ଅଭିଯୁକ୍ତକୁ ଧରିବାକୁ ଯାଇଥିବା ପୁଲିସକୁ ଆକ୍ରମଣ

Advertisment

ଆଇଆଇସିଙ୍କ ସମେତ ୩ ପୁଲିସ ଆହତ, ଅଭିଯୁକ୍ତ ପାର୍‌, ଗାଁରେ ଭଙ୍ଗାରୁଜା

ଆଇଆଇସିଙ୍କ ସମେତ ୩ ପୁଲିସ ଆହତ, ଅଭିଯୁକ୍ତ ପାର୍‌, ଗାଁରେ ଭଙ୍ଗାରୁଜା

ଅଭିଯୁକ୍ତକୁ ଧରିବାକୁ ଯାଇଥିବା ପୁଲିସକୁ ଆକ୍ରମଣ

ଚୌଦ୍ୱାର-ଗୁରୁଡ଼ିଝାଟିଆ : ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇ ମାଡ଼ ଖାଇ ଫେରିଛନ୍ତି ପୁଲିସ ଅଧିକାରୀ ଓ କର୍ମଚାରୀ। ଅଭିଯୁକ୍ତର ସମର୍ଥକ କୁହାଯାଉଥିବା କିଛି ପୁରୁଷ ଓ ମହିଳାଙ୍କ ଆକ୍ରମଣରେ ପୁଲିସ ଗାଡ଼ି ମଧ୍ୟ ଭାଙ୍ଗିଛି। ଏହି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଅଭିଯୁକ୍ତ ଜଣକ ବି ପୁଲିସ କବଳରୁ ଖସି ଯାଇଥିବା ସୂଚନା ମିଳିଛି। ଏହି ଘଟଣା ଘଟିଛି ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁମାରପୁର ଗ୍ରାମରେ।

ସୂଚନା ଅନୁଯାୟୀ ମାର୍ଚ୍ଚ ୧୧ ତାରିଖରେ କୁମାରପୁର ହରିଜନ ସାହିରେ ଏକ ଘର ପୋଡ଼ି ଘଟଣା ଘଟିଥିଲା। ଏଥିରେ ଅଭିଯୁକ୍ତ କୁହାଯାଉଥିବା ଅସୀମ ବେଉରା ପୁଲିସ ରେକର୍ଡରେ ଫେରାର ଥିଲା। ଅସୀମକୁ ଧରିବା ପାଇଁ ଆଜି ରାତି ପ୍ରାୟ ସାଢେ ନଅଟା ବେଳେ ଥାନା ଆଇଆଇସି ବିଜୟ କେତନ ବିଶିଙ୍କ ନେତୃତ୍ୱରେ ୩ ଜଣ ପୁଲିସ କର୍ମଚାରୀ ଗାଁରେ ପହଞ୍ଚି ଥିଲେ। ସେମାନେ ଅସୀମକୁ ଧରି ଗାଡ଼ିରେ ବସାଇ ଆଣୁଥିବା ବେଳେ ଗାଁର ହନୁମାନ ମନ୍ଦିର ହମ୍ପ୍‌ସ ନିକଟରେ କେତେକ ପୁରୁଷ ଓ ମହିଳା ଏକାଠି ହୋଇ ପୁଲିସ ଗାଡି ଉପରକୁ ଆକ୍ରମଣ କରିଥିଲେ। ସେମାନେ ଠେଙ୍ଗାରେ ପୁଲିସ ଗାଡ଼ିର ଆଗ ଓ ପଛ କାଚ ଭାଙ୍ଗି ଦେଇଥିଲେ। ସେମାନଙ୍କ ଏଭଳି ଆକ୍ରମଣରେ ଶ୍ରୀ ବିଶିଙ୍କ ସମେତ ଅନ୍ୟ ୩ ଜଣ ପୁଲିସ ଆହତ ହୋଇଥିଲେ। ପୁଲିସ ଗ୍ରାମବାସୀଙ୍କୁ ପ୍ରତିରୋଧ କଲା ବେଳେ ସୁଯୋଗ ଉଣ୍ଡି ଅସୀମ ବେଉରା ସେଠାରୁ ଖସି ଯାଇଥିଲା। ଥାନା ଆଇଆଇସି ଅଧିକ ପୁଲିସ ଫୋର୍ସ ମଗାଇ ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ବି ଅନେକ ସମୟ ଯାଏ ସେଠାରେ ଫୋର୍ସ ପହଞ୍ଚି ପାରି ନଥିଲା। ଏ ସଂପର୍କରେ ସୂଚନା ଦେଇ ଆଇଆଇସି ଶ୍ରୀ ବିଶି କହିଛନ୍ତି ଯେ ଅଭିଯୁକ୍ତକୁ ଧରିବା ପାଇଁ ସେମାନେ ଯାଇଥିଲେ ବି ଅଭିଯୁକ୍ତ ଘରେ ନଥିଲା। କିନ୍ତୁ ସେମାନେ ଫେରିବା ସମୟରେ କିଛି ଲୋକ ପୁଲିସ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ।

ଅନ୍ୟପଟେ ସୂଚନା ଅନୁଯାୟୀ ପଞ୍ଚାୟତ ନିର୍ବାଚନ ସମୟରୁ ଏହି ଅଞ୍ଚଳରେ ରାଜନୈତିକ ବିବାଦ ହିଂସାତ୍ମକ ରୂପ ନେଇଛି। ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳ ଗୋଷ୍ଠୀର ସମର୍ଥନରେ ଏଭଳି ହିଂସାକାଣ୍ଡକୁ ପ୍ରୋତ୍ସାହନ ମିଳୁଥିବା ଅଭିଯୋଗ ହେଉଛି। ଘରପୋଡ଼ି ଘଟଣାରେ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅସୀମ ଫେରାର ଥିଲା। ପୁଲିସକୁ ଆକ୍ରମଣ ପରେ କୁମାରପୁର ଗ୍ରାମରେ ୩ ଜଣଙ୍କ ଘରେ ଭଙ୍ଗାରୁଜା କରାଯିବା ସହ ସେମାନଙ୍କ ସଂପର୍କୀୟଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। କଟକରୁ ପୁଲିସ୍‌ ଫୋର୍ସ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe