୬ଟି ଉପାଦାନରେ ଜୈବିକ ପଦ୍ଧତିରେ ପ୍ରସ୍ତୁତ, ଦୀପାବଳି ପାଇଁ ରବୀନ୍ଦ୍ରଙ୍କ ‘ଗୋମୟ ଦୀପ’

Advertisment
୬ଟି ଉପାଦାନରେ ଜୈବିକ ପଦ୍ଧତିରେ ପ୍ରସ୍ତୁତ, ଦୀପାବଳି ପାଇଁ ରବୀନ୍ଦ୍ରଙ୍କ ‘ଗୋମୟ ଦୀପ’

କଟକ: ଜୈବିକ ପଦ୍ଧତିରେ ତିଆରି ହୋଇଛି ଗୋମୟ ଦୀପ। ଜାଳିବା ପରେ ୨୪ ଘଣ୍ଟା ପାଣିରେ ପକାଇ ଏହି ପାଣିକୁ ଗଛରେ ଦେଲେ ଏହା ଗଛଲତା ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଭଳି କିଛି ନିଆରା ପ୍ରୟାସ କରିଛନ୍ତି କଟକର ରବୀନ୍ଦ୍ର ଓଝା। ଦୀପାବଳି ପାଇଁ ଲୋକଙ୍କ ବିଶ୍ବାସ ଓ ପବିତ୍ରତାକୁ ଆଧାର କରି ନିଆରା ଢଙ୍ଗରେ ରବୀନ୍ଦ୍ର ପ୍ରସ୍ତୁତ କରୁଛନ୍ତି ଗୋମୟ ଦୀପ। ପୂର୍ବରୁ ଗୋବର ଦୀପ କରି ସହରରେ ସେ ବେଶ ଚର୍ଚ୍ଚାରେ ରହିଥିବାବେଳେ ଏବେ ଭିନ୍ନ ଢଙ୍ଗରେ ତିଆରି କରୁଛନ୍ତି ଗୋମୟ ଦୀପ। ଚଳିତବର୍ଷ ସହରରେ ପ୍ରଥମଥର ପାଇଁ ଏଭଳି ଦୀପ ତିଆରି ହେଉଥିବା କୁହାଯାଉଛି। କଟକ ନୂଆପଡ଼ା ସ୍ଥିତ କୁଞ୍ଜବିହାରୀ ରୋଡ୍‌ର ବାସିନ୍ଦା ରବୀନ୍ଦ୍ର ଓଝା ପେସାରେ ଜଣେ ବୀମା କର୍ମଚାରୀ। ହେଲେ ନିଶା ତାଙ୍କର ପାଲଟିଛି ଗୋମାତାଙ୍କ ପ୍ରଚାର ପ୍ରସାର କରିବା। ଜୈବିକ ପଦ୍ଧତି ବା ପଞ୍ଚ ଗଦ୍ୟ ଯଥା ଗୋବର ପାଉଡର୍‌, ଗୁଆଁରଗମ୍‌, ଘିଅ, ଗୋମୂତ୍ର, ଦହି ଓ କ୍ଷୀରରକୁ ମିଶାଇ ତିଆରି କରିଛନ୍ତି ଏହି ଗୋମୟ ଦୀପ। ଯାହାକୁ ଅର୍ଗାନିକ ଦୀପ ମଧ୍ୟ କୁହାଯାଏ। ଦୀପ ଦର ଗୋଟା ପିଛା ୨ ଟଙ୍କା ୫୦ ପଇସା।

publive-image Sambad

ପୂର୍ବରୁ ତିଆରି କରିଥିବା ଗୋବର ଦୀପ ଜଳି ପାଉଁଶ ହୋଇ ଯାଉଥିବାବେଳେ ଏହାକୁ ସାର ଭାବେ ବ୍ୟବହାର କରିବା ବହୁ କଷ୍ଟସାଧ୍ୟ ହେବାରୁ ଏବେ ଏହି ଦୀପକୁ କିଛି ନିଆରା ଢ଼ଙ୍ଗରେ ସେ ତିଆରି କରିଛନ୍ତି। ଏହି ଦୀପ ଜାଳିବା ପରେ ଏହାକୁ ୨୪ ଘଣ୍ଟା ପାଣିରେ ବୁଡାଇ ରଖିବା ଦ୍ବାରା ଏହି ଦୀପ ପାଣିରେ ସମ୍ପୂର୍ଣ୍ଣ ଭାବେ ମିଶିଯିବ ଓ ପରେ ଏହି ପାଣିକୁ ଗଛରେ ଦେଲେ ଏହା ଗଛ ବଢିବା ଓ ମଜବୁତ କରିବାରେ ସହାୟକ ହେବ। ତେବେ ୧୦ ହଜାରରୁ ଅଧିକ ଗୋମୟ ଦୀପ ତିଆରି କରି ନିଜ ଫେସ୍‌ବୁକ୍‌ ପେଜ୍‌ରେ ଅପଲୋଡ୍‌ କରିବା ପରେ ସହରବାସୀ ଏହାକୁ ପସନ୍ଦ କରିବା ସହ ଏହାକୁ କିଣିବା ପାଇଁ ଅର୍ଡର ମଧ୍ୟ କରୁଛନ୍ତି। ଦୀପ ଅର୍ଡର ଗ୍ରହଣ କରିବା ପାଇଁ ସେ ୯୦୪୦୩୯୪୫୫୨ ନମ୍ବର ବ୍ୟବହାର କରୁଛନ୍ତି। ରବୀନ୍ଦ୍ରଙ୍କୁ ଏହି କାର୍ଯ୍ୟରେ ତାଙ୍କ ପତ୍ନୀ ଏବଂ ଗୋପାଳକୃଷ୍ଣ ଗୋଶାଳାର ୪ ଜଣ ସଦସ୍ୟ ସହଯୋଗ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe