ନିର୍ବାଚନ ଆଚରଣବିଧି ପରେ ବି ହଟୁନି ସରକାରୀ ହୋର୍ଡିଂ

ନିର୍ବାଚନ ଆଚରଣବିଧି ପରେ ବି ହଟୁନି ସରକାରୀ ହୋର୍ଡିଂ

Sambad

କଟକ: ସିଏମ୍‌ସି ନିର୍ବାଚନ ଘୋଷଣା ‌ହେବା ସହିତ ସହରାଞ୍ଚଳରେ ନିର୍ବାଚନ ଆଚରଣବିଧି ଗତ ମାସ ୨୫ ତାରିଖରୁ ଲାଗୁ ହୋଇଛି। ଆଚରଣବିଧି ଲାଗୁ ହେବା ପରେ ସହରରେ ସରକାରୀ ଯୋଜନା, ନେତା ମନ୍ତ୍ରୀଙ୍କ ଅଭିନନ୍ଦନ ଓ ପ୍ରତିଶ୍ରୁତିଭରା ହୋର୍ଡିଂ ବା ବ୍ୟାନର ହଟାଇବାର ନିୟମ ରହିଛି। ମାତ୍ର ସହରରେ ଏବେ ଆଚରଣବିଧି ଲାଗୁ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ମାଳମାଳ ସରକାରୀ ଯୋଜନାର ହୋର୍ଡିଂ ଦେଖିବାକୁ ମିଳୁଛି। ଏପରିକି ସିଏମ୍‌ସି ବିଜୁଭବନ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ବିରାଟ ହୋର୍ଡିଂ ଥିବା ବେଳେ ଏହା ନିକଟରେ ଥିବା ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୦‌ କୋଟି ଟିକାକରଣର ହୋର୍ଡିଂ ଲାଗିଛି।

publive-image Sambad

ନିର୍ବାଚନ ତାରିଖ ଘୋଷଣା ହେବା ତାରିଖ ଠାରୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ନିୟମ ଅନୁସାରେ ଆଚରଣବିଧି ଲାଗୁ ହୋଇଥାଏ। ଏହି ସମୟରେ ସରକାରଙ୍କ ପକ୍ଷରୁ ‌ନୂତନ ପ୍ରକଳ୍ପର ଉଦ୍‌ଘାଟନ ବା ଶିଳାନ୍ୟାସ କରାଯାଏ ନାହିଁ। ସେହିପରି ସାଧାରଣ ଜନତାଙ୍କୁ ଆକର୍ଷଣ କରିବା ପରି ସରକାରୀ ଯୋଜନାର ବିଜ୍ଞାପନ ବା ହୋର୍ଡିଂକୁ ସର୍ବସାଧାରଣ ସ୍ଥାନରୁ ହଟାଇ ଦିଆଯାଏ। ତେବେ ଫେବ୍ରୁଆରି ୨୫ ତାରିଖରେ ସିଏମ୍‌ସି ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନର ତାରିଖ ଘୋଷଣା କରିବା ସହ ସହରାଞ୍ଚଳରେ ଆଚରଣବିଧି ଲାଗୁ କରାଯାଇ ଥିବାର ସୂଚନା ଦେଇଥିଲେ। କଟକ ସହରରେ ଗତ ଏକ ସପ୍ତାହ ହେବ ଆଚରଣବିଧି ଲାଗୁ ହୋଇଥିଲେ ବି ସହର ମଧ୍ୟରେ ମାଳ ମାଳ ସରକାରୀ ଯୋଜନାର ହୋର୍ଡିଂ ଦେଖିବାକୁ ମିଳୁଛି। ସହରର ଚୌଧୁରୀ ବଜାର, ଲିଙ୍କରୋଡ, ସତୀଚୌରା, ଚାଉଳିଆଗଞ୍ଜ ସହିତ ବିଭିନ୍ନ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ସରକାରୀ ହୋର୍ଡିଂ ମରାଯାଇ ଥିବାର ଦେଖିବାକୁ ମିଳୁଛି। ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ସମୟରେ ଲାଗୁ ହୋଇଥିବା ଆଚରଣବିଧି ପାଇଁ ସହରରେ ‘ୱାଟ‌୍‌ କୋ’ ପକ୍ଷରୁ ମରାଯାଇ ଥିବା ‘ଜଳ ହିଁ ଜୀବନ’ ହୋର୍ଡିଂକୁ କପଡାରେ ଘୋଡାଇ ଦିଆଯାଇଥିଲା। ହେଲେ ପୌର ନିଗମ ନିର୍ବାଚନ ତାରିଖ ଘୋଷଣାର ଏକ ସପ୍ତାହ ପରେ ବି ସହରରୁ ସରକାରୀ ଯୋଜନାର ବ୍ୟାନର ହଟାଇବା ଦିଗରେ ପ୍ରଶାସନ ହାତ ଟେକି ଦେଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସରକାରୀ ଯୋଜନା ହୋର୍ଡିଂ ବା ବ୍ୟାନର ହଟାଇବା ପାଇଁ କୌଣସି ନିର୍ଦ୍ଦେଶ ଆସିନାହିଁ। ନିର୍ଦ୍ଦେଶ ଆସିବା ମ‌ାତ୍ରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସିଏମ୍‌ସି ସଚିବ ଲାତାଶ୍ରୀ ବାଗ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe