Sambad
କଟକ: ୪୦/୪୫ ବର୍ଷ ପୂର୍ବେ ବାଲିଯାତ୍ରାର ଏ କଳେବର ନଥିଲା। କେବଳ ଉପର ପଡ଼ିଆରେ ଯାତ୍ରା ଆୟୋଜନ ହେଉଥିଲା। ଏହାର ଆକାର ଏତେ ବିଶାଳ ଆଉ ବ୍ୟାପକ ନଥିଲା। କିନ୍ତୁ ଲୋକେ ଆସୁଥିଲେ। ରାତି ଦୁଇ ଯାଏ ବୁଲାବୁଲି ହେଉଥିଲା। ବଂଧୁମାନଙ୍କ ଆସର ଜମୁଥିଲା। ଆଉ ପିଲା ହଜିବା ଘଟଣାକୁ ନେଇ ବେଶ୍ ପାଲା ଚାଲୁଥିଲା। ପିଲା ହଜି ଯାଇଛି ବୋଲି ପ୍ରଥମେ ମାଇକ୍ରେ ଘୋଷଣା ହେବ। ତାକୁ ଖୋଜି ଆଣି ସୂଚନା କେନ୍ଦ୍ରରେ ପହଞ୍ଚାଇବା ପାଇଁ ଯୁବକ ମାନେ ଲାଗି ପଡିବେ। ଏବଂ ଯିଏ ଖୋଜି ଆଣି ଦେବ, ତା’ର ନାମ ଘୋଷଣା ହେବ।
ଏ ପାଲା ବେଶ୍ ଜମୁଥିଲା। କିନ୍ତୁ ଏବେ ଲକ୍ଷାଧିକ ଲୋକ ବାଲିଯାତ୍ରାକୁ ପ୍ରତ୍ୟେକ ଦିନ ଆସୁଥିଲେ ବି ଆଉ କିନ୍ତୁ ପିଲା କି ଲୋକ ହଜିବା ଘଟଣା ଶୁଣାଯାଉନି। ସେତେବେଳେ ଜଣେ ସାଧାରଣ ଛାତ୍ର ଭାବେ ବାଲିଯାତ୍ରା ବୁଲିବାର ମଜା ନେଉଥିଲୁ। ପରବର୍ତ୍ତି ସମୟରେ ପ୍ରଗତିଶୀଳ ବୁକ୍ ଷ୍ଟୋର୍ ବାଲିଯାତ୍ରାରେ ପରିଚାଳନା କରିବା କାର୍ଯ୍ୟରେ ବି ସାମିଲ ହେଉଥିଲୁ। ଏବେ ମେୟର ଭାବେ ବାଲିଯାତ୍ରାର ଉତ୍ତରଦାୟିତ୍ବ ନିର୍ବାହ କଲା ବେଳେ ଏ ପ୍ରକାର ଏକ ଐତିହାସିକ ମହୋତ୍ସବକୁ ଆଗକୁ ନେବାର ଦାୟିତ୍ବ ଥିବାରୁ ଖୁସି ଅନୁଭବ ହେଉଛି। କଟକ ପୌର ନିଗମ ବାଲିଯାତ୍ରାର ସମସ୍ତ ମୌଳିକ ବ୍ୟବସ୍ଥା ପ୍ରସ୍ତୁତ କରିବାର ଦାୟିତ୍ବ ନିଏ। ଚଳିତ ବର୍ଷ ରାଜ୍ୟସ୍ତରର ଏହି ଉତ୍ସବକୁ ଜାତୀୟ ମାନ୍ୟତା ଦେବା ପାଇଁ ସବୁ ପ୍ରକାର କ୍ଷେତ୍ର ପ୍ରସ୍ତୁତ ହୋଇଛି। ବାଲୁକା କଳା ଲିମ୍କା ରେକର୍ଡସରେ ସ୍ଥାନ ପାଇବାକୁ ଯାଉଛି। କାଗଜ ଡଙ୍ଗା ପ୍ରସ୍ତୁତ କରି ତାହାକୁ ବି ଗିନିଜ୍ ରେକର୍ଡସରେ ସ୍ଥାନ ଦେବାକୁ ପଦକ୍ଷେପ ନିଆଯାଉଛି। ମହାନଦୀରେ ଲେଜର ସୋ’, ବୋଟିଂ ବ୍ୟବସ୍ଥା, କଟକ ଇନ୍ କଟକ.... ଏଥର ବାଲିଯାତ୍ରାକୁ ଏକ ଭିନ୍ନ ସ୍ତରକୁ ନେଇଛି। ରାଜ୍ୟର ପ୍ରଥମ ଉତ୍ସବ ଭାବେ ଏହା ଜାତୀୟ ଉତ୍ସବର ମାନ୍ୟତା ନିଶ୍ଚିତ ପାଇବ ବୋଲି ଆମେ ଆଶାବାଦୀ ଅଛୁ ବୋଲି କହଛନ୍ତି ମେୟର ସୁବାଷ ସିଂହ।
  
 Follow Us