ଆରଡିସି ଟି-୨୦ ସମୀକ୍ଷା ବୈଠକ, ବାରବାଟୀ ମ୍ୟାଚ୍‌ ପାଇଁ ଚାଲିବ ୮ ସ୍ବତନ୍ତ୍ର ବସ୍‌

Advertisment
ଆରଡିସି ଟି-୨୦ ସମୀକ୍ଷା ବୈଠକ, ବାରବାଟୀ ମ୍ୟାଚ୍‌ ପାଇଁ ଚାଲିବ ୮ ସ୍ବତନ୍ତ୍ର ବସ୍‌

Sambad

କଟକ: ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ ପାଇଁ ବୁଧବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର‌୍‌ଡିସି) ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆର‌୍‌ଡିସିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ସଫଳ ମ୍ୟାଚ୍‌ ଆୟୋଜନ ଉପରେ ପରାମର୍ଶ ଦେଇଥିଲେ। ଏଥର ବାରବାଟୀ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଦର୍ଶକଙ୍କୁ ନେବା ଆଣିବା କରିବାକୁ ୮ଟି ବସ୍‌ର ବ୍ୟବସ୍ଥା କରାଯାଉଛି। ସେଥିରୁ ୪ଟି ବସ୍‌ କଟକ ରେଳଷ୍ଟେସନ୍‌କୁ ଓ ଅନ୍ୟ ୪ଟି ବାଦାମବାଡ଼ି ବସ୍‌ଷ୍ଟାଣ୍ତକୁ ଯାତ୍ରୀ ପରିବହନ କରିବ। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏହି ବସ୍‌ଗୁଡ଼ିକ ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ମ୍ୟାଚ୍‌ ସମ୍ପର୍କିତ ପ୍ରାରମ୍ଭିକ ସୂଚନା ଦେବା ପରେ ମ୍ୟାଚ୍‌ ଆୟୋଜନ ପାଇଁ କରାଯାଇଥିବା ବିଭିନ୍ନ ପ୍ରସ୍ତୁତି ଉପରେ ଓସିଏ ସମ୍ପାଦକ ସ˚ଜୟ ବେହେରା ଆର‌୍‌ଡିସିଙ୍କୁ ଅବଗତ କରାଇଥିଲେ। ଖେଳାଳିମାନେ ୧୦ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ। ତେଣୁ ଖେଳାଳି ଆସିବା ପୂର୍ବରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ଆର‌୍‌ଡିସି ନିର୍ଦ୍ଦେଶ ଦେଇଛନ୍ତି। ବୁଧବାରଠୁ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି ଆରମ୍ଭ ହୋଇଛି। ୯ ଓ ୧୦ ତାରିଖରେ କାଉଣ୍ଟର୍‌ରେ ଟିକଟ ବିକ୍ରି ହେବ।

ଏହି ସମୟରେ ଅତ୍ୟଧିକ ଭିଡ଼କୁ ଏଡ଼ାଇବା ପାଇଁ ଏଥର କାଉଣ୍ଟର୍‌ ସ˚ଖ୍ୟା ବୃଦ୍ଧି କରାଯାଉଛି। ଷ୍ଟାଡିୟମ୍‌ କାଉଣ୍ଟର୍‌ ସହିତ ଦୁଇଟି ଏସି କଣ୍ଟେନର୍‌ ମାଧ୍ୟମରେ ଟିକଟ ଯୋଗାଇ ଦିଆଯିବ। ସାଧାରଣ ଗ୍ୟାଲେରି ଟିକଟ ପାଇଁ ୧୦ କାଉଣ୍ଟର୍‌ ଓ ଦାମୀ ଟିକଟ ପାଇଁ ୩ଟି କାଉଣ୍ଟର୍‌ ଖୋଲାଯିବ ବୋଲି ଓସିଏ ପକ୍ଷରୁ ଅବଗତ କରାଯାଇଛି। କଟକ ଡିସିପି ପିନାକ ମିଶ୍ର ସୁରକ୍ଷା ବ୍ୟବସ୍ଥା ସ˚କ୍ରାନ୍ତରେ ସୂଚନା ଦେଇଥିଲେ। ମ୍ୟାଚ୍‌ ଆୟୋଜନ ପାଇଁ ପାଖାପାଖି ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଉଥିବା ସେ ସୂଚନା ଦେଇଛନ୍ତି। ଷ୍ଟାଡିୟମ୍‌ ଭିତରେ ଓ ବାହାରେ ଟ୍ରାଫିକ ବ୍ୟବସ୍ଥା, ଖେଳାଳି ଆସିବା ରାସ୍ତାରେ ସୁରକ୍ଷା ପାଇଁ ଏସ୍‌ଓପି କରାଯାଉଛି। ଏଥିପାଇଁ ୮ତାରିଖରେ ଏକ ମକ୍‌ଡ୍ରିଲ୍‌ କରାଯିବ। ଷ୍ଟାଡିୟମ୍‌ର ଆପାତକାଳୀନ ସ୍ଥିତିର ମୁକାବିଲା ଉପରେ ଗୁରୁବାର ଏକ ମକ୍‌ଡ୍ରିଲ୍‌ କରାଯାଉଥିବା ସେ ସୂଚନା ଦେଇଥିଲେ। ଏହାବାଦ୍‌ କଟକ ସହରକୁ ପରିଷ୍କାର କରାଯିବା ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଦିଗରେ ସିଏମ୍‌ସି ପଦକ୍ଷେପ ନେବ ବୋଲି ବୈଠକରେ କୁହାଯାଇଛି। ପ୍ରତି ୧୦୦ ମିଟର ବ୍ୟବଧାରେ ଜଣେ ଲେଖାଏ ସଫେଇ କର୍ମଚାରୀ ନିୟୋଜିତ ହୋଇ କାର୍ଯ୍ୟ ତଦାରଖ କରିବେ। ସିଡିଏମ୍‌ଓଙ୍କ ପକ୍ଷରୁ ୬ଟି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଉଥିବା ଓ ପିଏଚ୍‌ଡି ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ପାନୀୟଜଳ ବ୍ୟବସ୍ଥା କରାଯାଉଥିବା ବୈଠକରେ ସୂଚନା ଦିଆଯାଇଛି। ଏହି ବୈଠକରେ ଓସିଏ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ବିଭାଗରର ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe