Advertisment

ଫନିର ଦେଢ଼ବର୍ଷ ପରେ ବି ମରାମତି ହେଲାନି ଷ୍ଟ୍ରିଟ୍‌ ଲାଇଟ୍‌; ଅନ୍ଧାର ରାସ୍ତାରେ ସାର୍ତ୍ତୋଳର ୧୫ଶହ ପରିବାର

Advertisment
ଫନିର ଦେଢ଼ବର୍ଷ ପରେ ବି ମରାମତି ହେଲାନି ଷ୍ଟ୍ରିଟ୍‌ ଲାଇଟ୍‌; ଅନ୍ଧାର ରାସ୍ତାରେ ସାର୍ତ୍ତୋଳର ୧୫ଶହ ପରିବାର

Sambad

କଟକ: ଫନି ବାତ୍ୟାକୁ ‌ଦେଢ଼ବର୍ଷରୁ ଅଧିକ ଦିନ ବିତିଲାଣି। ହେଲେ ମହାନଗର ନିଗମ ୫୧ ନମ୍ବର ୱାର୍ଡର ସାତ୍ତୋଳ ଅଞ୍ଚଳରେ ସ୍ବାଭାବିକ ହୋଇ ପାରିଲା ନାହିଁ ରାସ୍ତାପାର୍ଶ୍ବ ବିଦ୍ୟୁତ ଆଲୋକ ବ୍ୟବସ୍ଥା। ୨୦୧୯ ମେ’ ୩ରେ ଆସିଥିବା ସାମୁଦ୍ରିକ ବାତ୍ୟା ଫନିରେ ଭାଙ୍ଗିଥିବା ଅନେକ ବିଦ୍ୟୁତ୍‌ ଖୁଣ୍ଟିରେ ଆଜି ପର୍ଯ୍ୟନ୍ତ ଲାଗି ପାରିଲା ନାହିଁ ଲାଇଟ୍‌। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ସିଏମସିକୁ ଜଣାଇଥିଲେ ବି ଆଜି ପର୍ଯ୍ୟନ୍ତ ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି। ୨୫ ବ‌ର୍ଷ ପୂର୍ବେ ସିଏମ୍‌ସି ସହିତ ଯୋଡ଼ି ହୋଇଥିବା ଉକ୍ତ ଅଞ୍ଚଳ ବାସିନ୍ଦାଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ନିଗମର ଅନେକ ସୁବିଧା ପହଞ୍ଚି ନଥିବା ସ୍ଥାନୀୟ ବାସିନ୍ଦା କ୍ଷୋଭର ସହି କହିଛନ୍ତି।
ମହାନଗର ନିଗମର ସାର୍ତ୍ତୋଳ ଅଞ୍ଚଳରେ ଫନି ବାତ୍ୟାରେ ଭାଙ୍ଗିଥିବା ଅନେକ ବିଦ୍ୟୁତ ଖୁଣ୍ଟିରେ ଆଜି ପର୍ଯ୍ୟନ୍ତ ଲାଗି ପାରିଲା ନାହିଁ ନୂଆ ଲାଇଟ୍‌। ଗତବର୍ଷ ମେ’ ୩ରେ ଆସଥିବା ଫନି ବାତ୍ୟାରେ ୫୧ ନମ୍ବର ୱାର୍ଡ ସାର୍ତ୍ତୋଳ ଓ ପୋପରଡ଼ା ଅଞ୍ଚଳରେ ୨ଶହରୁ ଅଧିକ ବିଦ୍ୟୁତଖୁଣ୍ଟିର ଲାଇଟ୍‌ ଭାଙ୍ଗିଥିଲା।

ସେଥି ମଧ୍ୟରୁ କେତେକ ମରାମତି କରାଯାଇଥିବାବେଳେ ଅନେକ ମହାନଗର ନିଗମ ପକ୍ଷରୁ ଆଜି ପର୍ଯ୍ୟନ୍ତ ମରାମତି ହୋଇ ନାହିଁ। ୱାର୍ଡର କ‌ାଠଯୋଡ଼ି ନଦୀବନ୍ଧ ରାସ୍ତାରେ ଥିବା ବ୍ଲୁ-ଷ୍ଟାର ନିକଟରୁ ମତ୍ତଗଜପୁର ପର୍ଯ୍ୟନ୍ତ ୮୦ରୁ ଅଧିକ ବିଦ୍ୟୁତଖୁଣ୍ଟିର ଲାଇଟ୍‌ ମରାମତି ହୋଇ ନାହିଁ। ୨୦୦୬ ମସିହାରେ ଏହି ରାସ୍ତାର ଆଲୋକକରଣ କରାଯାଇଥିଲା। ଫନି ବାତ୍ୟାରେ ଲାଇଟ୍‌ ଭାଙ୍ଗିଯାଇଥିବାବେଳେ ଏବେ ଦେଢ଼ବର୍ଷରୁ ଅଧିକ ଦିନ ଧରି ନଦୀବନ୍ଦ ରାସ୍ତାରେ ରାଜତ୍ବ କରୁଛି ଅନ୍ଧାର। ଅନ୍ଧାରର ସୁଯୋଗ ନେଇ ଏଠାରେ ଅନେକ ଅପରାଧ ଘଟୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ୱାର୍ଡର ମଲ୍ଲିକସାହି, ଖଣ୍ଡାୟତସାହି, ଭୋଇସାହି ଓ ପୋପରଡ଼ାର କିଛି ଅଞ୍ଚଳରେ ଫନିରେ ଭାଙ୍ଗିଥିବା‌ ଲାଇଟ୍ ମରାମତି କରାଯାଇଥିଲା। ମାତ୍ର ମଲ୍ଲିକସାହି ନିକଟରେ ଥିବା ଇଲେକ୍ଟ୍ରିକ ଡିପି ପଏଣ୍ଟ୍‌ ଖରାପ ହୋଇଯାଇଥିବାରୁ ଉକ୍ତ ଅଞ୍ଜଳରେ ଦେଢ଼ଶହାରୁ ଅଧିକ ଲାଇଟ୍‌ ଗତ ୩ ମାସରୁ ଅଧିକ ଦିନ ଧରି ଜଳୁ ନାହିଁ। ଏଥିରେ ୱାର୍ଡର ୧୫ଶହରୁ ଅଧିକ ପରିବାର ଲୋକେ ଅନ୍ଧା‌ରରେ ଯାତାୟାତ କରୁଛନ୍ତି। ଅଞ୍ଚଳର ଅନେକ ସ୍ଥାନରେ ଜାଇକା କାମ କରୁଥିବାରୁ ରାସ୍ତାରେ ଏବେ ଖାଲଖମାରରେ ପୂର୍ଣ୍ଣ।

ଷ୍ଟ୍ରିଟ୍‌ ଲାଇଟ୍‌ କାମ କରୁ ନଥିବାରୁ ରାତି ଅନ୍ଧାରରେ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଫନି ବାତ୍ୟା‌ରେ ଭାଙ୍ଗିଥିବା ଅନେକ ବିଦ୍ୟୁତ୍‌ ଖୁଣ୍ଟିର ଲାଇଟ ଆଜି ପର୍ଯ୍ୟନ୍ତ ମରାମତି ହୋଇ ନାହିଁ ସିଏମସି ପକ୍ଷରୁ। ଯେତିକି ମରାମତି ‌ହୋଇଛି ସେଥିରୁ ଅନେକ ଡିପି ପଏଣ୍ଟ ଖରାପ ଯୋଗୁଁ ଜଳୁ ନାହିଁ ବୋଲି ପୂର୍ବତନ ‌କର୍ପୋରେଟର କୈଳାସ ବସ୍ତିଆ ଅଭିଯୋଗ କରିଛନ୍ତି। ରାସ୍ତା ଲାଇଟ୍‌ ଜଳୁ ନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କୁ ଯାତାୟାତ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ଅଞ୍ଚଳ ବାସିନ୍ଦା ଜିତେନ୍ଦ୍ର ମଲ୍ଲିକ, ମଲ୍ଲିକସାହି ଅଧିକାରୀ ରବୀନ୍ଦ୍ର କୁମ‌ାର ମଲ୍ଲିକ, ବେଣୁଧର ବସ୍ତିଆ, ନିମେଇ ଚରଣ ଦାସ, ମାନସୀ ମଲ୍ଲିକ, ରାମଚନ୍ଦ୍ର ମଲ୍ଲିକ ପ୍ରମୁଖ ଅଭିଯୋଗ କରିବା ସହିତ ବିଦ୍ୟୁତ ଖୁଣ୍ଟିର ଲାଇଟ ଓ ଡିପି ପଏଣ୍ଟ୍‌ର ମରାମତି ଶିଘ୍ର କରିବାକୁ ସିଏମସି ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe