Backstage
କଟକ: କେବେ ହେବ ‘ଅଡିସନ୍’? କଳାକାର ଭତ୍ତା ପାଇଁ ଆବେଦନ କଲେଣି। କିନ୍ତୁ ହେଉନି ଅଡିସନ୍ କି ଚୟନ ପ୍ରକ୍ରିୟା ହେଉନି କି ମିଳୁନି ଭତ୍ତା। ମାତ୍ର ୯୨ଜଣଙ୍କୁ ମିଳିବ ବୋଲି ଠିକ୍ ହୋଇଛି। କଳାକାର ଭତ୍ତା ହେଲେ ଆବେଦନ କରିଛନ୍ତି କିନ୍ତୁ ୮୬୩୯ଜଣ ଆବେଦନକାରୀ। କୋଭିଡ୍ କଟକଣା ଓ ପରେ ପରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆଜି ପର୍ଯ୍ୟନ୍ତ ଚୟନ ପ୍ରକ୍ରିୟା ହୋଇପାରୁ ନଥିଲା। ଚଳିତବର୍ଷ ପ୍ରଥମଥର ପାଇଁ କଳାକାର ଭତ୍ତା ପାଇଁ ଆବେଦନକାରୀଙ୍କୁ ଅଡିସନ୍ ଦେବାକୁ ପଡିବ ଓ ତାରି ମାଧ୍ୟମରେ ଭତ୍ତା ପାଇଁ ଯୋଗ୍ୟଙ୍କୁ ଚୟନ କରାଯିବ ବୋଲି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ନା’ ଅଡିସନ୍ ହେଉଛି, ନା’ ଯୋଗ୍ୟଙ୍କୁ କଳାକାର ଭତ୍ତା ମିଳୁଛି। ଏଭଳି ଦୟନୀୟ ସ୍ଥିତିରେ ଭତ୍ତାକୁ ଅପେକ୍ଷା କରି ରହିଛନ୍ତି ଅନେକ ଯୋଗ୍ୟ କଳାକାର। କିନ୍ତୁ ତାରି ଭିତରେ ବି ଅନେକ ଅଯୋଗ୍ୟ ଯିଏ ଯେଉଁଠୁ ପାରିଲା ଷ୍ଟାମ୍ପ ମାରି ଆବେଦନ କରିଛନ୍ତି। ଉଦାହରଣସ୍ବରୂପ, ବାଙ୍କୀ-ଡମପଡା ବ୍ଲକ୍ର ନିର୍ଦ୍ଦିଷ୍ଟ ଗାଁରୁ ଶତାଧିକ କଳାକାର ଭତ୍ତା ପାଇଁ ଆବେଦନ କରିଛନ୍ତି। ତା’ ପୁଣି ଏକ ନିର୍ଦ୍ଦିଷ୍ଟ ଅନୁଷ୍ଠାନର ଷ୍ଟାମ୍ପକୁ ବ୍ୟବହାର କରି। ଏଭଳି ମାଳ ମାଳ ଭତ୍ତା ଆବେଦନ ଫର୍ମକୁ ପ୍ରଶାସନ କେମିତି ରଦ୍ଦ କରିବ ତାକୁ ନେଇ ସବୁ ମହଲରେ ଚର୍ଚ୍ଚା।
କଟକ ଜିଲ୍ଲାରେ ଚଳିତବର୍ଷ କଳାକାର ଭତ୍ତା ପାଇଁ ୮୬୩୯ଜଣ ଆବେଦନ କରିଛନ୍ତି। ଅନ୍ଲାଇନ୍ରେ ମଧ୍ୟ ପାଖାପାଖି ଦେଢଶହ ଆବେଦନ କରିଥିବା ଜଣାପଡିଛି। ସେଥିରୁ ବଡମ୍ବା ବ୍ଲକ୍ରୁ ସର୍ବାଧିକ ୧୦୯୦ ଜଣ, ବାଙ୍କୀରୁ ୧୦୧୯ ଓ ଆଠଗଡ଼ରୁ ୮୨୮ଜଣ କଳାକାର ଭତ୍ତା ପାଇଁ ଆବେଦନ କରିଛନ୍ତି। ଅନ୍ୟ ବ୍ଲକ୍ରୁ ୫ଶହରୁ ଅଧିକ ଲେଖାଏ ଆବେଦନ କରିଥିବା ଜଣାପଡିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କଟକ ଜିଲ୍ଲାରୁ ଚଳିତବର୍ଷ ୯୨ଜଣ କଳାକାରଙ୍କୁ ଭତ୍ତା ଦିଆଯିବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ସଂକୀର୍ତ୍ତନମଣ୍ଡଳୀ ଓ ଏକ ଗବେଷଣା ପରିଷଦ ନାମରେ ଥିବା ଦୁଇଟି ସଂସ୍ଥାର ଷ୍ଟାମ୍ପରେ ପାଖାପାଖି ୪ହଜାର ଆବେଦନ ପଡିଥିବା ଜଣାପଡିଛି। ହେଲେ ନିର୍ବାଚନ ପ୍ରକ୍ରିୟା ସରିଥିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ କଳାକାର ଭତ୍ତା ପାଇଁ କେବେ ହେବ ‘ଅଡିସନ୍’ ସେ ସଂପର୍କରେ ତାରିଖ ଚୂଡାନ୍ତ ହୋଇପାରୁନି। ତେବେ ଯେଉଁମାନେ ନକଲି ସଂସ୍ଥା ମାଧ୍ୟମରେ ଭତ୍ତା ହାତେଇବା ପାଇଁ ଯୋଜନା କରିଥିବେ ରାଜ୍ୟ ସଂସ୍କୃତି ବିଭାଗର କଡା ନିର୍ଦ୍ଦେଶନାମା ଅନୁସାରେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସୂଚନା ଦେଇଛନ୍ତି।
Follow Us