ପରମ୍ପରା ଅନୁସାରେ ହେବ ବୁଢ଼ା ଗଣେଶଙ୍କ ଭସାଣି

ପରମ୍ପରା ଅନୁସାରେ ହେବ ବୁଢ଼ା ଗଣେଶଙ୍କ ଭସାଣି

YouTube

କଟକ: ପୁଲିସ ନିଷ୍ପତ୍ତି ବିରୋଧରେ ହାଇକୋର୍ଟକୁ ନ୍ୟାୟ ପାଇଁ ଯାଇଥିବା ବୁଢ଼ା ଗଣେଶ ପୂଜା କମିଟିକୁ ନ୍ୟାୟ ମିଳିଛି। ପରମ୍ପରା ଅନୁସାରେ ଦ୍ବିତୀୟା ଘାଣ୍ଟ ଓଷା ପରେ ବୁଢ଼ା ଗଣେଶ ଭସାଣି ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ବରୁ ସେପ୍ଟେମ୍ବର ୧୮ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଆବେଦନ ଅନୁସାରେ ଏହାକୁ ସ‌େପ୍ଟେମ୍ବର ୨୫ ତାରିଖରେ ଆୟୋଜନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତଥ୍ୟ ଅନୁଯାୟୀ ପୂର୍ବରୁ ଗଣେଶ ପୂଜା ପରେ ଲଗାତାର ତିନୋଟି ରବିବାର ଗଣେଶ ଭସାଣି ଅନୁଷ୍ଠିତ ହେବ ବୋଲି ହାଇକୋର୍ଟ ୨୦୧୫, ସେପ୍ଟେମ୍ବର ୧୬ରେ ପ୍ରଦାନ କରିଥିଲେ। ସେହି ନିର୍ଦ୍ଦେଶ ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ୧୮ ଭସାଣି ପାଇଁ ଶେଷ ତାରିଖ ରହିବ ବୋଲି ପୁଲିସ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ, କଟକର ବୁଢା ଗଣେଶ ଦ୍ବିତୀୟା ଘାଣ୍ଟ ପରେ ବିସର୍ଜନ ହେବା ପରମ୍ପରା ରହିଥିବା ବେଳେ ଏହି ନିଷ୍ପତ୍ତି ପରମ୍ପରାରେ ବାଧକ ହୋଇଥିଲା। ଏଭଳି ସ୍ଥିତିରେ ସେପ୍ଟେମ୍ବର ୨୫ରେ ବୁଢ଼ା ଗଣେଶଙ୍କ ବିସର୍ଜନ ପାଇଁ ଅନୁମତି ଲୋଡ଼ି ଦାୟର ମାମଲାର ଆଜି ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ୨୦୧୫, ସେପ୍ଟେମ୍ବର ୧୬ର ନିର୍ଦ୍ଦେଶ ନିର୍ଦ୍ଦିଷ୍ଟ ଭାବେ ସେହି ବର୍ଷର ଗଣେଶ ପୂଜା ପାଳନ ସଂକ୍ରାନ୍ତରେ ଥିଲା।

ଏହି ନିର୍ଦ୍ଦେଶ ଆଗକୁ ‌ହେବାକୁ ଥିବା ସବୁ ପୂଜା ପାଇଁ ଲାଗୁ ହେବନାହିଁ। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ସେପ୍ଟେମ୍ବର ୧୮ରୁ ସେପ୍ଟେମ୍ବର ୨୫ ତାରିଖକୁ ଗଣେଶ ମୂର୍ତ୍ତି ବିସର୍ଜନ ତାରିଖ ପରିବର୍ତ୍ତନ କରି ପାରିବ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜ‌ଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ କଟକ ନଗର ବୁଢ଼ା ଗଣେଶ ପୂଜା କମିଟି ସଭାପତି ଶିବେନ୍ଦ୍ର ହାତୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ୨୦୧୫, ସେପ୍ଟେମ୍ବର ୧୬ର ନିର୍ଦ୍ଦେଶ ନିର୍ଦ୍ଦିଷ୍ଟ ସେହି ବର୍ଷ ପାଇଁ ଲାଗୁ ଥିଲା ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯିବା ପରେ ବୁଢ଼ା ଗଣେଶଙ୍କ ଭସାଣି ତାରିଖ ଆସନ୍ତା ସେପ୍ଟେମ୍ବର ୨୫କୁ ଧାର୍ଯ୍ୟ କରାଯିବାରେ ଆଉ କୌଣସି ଆଇନଗତ ବାଧା ନାହିଁ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe