ଉଦ୍‌ଘାଟନ ପୂର୍ବ ଦିନ ପଡ଼ିଆରେ ପଡ଼ୁଛି କଂକ୍ରିଟ ଆବର୍ଜନା, ପଡ଼ିଆ ସମତୁଲରେ ବ୍ୟୟ ଅଢେଇ କୋଟି କୁଆଡ଼େ ଗଲା?

Advertisment
ଉଦ୍‌ଘାଟନ ପୂର୍ବ ଦିନ ପଡ଼ିଆରେ ପଡ଼ୁଛି କଂକ୍ରିଟ ଆବର୍ଜନା, ପଡ଼ିଆ ସମତୁଲରେ ବ୍ୟୟ ଅଢେଇ କୋଟି କୁଆଡ଼େ ଗଲା?

Sambad

କଟକ: ବାଲିଯାତ୍ରାର ଗୋଟିଏ ଦିନ ପୂର୍ବରୁ ତଳପଡ଼ିଆର ଖାଲକୁ କଂକ୍ରିଟ ଆବର୍ଜନାରେ ପୋତା ଯାଉଛି। ଆଜି ସକାଳେ ତଳପଡ଼ିଆର ମହାନଦୀ ପାର୍ଶ୍ବର ଖାଲ ସ୍ଥାନକୁ ମୋରମ ବଦଳରେ କଂକ୍ରିଟ ଆବର୍ଜନାରେ ପୋତା ଯାଉଥିବାର ଦେଖିବାକୁ ମିଳିଛି। ବାଲିଯାତ୍ରା ଆୟୋଜନ ପାଇଁ ତଳ ପଡ଼ିଆକୁ ଅଢେଇ କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ କରାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ପଡ଼ିଆକୁ ସମତୁଲ କରାଯାଇ ମୋରମ ରାସ୍ତା ପ୍ରସ୍ତୁତ ହୋଇଥିଲା। ଦେଢ ମାସରୁ ଅଧିକ ଦିନ ଧରି ବିଭାଗ ପକ୍ଷରୁ ପଡ଼ିଆରେ କାମ କରାଗଲା। ମାତ୍ର ଶେଷ ସମୟରେ ପଡ଼ିଆରେ ରହି ଯାଇଥିବା ଖାଲୁଆ ଅଞ୍ଚଳକୁ ସମତୁଲ କରିବା ପାଇଁ ମୋରମ ସ୍ଥାନରେ କଂକ୍ରିଟ ଆବର୍ଜନାକୁ ବ୍ୟବହାର କରିବା ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ବାଲିଯାତ୍ରାର ତଳ ପଡ଼ିଆକୁ ସମତୁଲ କରିବା ପାଇଁ ଗତ ସେପ୍ଟେମ୍ବରରେ ପୂର୍ତ୍ତ ବିଭାଗ(ଡିଭିଜନ୍‌-୧) ପକ୍ଷରୁ ଟେଣ୍ଡର କରାଯାଇଥିଲା।

୭ଟି ଜୋନ୍‌ରେ ବିଭକ୍ତ କରି ବାଲିଯାତ୍ରା ପଡ଼ିଆକୁ ସମତୁଲ କରିବା, ଜଂଗଲ ସଫା କରିବା, ମୋରମ୍‌ ରାସ୍ତା ନିର୍ମାଣ କରିବା ପାଇଁ ୨କୋଟି ୫୦ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା। ଏନ୍‌ଜିଟି ୩୪ ଏକର ଜମିରେ ବାଲିଯାତ୍ରା ଆୟୋଜନ କରିବାକୁ ଅନୁମତି ଦେବା ପରେ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଟେଣ୍ଡର ପରେ ଠିକା ସଂସ୍ଥା ପକ୍ଷରୁ କାମ ଆରମ୍ଭ କରାଗଲା। ବାଲି ଉ‌ପରେ ମୋରମ ପକାଇ ରାସ୍ତା କରାଗଲା। ଏହା ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ପାଇଁ ଜୁନ୍‌ ମାସରେ ଉକ୍ତ ପଡ଼ିଆ‌କୁ ଗାଡି ପାର୍କିଂ ପାଇଁ ବ୍ୟବହାର କରିବାକୁ ବି ୨କୋଟି ଟଙ୍କାରେ ବାଲି ଉପରେ ମୋରମ୍‌ ପକାଯାଇଥିଲା। ‌ତଳ ପଡ଼ିଆକୁ ସମତଳ କରିବା ଓ ମୋରମ ରାସ୍ତା କରିବା ପାଇଁ ବିଭାଗ ପକ୍ଷରୁ ୬ ମାସ ମଧ୍ୟରେ ୪.୫ କୋଟି ଟଙ୍କା ଖର୍ଚ୍ଚ ହେଲାଣି। ମାତ୍ର ବାଲିଯାତ୍ରାର ଗୋଟିଏ ଦିନ ପୂର୍ବରୁ ପଡ଼ିଆର କିଛି ଖାଲୁଆ ସ୍ଥାନରେ ଆଜି କଂକ୍ରିଟ ଆବର୍ଜନା ପକାଇ ପୋତାଯାଇଛି। ଟ୍ରାକ୍ଟରରେ ଆବର୍ଜନାକୁ ଆଣି ଏହାକୁ ଜେସିବି ସାହାଯ୍ୟରେ ଖାଲୁଆ ସ୍ଥାନରେ ପକାଇ ସମତୁଲ କରାଯାଇଛି। ଅନ୍ୟପଟେ ଯାତ୍ରା ଆୟୋଜନ ପାଇଁ ଉଭୟ ପଡ଼ିଆରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ପ୍ରଶାସନିକ ଅଧିକାରୀ ରହୁଥିବା ବେଳେ ବିଭାଗର ଏପରି କାମକୁ କେହି ବିରୋଧ ନକରିବା ଘଟଣା ସନ୍ଦେହର କାରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe