Sambad English
କଟକ: ଛୋଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ ଓ ମଣ୍ଡପରେ ପରଦା ଟଣା ନିଷ୍ପତ୍ତି ବିରୋଧରେ ପ୍ରତିବାଦର ସ୍ବର ତୀବ୍ର ହୋଇଛି। ପ୍ରାଥମିକ ଭାବେ ପୁଲିସର ଏଭଳି ଘୋଷଣାକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଜରିଆରେ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ବୁଦ୍ଧିଜୀବୀ ବିରୋଧାଭାଷ ପ୍ରକଟ କରି ଆସୁଥିବା ବେଳେ ଏବେ ପ୍ରମୁଖ ପୂଜା କମିଟିର କର୍ମକର୍ତ୍ତା ଏକଜୁଟ୍ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୧୭ ତାରିଖରେ ମହାଳୟାରେ ମା’ଙ୍କ ଖଡିଲାଗି ନୀତି ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏଯାଏ ସ୍ଥିତି ସ୍ପଷ୍ଟ ହେଉ ନଥିବାରୁ ସମୟ ଗଡି ଚାଲିଛି। ଦ୍ବନ୍ଦ୍ବ ବଢୁଛି। ତେଣୁ ଏଥିରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ କର୍ମକର୍ତ୍ତାମାନେ ଅନୁରୋଧ କରିଛନ୍ତି।
Cuttack postସ୍ମାରକପତ୍ରରେ ୬ ଦଫା ପ୍ରସ୍ତାବ ଦିଆଯାଇଛି। ପ୍ରତି ମଣ୍ଡପରେ ପୂର୍ବ ରୀତିନୀତି ନିୟମରେ ମୂର୍ତ୍ତି ନିର୍ମାଣ ସହ କୋଭିଡ ନିୟମ ଅନୁଯାୟୀ ପୂଜା କରିବାର ସୁଯୋଗ ଦିଆଯାଉ। ମଣ୍ଡପରେ ୮ ଜଣଙ୍କ ଉପସ୍ଥିତିରେ ପୂଜା କାର୍ଯ୍ୟ କରିବାକୁ ଅନୁମତି ଦିଆଯାଉ। ମଣ୍ଡପରେ କୌଣସି ପ୍ରକାର ପରଦା ଟଣା ନଯାଉ। ଗେଟ୍, ସାଜସଜା ନ କରିବାକୁ ପୂଜା କମିଟିମାନେ ସହମତ ହୋଇଛନ୍ତି। ଭସାଣି କାର୍ଯ୍ୟକ୍ରମ କରାଯିବ ନାହିଁ ଏବଂ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମା’ଙ୍କ ବିସର୍ଜନ ହେବ। ଏଭଳି ପ୍ରସ୍ତାବରେ ସ୍ବାକ୍ଷର କରି ସୂର୍ଯ୍ୟକାନ୍ତ ସାଙ୍ଗନେରିଆ, ରାଜେନ୍ଦ୍ର ସାମଲ, କେଦାରନାଥ ବେହେରା, ଦ୍ବୀପାୟନ ପଟ୍ଟନାୟକ, ତୁଷାର ସେନାପତି, ସନ୍ତୋଷ ମଲ୍ଲିକ, ବିବେକାନନ୍ଦ ପାତ୍ର, ଲିଙ୍ଗରାଜ ହାତୀ, ପ୍ରଦୀପ ମହାରଣା, ମୀନକେତନ ଦାସ, ଲକ୍ଷ୍ମୀଧର ସାହୁ, ମାନସରଂଜନ ସାହୁ, ସରୋଜ ଦାସ, ଲିଙ୍ଗରାଜ ବେହେରା, ତୁଷାରକାନ୍ତ ସିଂହ, ସୁବାଶିଷ କର, ଅମରେନ୍ଦ୍ର ସାମଲ, ପୂର୍ଣ୍ଣଚନ୍ଦ୍ର ସିଂ, ଭାନୁପ୍ରତାପ ସାହୁ, ରବିନ୍ଦ୍ର ବେହେରା, ପ୍ରଦୀପ କୁାମର ସିଂହ, ବିଶ୍ବନାଥ ବେହେରା, ପ୍ରଫୁଲ୍ଲ କୁମାର ସାହୁ, ବିଜୟ ମହାପାତ୍ର ପ୍ରମୁଖ ତୁରନ୍ତ ପ୍ରଶାସନ ସ୍ଥିତି ସ୍ପଷ୍ଟ କରିବାକୁ ଅନୁରୋଧ କରିଛନ୍ତି।
Follow Us