ଖୁଣ୍ଟୁଣୀ ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତି: ଦୁଇଭାଇଙ୍କୁ ହାଣି ଲୁଟିନେଲେ ସୁନାଗହଣା ଓ ଟଙ୍କା

Advertisment
ଖୁଣ୍ଟୁଣୀ ଥାନା ଅଞ୍ଚଳରେ ସଶସ୍ତ୍ର ଡକାୟତି: ଦୁଇଭାଇଙ୍କୁ ହାଣି ଲୁଟିନେଲେ ସୁନାଗହଣା ଓ ଟଙ୍କା

Sambad

ଖୁଣ୍ଟୁଣୀ: କଟକ ଜିଲ୍ଲାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲ ପଞ୍ଚାୟତ (ଚେପେଟି) ଦ୍ୱାରାବତୀପୁର ଗ୍ରାମରେ  ବିଳମ୍ବିତ ରାତିରେ ଡକାୟତି ହୋଇଥିବାର ଖବର ମିଳିଛି। ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ୬ଜଣ ଡକାୟତ ଗ୍ରାମର ରବୀନ୍ଦ୍ର କୁମାର ନାୟକଙ୍କ ଘରେ ପଶି ସୁନାଗହଣା, ଟଙ୍କା ଓ ମୋବାଇଲ୍‌ ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ରବୀନ୍ଦ୍ରଙ୍କ ଦୁଇ ପୁଅ ଦୀପ୍ତିପ୍ରସନ୍ନ ଓ ରତିପ୍ରସନ୍ନ ଆହତ ହୋଇଥିବା ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏକ ମାମଲା (କେସ ନଂ-୧୩୨/୨୦) ରୁଜୁ କରି ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।

ସୂଚନା ମୁତାବକ  ରାତି ପ୍ରାୟ ସାଢ଼େ ୨ଟାରେ ୬ଜଣ ଦୁର୍ବୃତ୍ତ ଦ୍ୱାରାବତୀପୁର ଗ୍ରାମର ରବୀନ୍ଦ୍ରଙ୍କ ବାଡ଼ି କବାଟ ଭାଙ୍ଗି ଦେଇଥିଲେ। ଏହାପରେ ତିନିଜଣ ବାହାରେ ଛିଡ଼ା ହୋଇଥିବା ବେଳେ ଧାରୁଆ ଅସ୍ତ୍ର ଓ ବନ୍ଧୁକ ଧରି ତିନିଜଣ ଦୁର୍ବୃତ୍ତ ଘରେ ପଶିଥିଲେ। ଏହି ସମୟରେ ଶବ୍ଦ ଶୁଣି ରବୀନ୍ଦ୍ର ଓ ତାଙ୍କ ପରିବାର ନିଦରୁ ଉଠି ପଡ଼ିଥିଲେ। ଏହା ଦେଖି ଦୁର୍ବୃତ୍ତମାନେ ରବୀନ୍ଦ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେବା ସହ ମାରଣାସ୍ତ୍ର ଦେଖାଇ ପରିବାର ସଦସ୍ୟମାନଙ୍କୁ ଗୋଟିଏ ଘର ଭିତରେ ବନ୍ଦ କରି ଦେଇଥିଲେ। ‌ସେମାନଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ଡକାୟତମାନେ ଛଡ଼ାଇ ନେଇଥିଲେ।

publive-image Sambad

ଏହାପରେ ଦୁର୍ବୃତ୍ତମାନେ ଘରେ ଥିବା ଗଡ୍‌ରେଜ୍‌ ଆଲ୍‌ମିରା ଚାବି ମାଗିଥିଲେ ମଧ୍ୟ ରବୀନ୍ଦ୍ର ଦେବାକୁ ମନା କରିଦେଇଥିଲେ। ଫଳରେ ଡକାୟତମାନେ ୩ଟି ଗଡ୍‌ରେଜ ମଧ୍ୟରୁ ୨ଟିକୁ ଭାଙ୍ଗି ପ୍ରାୟ ୮୦ଗ୍ରାମ ସୁନାଗହଣା, ଏକ ମନିପର୍ସରେ ଥିବା ୧୨ହଜାର ଟଙ୍କା ଲୁଟି ନେଇଥିଲେ। ରବୀନ୍ଦ୍ରଙ୍କ ଦୁଇପୁଅ ଦୀପ୍ତି ଓ ରତି ପ୍ରତିବାଦ କରିବାରୁ ଡକାୟତମାନଙ୍କ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ମାରଣାସ୍ତ୍ରରେ ଦୁଇ ଭାଇଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଲୁଟ୍‌ ସୁନାଗହଣା, ଟଙ୍କା ଓ ୨ଟି ମୋବାଇଲ ନେଇ ଚମ୍ପଟ ହୋଇଯାଇଥିଲେ।

ଏ ନେଇ ରବୀନ୍ଦ୍ରଙ୍କ ପରିବାର ପଡ଼ୋଶୀଙ୍କୁ ଜଣାଇବା ସହ ତୁରନ୍ତ ଘଣ୍ଟିଖାଲ ଫାଣ୍ଡି ପୁଲିସକୁ ଖବର ଦେଇଥିଲେ। ରାତ୍ରି ପାଟ୍ରୋଲିଂରେ ଥିବା ଘଣ୍ଟିଖାଲ ଫାଣ୍ଡି ଅଧିକାରୀ ହରି ବେହେରା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲୁଟେରାଙ୍କୁ ଠାବ କରିବା ପାଇଁ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଛାନ୍‌ଭିନ୍‌ କରିଥିଲେ। ମାତ୍ର ଲୁଟେରାଙ୍କ ପତ୍ତା ମିଳିପାରି ନ ଥିଲା। ଅନ୍ୟପଟେ, ଆହତ ଦୁଇ ଭାଇ ଚିକିତ୍ସା ପାଇଁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମୁଣ୍ଡ ଓ ମୁହଁରେ ଗୁରୁତର ଆଘାତ ଲାଗିଛି।

publive-image Sambad

ଏ ସଂକ୍ରାନ୍ତରେ ରବୀନ୍ଦ୍ରଙ୍କ ବଡ଼ପୁଅ ଦୀପ୍ତିପ୍ରସନ୍ନ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଚୌଦ୍ୱାର ଏସ୍‌ଡିପିଓ ପ୍ରଶାନ୍ତ କୁମାର ମଲ୍ଲ ଫରେନ୍‌ସିକ୍‌, ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏଥିସହ ଲୁଟ୍‌ରେ ବ୍ୟବହୃତ କଟୁରି, ଚାପଡ଼, ଶାବଳ, ରେଞ୍ଚି, ୩ଟି ଗାମୁଛା, ଚପଲ ଆଦିକୁ ପୁଲିସ ଜବତ କରିଥିବା ଏସ୍‌ଡିପିଓ ଶ୍ରୀ ମଲ୍ଲ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe