବା, ତିଗିରିଆ, ଆଠଗଡ଼, ସାଲେପୁର, ମାହାଙ୍ଗା, ଟାଙ୍ଗୀ, ଚୌଦ୍ବାର ବ୍ଲକର ମେଡିସିନ୍ ଦୋକାନୀ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲା ବରୀ ବ୍ଲକ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ନୟାଗଡ଼ ଜିଲ୍ଲାର ଉଭୟ ମେଡିସିନ୍ ଷ୍ଟୋର ଓ ଆଶାକର୍ମୀ ବି ସାମିଲ ଅଛନ୍ତି। ପୁଲିସ ଏବେ ପ୍ରଥମେ ଦୋକାନ ମାଲିକଙ୍କୁ ଗିରଫ କରିବାକୁ ଯୋଜନା କରୁଛି। ସେମାନଙ୍କୁ ଗିରଫ ପରେ ଆଶାକର୍ମୀଙ୍କୁ ଧରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ପ୍ରସନ୍ନର ଘର ତିଗିରିଆ ହୋଇଥିବାରୁ ଏବଂ ଗଲା ୧୫ ବର୍ଷ ହେବ କଟକରେ ଡାଇଗ୍ନୋଷ୍ଟିକ ସେଣ୍ଟରରେ କାମ କରୁଥିବାରୁ ତିଗିରିଆ ଆଖପାଖ ବ୍ଲକର ମେଡିସିନ୍ ଷ୍ଟୋର ମାଲିକଙ୍କ ସହିତ ସମ୍ପର୍କ ଯୋଡ଼ିଥିଲା ପ୍ରସନ୍ନ। ପ୍ରସନ୍ନ କନ୍ୟା ଭ୍ରୁଣ ଚିହ୍ନଟ କରିବା ପରେ ଏହି ଭ୍ରୁଣ ଯେଉଁ ହସପିଟାଲରେ ନଷ୍ଟ କରାଯାଉଥିଲା, ପୁଲିସ ଏବେ ଉକ୍ତ ହସପିଟାଲକୁ ଚିହ୍ନଟ କରିଛି। ହସପିଟାଲ କର୍ତ୍ତୃପକ୍ଷଙ୍କୁ ବି ତଦନ୍ତ ପରିସରଭୁକ୍ତ କରାଯିବ। ପୁଲିସ ଜବତ କରିଥିବା ଅଲଟ୍ରାସାଉଣ୍ଡ ମେସିନର କମ୍ପାନି ସହିତ ଯୋଗାଯୋଗ କରାଯାଇଛି। କେତେ ସଂଖ୍ୟାରେ ଭ୍ରୁଣ ସେଥିରେ ଚିହ୍ନଟ ହୋଇଛି, ସେ ନେଇ ସଂସ୍ଥାର ସାହାଯ୍ୟ କମିସନରେଟ୍ ପୁଲିସ ମାଗିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe