ଅନୁଭବ, ବର୍ଷାଙ୍କ ଆବେଦନ ଖାରଜ

ଘରୋଇ ହିଂସା ମାମଲା

ଅନୁଭବ, ବର୍ଷାଙ୍କ ଆବେଦନ ଖାରଜ

Live Law

କଟକ: ଘରୋଇ ହିଂସା ମାମଲାରେ ଅଦାଲତ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଚାବି ହସ୍ତାନ୍ତର ପ୍ରସଙ୍ଗରେ ଅନୁଭବଙ୍କ ପିଟିସନ ଖାରଜ କରିଥିବା ବେଳେ ‌ସୋସିଆଲ ମିଡିଆ ଭିଡିଓ ପ୍ରସଙ୍ଗରେ ବର୍ଷାଙ୍କ ଆବେଦନକୁ ଖାରଜ କରିଛନ୍ତି।

ଘରୋଇ ହିଂସା ମାମଲାରେ ଚାବି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ଅନୁଭବ ୨୦୨୨, ଅକ୍ଟୋବର ୧୨ରେ ଦାୟର କରିଥିବା ପିଟିସନକୁ କଟକ ସଦର ଏସ୍‌ଡିଜେଏମ୍ ଅଦାଲତ ଖାରଜ କରିଛନ୍ତି। ଅନୁଭବଙ୍କ ଆବେଦନରେ ଦର୍ଶାଯାଇଥିଲା ଯେ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା ଅନୁଭବଙ୍କ ଘର ଛାଡ଼ିଥିଲେ ମଧ୍ୟ ଚାବି ହସ୍ତାନ୍ତର କରିନାହାନ୍ତି। ବର୍ଷାଙ୍କଠାରୁ ଘର ଚାବି ଆଣି ପୁରୀଘାଟ ଥାନା ଆଇଆଇସି ତାଙ୍କୁ ହସାନ୍ତର କରନ୍ତୁ। ଏହାପୂର୍ବରୁ ଘରେ ଥିବା ଜିନିଷପତ୍ରର ବିସ୍ତାରିତ ତାଲିକା ପରିବାର ସଦସ୍ୟ, ଉଭୟ ପକ୍ଷଙ୍କ ଓକିଲଙ୍କ ଉପସ୍ଥିତିରେ ପ୍ରସ୍ତୁତ କରାଯିବାକୁ ନିର୍ଦ୍ଦେଶ ଦିଆଯାଉ। ଏଥିସହିତ ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ପାଇଁ ବର୍ଷାଙ୍କ ବିରୋଧରେ ଉପଯୁକ୍ତ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନୁଭବଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିଲା। ତେବେ, ଅନୁଭବଙ୍କ ଆବେଦନକୁ ବର୍ଷାଙ୍କ ତରଫରୁ ବିରୋଧ କରାଯାଇଥିଲା।

ଦର୍ଶାଯାଇଥିଲା ଯେ ସେ ସେପ୍ଟେମ୍ବର ମାସରେ ଶ୍ବଶୁର ଘର ଛାଡ଼ିଥିଲେ। ଚାବି କିଭଳି ଭାବେ ହସ୍ତାନ୍ତର କରାଯିବ, ସେ ନେଇ ଅଦାଲତଙ୍କ କିଛି ନିର୍ଦ୍ଦେଶ ନଥିଲା। ସ୍ଥାନୀୟ ପୁଲିସକୁ ଚାବିଦେବାକୁ ଅନୁରୋଧ କରି ବର୍ଷା ନିରାଶ ହୋଇଥିଲେ। ପୁଲିସ ଚାବି ରଖିବାକୁ ମନା କରିଥିଲା। ଏଥିସହିତ ପ୍ରତିପକ୍ଷଙ୍କୁ ଚାବି ହସ୍ତାନ୍ତର ପାଇଁ ସେ ଚାହିଁଥିଲେ। କିନ୍ତୁ, ପ୍ରତିପକ୍ଷ ମନା କରିଥିଲେ। ଏ ନେଇ ବର୍ଷାଙ୍କ ଓକିଲ ଅଦାଲତଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଚାବି ହସ୍ତାନ୍ତର କରିବାକୁ ସେ ପ୍ରସ୍ତୁତ ବୋଲି ବର୍ଷାଙ୍କ ତରଫରୁ ଦର୍ଶାଯାଇଥିଲା। ବର୍ଷା ଚାବି ହସ୍ତାନ୍ତର ପାଇଁ ପ୍ରସ୍ତୁତ ଥିବାରୁ ତାଙ୍କ ନିକଟରୁ ସ୍ଥାନୀୟ ପୁଲିସକୁ ଚାବି ଆଣି ଅନୁଭବଙ୍କୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେବା ଆବଶ୍ୟକ ନୁହେଁ ବୋଲି ଅଦାଲତ କହିବା ସହିତ ଅନୁଭବଙ୍କ ଆବେଦନକୁ ଖାରଜ କରିଛନ୍ତି। ଅନୁଭବ ବା ତାଙ୍କ ଆଇନଜୀବୀଙ୍କୁ ଚାବି ହସ୍ତାନ୍ତର କରିବାକୁ ବର୍ଷାଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଯଦି ପ୍ରତିପକ୍ଷ ଚାବି ନେବାକୁ ମନା କରନ୍ତି, ଅଦାଲତରେ ବର୍ଷାଙ୍କ ପକ୍ଷରୁ ଚାବି ଜମା କରାଯାଇ ପାରିବ ବୋଲି ଅଦାଲତ କହିଛନ୍ତି।

ଅନ୍ୟପକ୍ଷରେ, ଅନୁଭବ ସୋସିଆଲ ମିଡିଆରେ ବର୍ଷାଙ୍କୁ ନିନ୍ଦିତ କରିବା ପାଇଁ ଭିଡିଓ ପୋଷ୍ଟ କରୁଥିବା ଅଭିଯୋଗ କରି ବର୍ଷା ଯେଉଁ ଆବେଦନ କରିଥିଲେ ତାହାକୁ ଅଦାଲତ ଅଗ୍ରାହ୍ୟ କରିଛନ୍ତି। ଏହି ପ୍ରସଙ୍ଗ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଅଦାଲତ ଏହାକୁ ଖାରଜ କରିଛନ୍ତି। ଏଥିସହିତ ମୂଳ ଘରୋଇ ହିଂସା ଆବେଦନରେ ସଂଶୋଧନ ପ୍ରସଙ୍ଗ ନେଇ ବର୍ଷା ଦାୟର କରିଥିବା ପିଟିସନକୁ ମଧ୍ୟ ଅଦାଲତ ଖାରଜ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅକ୍ଟୋବର ୨କୁ ତାରିଖ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe