ବାଇକ୍‌ବାଲାଙ୍କୁ ଜରିମାନା; ବସ୍, ଅଟୋଙ୍କୁ ମାଫ୍

Advertisment

ଗୁରୁତର ଟ୍ରାଫିକ୍‌ ସମସ୍ୟା, ଦୁର୍ଘଟଣାର ଭୟ; ପୁଲିସ କିନ୍ତୁ ଆଶ୍ଚର୍ଯ୍ୟଜନକ ଚୁପ୍

ଗୁରୁତର ଟ୍ରାଫିକ୍‌ ସମସ୍ୟା, ଦୁର୍ଘଟଣାର ଭୟ; ପୁଲିସ କିନ୍ତୁ ଆଶ୍ଚର୍ଯ୍ୟଜନକ ଚୁପ୍

ବାଇକ୍‌ବାଲାଙ୍କୁ ଜରିମାନା; ବସ୍, ଅଟୋଙ୍କୁ ମାଫ୍

କଟକ: କମିସନରେଟ୍ ପୁଲିସ ଅମାନିଆ ଗାଡ଼ି ଚାଳକଙ୍କ ନିକଟରୁ ଜରିମାନା ଆଦାୟ କରିବାରେ ଯେତିକି ବ୍ୟସ୍ତ ରହୁଛି ସେତିକି ମାତ୍ରାରେ ବେଆଇନ ପାର୍କିଂ, ନିୟମ ନ ମାନି ଯେଉଁଠି ସେଠି ଅଟକୁ ଥିବା ବସ୍, ଅଟୋ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତା’ର କାଣିଚାଏ ବି ଗୁରୁତ୍ବ ଦେଉନାହିଁ। ବାଇକ୍ ଚାଳକଙ୍କୁ ଗୋଡ଼ାଇ ଜରିମାନା ଆଦାୟ ଓ ଫଟୋ ଉଠାଯାଉଥିବା ବେଳେ ମଧୁପାଟଣା ଟ୍ରାଫିକ୍ ଟାୱାର୍ ପଛପଟେ ବସ ଓ ଅଟୋ ଚାଳକ ବେପରୱା ଭାବେ ଅଟକିବା, ଯାତ୍ରୀ ଉଠାଇବା ଏବଂ ପାର୍କିଂ କରିବା ଘଟଣା ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହିତ ଦୁର୍ଘଟଣାର କାରଣ ହେଉଛି।

publive-image Sambad

ମଧୁପାଟଣା ଟ୍ରାଫିକ୍ ଟାୱାର୍ ପଛପଟେ ବସ୍ ଓ ଅଟୋ ନିୟମିତ ଅଟକୁଥିବାରୁ ଭୁବନେଶ୍ବରରୁ ଓଏମପି ଯାଉଥିବା ଯାନବାହାନ କିମ୍ବା ବାଦାମବାଡ଼ିରୁ ଓଏମପି ଯାଉଥିବା ଗାଡ଼ି ସହଜରେ ଟ୍ରାଫିକ୍ ଛକ ଅତିକ୍ରମ କରିପାରୁ ନାହାନ୍ତି। ଦୁର୍ଘଟଣା ଘଟାଇଥିବା ଏକ ବାଲି ବୋଝେଇ ହାଇୱା ଗଲା ଏକ ସପ୍ତାହ ହେବ ରାସ୍ତା ଉପରେ ପାର୍କିଂ ହୋଇ ରହିଛି। ରାସ୍ତାର ବିପରୀତ ପାର୍ଶ୍ବ ମ୍ୟାକ୍ସ ସୋରୁମ୍ ନିକଟରେ ଓଏମପି ଆଡ଼ୁ ଆସୁଥିବା ଯାତ୍ରୀବାହୀ ବସ୍ ଅଟକି ଯାତ୍ରୀଙ୍କୁ ଓହ୍ଲାଉଥିବାରୁ ନିୟମିତ ଭିଡ଼ ସୃଷ୍ଟି ହେଉଛି। ପ୍ରେସ୍ ଛକ ନିକଟରେ ଥିବା ବସ୍ ବେ’ ଭିତରେ ଯାତ୍ରୀବାହୀ ବସ୍ ଯାତ୍ରୀଙ୍କୁ ଉଠାଇବା ବଦଳରେ ରାସ୍ତା ଉପରେ ଗାଡ଼ି ଅଟକାଇ ଯାତ୍ରୀ ଉଠାଉଥିବାରୁ ମଧୁପାଟଣା ଟ୍ରାଫିକ ଛକରୁ ପ୍ରେସ ଛକ ଯାଏ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଘରୋଇ ଯାତ୍ରୀବାହୀ ଗାଡ଼ି ସହିତ ସରକାରୀ ‘ମୋ ବସ୍’ ବି ବସ୍ ବେ’ ଭିତରେ ପଶୁନାହିଁ। ବସ୍ ବେ’ ବାହାରେ ଏହି ବସ୍ ଅଟକୁଛି।

publive-image Sambad

ଅନ୍ୟ ଚାରିଚକିଆ ଗାଡ଼ିଗୁଡ଼ିକ ବି ବସ୍ ବେ ବାହାରେ ଘଣ୍ଟା ଘଣ୍ଟା ପାର୍କିଂ କରୁଛନ୍ତି। ସେହିଭଳି ପ୍ରେସ ଛକର ବିପରୀତ ପାର୍ଶ୍ବ ଭୁବନେଶ୍ବର ଆଡ଼ୁ ଆସୁଥିବା ବସ୍ ମଧୁପାଟଣା ମାଛ ଗୋଦାମ ନିକଟରେ ଅଟକୁଛି। ଭୁବନେଶ୍ବରରୁ ଆସୁଥିବା ଯାତ୍ରୀଙ୍କୁ ସେଠି ଓହ୍ଲାଉଛି। ସେହିଭଳି ପୁମା ସୋରୁମ୍ ସାମନାରେ ବି ବସ୍ ଓ ଅଟୋ ରାସ୍ତା ମଝିରେ ଅଟକି ଯାତ୍ରୀ ଉଠାଉଛନ୍ତି, ଓହ୍ଲାଉଛନ୍ତି। ‌ପୁଲିସ ସମନାରେ ଏସବୁ ଘଟୁଥିବା ବେଳେ ବି ପୁଲିସ ଆଶ୍ଚର୍ଯ୍ୟଜନକ ଭାବେ ଏସବୁ ଦେଖି ନ ଦେଖିଲା ଭଳି ରହୁଛି। ସମ୍ରାଟ ସିନେମାଲ ହଲ୍ ବିପରୀତ ପାର୍ଶ୍ବରେ ଯାତ୍ରୀବାହୀ ବସ୍ ଅଟକୁ ଥିବାରୁ ସେଠାରେ ବି ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି।

ଭୁବନେଶ୍ବରରୁ ଓଏମପି ଆଡ଼କୁ ଯାଉଥିବା ଯାନବାହାନ ଚଳାଚଳରେ ସମସ୍ୟା ଦେଖାଦେଉଛି। ତାଳଦଣ୍ଡା ବ୍ରିଜ ଓ ଓଏମପି ବ୍ରିଜ ମଝିରେ ଥିବା ରାସ୍ତା ଉପରେ ୧୦ ଚକିଆ ଭାରୀଯାନ ଘଣ୍ଟା ଘଣ୍ଟା ପାର୍କିଂ ହୋଇ ରହୁଛି। ପ୍ରେସ ଛକ, ମଧୁପାଟଣା ଛକରୁ ଓଏମପି ଭିତରେ ଏଭଳି ଗୁରୁତର ସମସ୍ୟା ସୃଷ୍ଟି ହୋଇଥିବା ବେଳେ ପୁଲିସ କିନ୍ତୁ ସବୁ ଠିକ ଚାଲିଥିବା ଦାବି କରୁଛି। ଟ୍ରାଫିକ୍ ଏସିପି ଦିଲ୍ଲୀପ କୁମାର ଦାସ କହିଛନ୍ତି ଯେ ବେଆଇନ ପାର୍କିଂ କରୁଥିବା ଚାଳକଙ୍କ ନିକଟରୁ ଓୟୁପି ଆକ୍ଟରେ ଜରିମାନା ଆଦାୟ କରାଯାଉଛି। ଲେନସକାର୍ଟ ନିକଟରୁ ଆଜି ପାଖାପାଖି ୮ ଅଟୋ ଚାଳକଙ୍କ ନିକଟରୁ ଜରିମାନା ଆଦାୟ କରାଯାଇଛି। ଟ୍ରାଫିକ ଛକରେ ଯେଭଳି ଭିଡ଼ ସୃଷ୍ଟି ନହୁଏ ସେଥିପାଇଁ ଟ୍ରାଫିକ କର୍ମଚାରୀ ସଂଖ୍ୟା ବୃଦ୍ଧି କରାଯାଇଛି। ଦୁଇଟି ସିଫ୍ଟରେ ୧୧ ଜଣ ଟ୍ରାଫିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe