ଭିନ୍ନକ୍ଷମ ଅରବିନ୍ଦଙ୍କ ନିଆରା ପ୍ରୟାସ: ନାରୀ ସୁରକ୍ଷା ଓ ରକ୍ତଦାନ ସଚେତନତା ପାଇଁ ହ୍ବିଲଚେୟାର୍‌ରେ ବୁଲିବେ ଭାରତ

ଭିନ୍ନକ୍ଷମ ଅରବିନ୍ଦଙ୍କ ନିଆରା ପ୍ରୟାସ: ନାରୀ ସୁରକ୍ଷା ଓ ରକ୍ତଦାନ ସଚେତନତା ପାଇଁ ହ୍ବିଲଚେୟାର୍‌ରେ ବୁଲିବେ ଭାରତ

କଟକ: ଶିଶୁ କନ୍ୟା ଓ ନାରୀଙ୍କ ସୁରକ୍ଷା, ସଡକ ସୁରକ୍ଷା ସହ ରକ୍ତଦାନକୁ ନେଇ ସଚେତନତା ଯାତ୍ରା ଆରମ୍ଭ କରିଛନ୍ତି ଅରବିନ୍ଦ କୁମାର ମିଶ୍ରା। ଭିନ୍ନକ୍ଷମ ହୋଇ ବି ଦେଶବାସୀଙ୍କୁ ସଚେତନ କରାଇବାର ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଆଜିକୁ ୩ ବର୍ଷ ହେବେ ଏହି ନିଆର ଯାତ୍ରା ଆରମ୍ଭ କରିଥିବା ବେଳେ ୬ଟି ଜିଲ୍ଲା ଭ୍ରମଣ କରି ସାରିଲେଣି। ପ୍ରତ୍ୟେକ ଦିନ ୩୦ ରୁ ୪୦ କିଲୋମିଟର ସାଇକେଲରେ ଯାତ୍ରା କରିଥାନ୍ତି ଅରବିନ୍ଦ। ବିହାର ପାଟଣା ଅଞ୍ଚଳ ଅରବିନ୍ଦ କୁମାର ମିଶ୍ରାଙ୍କ ବୟସ ଏବେ ୪୬। ପିଲାବେଳୁ ପୋଲିଓ ଯୋଗୁଁ ଶରୀର ସମ୍ପୂର୍ଣ୍ଣ ଅକ୍ଷମ ହୋଇଯାଇଛି। ହେଲେ ଜୀବନ ଯୁଦ୍ଧରେ କେବେ ହାର ମାନି ନାହାନ୍ତି। ଏବେ ସମାଜରେ ନାରୀ ପ୍ରତି ହେଉଥିବା ଅତ୍ୟାଚାର ଓ ନବଜାତ ଶିଶୁକନ୍ୟାଙ୍କୁ ହତ୍ୟା କରିବା ଦିନକୁ ଦିନ ଅଧିକ ବଢି ଚାଲିଥିବା ବେଳେ ଏହାକୁ ନଜରରେ ରଖି ସେ ଦେଶବାସୀଙ୍କୁ ସଚେତନ କରାଇବାକୁ ଏକ ପଦକ୍ଷେପ ନେଇଛନ୍ତି। କେବଳ ନାରୀ ସୁରକ୍ଷା ନୁହେଁ ଏହାସହ ଲୋକଙ୍କୁ ସଡ଼କ ସୁରକ୍ଷା ଓ ରକ୍ତଦାନ ଭଳି ମହତ କାମ କରିବାକୁ ମଧ୍ୟ ସଚେତନତା କରାଇବାକୁ ଆଗକୁ ବାହାରିଛନ୍ତି। ହୁଇଲ ଚେୟାର (ସାଇକେଲ) ମାଧ୍ୟମରେ ଏହି ସଚେତନତା ଯାତ୍ରା ସେ ଆରମ୍ଭ କରିଛନ୍ତି।

publive-image Sambad

୨୦୧୮ ମସିହାରେ ଏହି ଯାତ୍ରା ସେ ପ୍ରଥମେ ପୁରୀ ଜଗନ୍ନାଥ ମନ୍ଦିର ପରିସରରୁ ଆରମ୍ଭ କରିଥିଲେ। ଇତିମଧ୍ୟ‌ରେ ସେ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଭଳି ୬ଟି ଜିଲ୍ଲା ପରିକ୍ରମା କରି ସାରିଛନ୍ତି। କାଶ୍ମୀର ପର୍ଯ୍ୟନ୍ତ ଯାଇ ସେ ଲୋକଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଭଳି ଏକ ନିଆରା ଚିନ୍ତାଧାରା ନେଇ ଆଗକୁ ବଢିଥିବା ଅରବିନ୍ଦଙ୍କୁ ଆଜି କଂଗ୍ରେସ କାର୍ଯ୍ୟାଳୟରେ ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ସମ୍ବର୍ଦ୍ଧିତ କରିଛନ୍ତି। ଅରବିନ୍ଦ କୁହନ୍ତି ଯେ ନିଜର ଶାରୀରିକ ସମସ୍ୟାକୁ ନେଇ ସେ କେବେ ହାର ମାନି ନାହାନ୍ତି।

ନିଜେ ଚିକିତ୍ସା ପାଇଁ ତିରୁପତି ଯାଇ ଡାକ୍ତରଙ୍କ ପରାମର୍ଶରେ ଅସ୍ତ୍ରୋପଚାର କରାଇଥିଲେ। ହେଲେ ଗୋଡ଼ ଠିକ ହୋଇ ନଥିଲା। କିଛି ଦିନ ବ୍ୟବଧାନରେ ଚେନ୍ନାଇ ଯାଇ ସେଠାରେ ବି ଏକ ଅସ୍ତ୍ରୋପଚାର କରାଇଥିଲେ। ହେଲେ ଗୋଡ଼ ଭଲ ହେବା ପରିବର୍ତ୍ତେ ଆହୁରି ସ୍ଥିତି ଖରାପ ହେବାକୁ ଲାଗିଲା। ୨୦୧୮ ମସିହାରେ ଯେବେ ପ୍ରଥମେ ପୁରୀ ଆସିଲି ସେବେ ସ୍ଥିର କରିଥିଲି ଯେ ଜଗନ୍ନାଥ ମହାପ୍ରଭୁଙ୍କ ପାଖରୁ ଏଭଳି ଏକ ଯାତ୍ରା ଆରମ୍ଭ କରିବି। ଏବେ ଯାଏ ଓଡ଼ିଶାର ୬ଟି ଜିଲ୍ଲା ଅତିକ୍ରମ କରିଛି। ଏହି ଯାତ୍ରା କାଶ୍ମୀର ପର୍ଯ୍ୟନ୍ତ ଜାରି ରଖିବି। ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରାଇବି ବୋଲି କହିଛନ୍ତି ଅରବିନ୍ଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe