ବେଲେଶ୍ବର ଡବଲ୍ ମର୍ଡର୍ ଘଟଣା: ହାଣିଲା ପରେ ମୁହଁରେ ଢାଳିଥିଲେ ବିଷ

Advertisment
ବେଲେଶ୍ବର ଡବଲ୍ ମର୍ଡର୍ ଘଟଣା: ହାଣିଲା ପରେ ମୁହଁରେ ଢାଳିଥିଲେ ବିଷ

କଟକ: ବହୁଚର୍ଚ୍ଚିତ ବେଲେଶ୍ବର ଡବଲ୍ ମର୍ଡର ମାମଲାରେ ଆସନ୍ତା ରବିବାର ଦୁଇବର୍ଷ ପୂରିବାକୁ ଯାଉଛି। ଏଭଳି ସମ୍ବେଦନଶୀଳ ହତ୍ୟାକାଣ୍ଡରେ ମଧୁପାଟଣା ଥାନା ପୁଲିସ ପୁଣି ଦୁଇ ସନ୍ଦିଗ୍ଧଙ୍କୁ ଉଠାଇ ଆଣିଥିବା କୁହାଯାଉଛି। ହତ୍ୟାକାଣ୍ଡ ସହିତ ଏମାନଙ୍କ ସମ୍ପୃକ୍ତି ସନ୍ଦେହରେ ପୁଲିସ ଉଭୟଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା କରୁଛି। ବୃଦ୍ଧ ଦମ୍ପତିଙ୍କୁ କଟୁରି ଓ ପନିକିରେ ବିଭତ୍ସ ଭାବେ ହାଣିବା ପରେ ବିଦୁଲତା ସାମଲଙ୍କ ମୁହଁରେ କିଟନାଶକ ଔଷଧ ଢାଳିବା ଘଟଣା ପଛରେ ହତ୍ୟାକାରୀର ପ୍ରତିଶୋଧପରାୟଣ ମାନସିକତା ଥିବା କୁହାଯାଉଛି। ପୂର୍ବରୁ ଯଦିଓ ବେଲେଶ୍ବର, ତିନିଘରିଆ ଅଞ୍ଚଳର ୪୦ରୁ ଅଧିକ ସନ୍ଦିଗ୍ଧଙ୍କୁ ପୁଲିସ ପଚରାଉଚରା କରିଥିଲା, ହତ୍ୟାକାଣ୍ଡକୁ ଦୁଇବର୍ଷ ପୂରିବାକୁ ବସିଥିବା ବେଳେ ପୁଲିସ ହଠାତ୍ ସକ୍ରୀୟ ହୋଇଉଠିବା ପଛରେ ବଡ଼ ପ୍ରମାଣ ଲାଗିଥିବା କୁହାଯାଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କମିସନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନେ ମଧୁପାଟଣା ଥାନାରେ ପହଞ୍ଚି ଏହି ମାମଲାର ଅନୁଧ୍ୟାନ ବି କରିଥିବା ସୂଚନା ମିଳିଛି। ବେଲେଶ୍ବର ଅଞ୍ଚଳର ବୃଦ୍ଧ ଦମ୍ପତି ଶ୍ରୀନାଥ ସାମଲ ଓ ପତ୍ନୀ ବିଦୁଲତା ସାମଲଙ୍କୁ ୨୦୧୯ ଡିସେମ୍ବର ୧୨ ତାରିଖ ସନ୍ଧ୍ୟାରେ ହତ୍ୟା କରାଯାଇଥିଲା। ଶରୀରକୁ ବିଭତ୍ସ ଭାବେ ହଣାଯାଇଥିବାରୁ କେହି ପ୍ରତିଶୋଧପରାୟଣ ହୋଇ ଏଭଳି କାଣ୍ଡ ଘଟାଇଥିବା ପୁଲିସ ସନ୍ଦେହ କରୁଛି।

ଘଟଣାସ୍ଥଳରୁ ଯେଉଁ ରକ୍ତଲଗା କଟୁରି ଜବତ ହୋଇଥିଲା ତାହା ଶ୍ରୀନାଥଙ୍କର ନଥିଲା। କିନ୍ତୁ ଠେଙ୍ଗା ଓ ପନିକିଟି ଶ୍ରୀନାଥଙ୍କର ଥିଲା। ପନିକି, କଟୁରି, ଠେଙ୍ଗାରୁ ଜବତ ହୋଇଥିବା ‘ଫିଙ୍ଗରପ୍ରିଣ୍ଟ୍‌’ ନମୁନା ହିଁ ହତ୍ୟାକାରୀକୁ କାଠଗଡ଼ାରେ ଛିଡ଼ା କରିବାରେ ପୁଲିସ ପାଇଁ ବଡ଼ ପ୍ରମାଣ ହେବ ବୋଲି କୁହାଯାଉଛି। ଜବତ କଟୁରିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ ହତ୍ୟାକାରୀ ଯୋଜନାବଦ୍ଧ ଭାବେ ହତ୍ୟା କରିବାକୁ ଏହି ବୃଦ୍ଧ ଦମ୍ପତିଙ୍କ ଘରକୁ ଆସିଥିଲା। ତେବେ ରୋଷେଇ ଘରେ ପାଖାପାଖି ଚାରି-ପାଞ୍ଚ ଜଣ ଖାଇଲା ଭଳି ମ୍ୟାଗି ରୋଷେଇ ହୋଇଥିବା ବେଳେ ଡ୍ରଇଂ ରୁମରେ ଏକ ଟେବୁଲରେ ଦୁଇଟି ଗ୍ଲାସ୍ ପାଣି ବି ରଖାଯାଇଥିଲା।

ସେ ସମୟରେ ପୁଲିସ ସନ୍ଦେହ କରୁଥିଲା ଯେ ଦୁଇ ଜଣ କେହି ପରିଚିତ ଲୋକ ଘରକୁ ଆସିବା ପରେ ଏହି ଦମ୍ପତି ତାଙ୍କ ପାଇଁ ମ୍ୟାଗି ପ୍ରସ୍ତୁତ କରିବା ସହିତ ପାଣି ଦେଇଛନ୍ତି। ଏହି ସମୟରେ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି। ପରିଚିତ ଲୋକ ନଆସିଥିଲେ ସେମାନଙ୍କ ପାଇଁ ମ୍ୟାଗି ଓ ପିଇବା ପାଇଁ ପାଣି ଆଣି ଦେବା ଘଟଣାକୁ ପୁଲିସ ସନ୍ଦେହ କରିଥିଲା। ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହରେ ପୁଲିସ ଶ୍ରୀନାଥଙ୍କ ଦୁଇ ଭାଇ ଓ ପୁତୁରାଙ୍କ ‘ଲାଏ ଡିଟେକ୍ସନ୍‌ ଟେଷ୍ଟ’ କରିଥିଲା। ଏହା ସହିତ ସୁଧ କାରବାରକୁ ନେଇ ସ୍ଥାନୀୟ କେହି ବ୍ୟକ୍ତି ଏଭଳି କାଣ୍ଡ ଘଟାଇଥିବା ବି ପୁଲିସ ସନ୍ଦେହ କରିଥିଲା। ସେଥିପାଇଁ ସ୍ଥାନୀୟ ବାସିନ୍ଦାଙ୍କର ବି ‘ଲାଏ ଡିଟେକ୍ସନ୍‌ ଟେଷ୍ଟ’ କରାଯାଇଥିଲା। ହତ୍ୟାକାଣ୍ଡର ପ୍ରାୟ ଏକମାସ ପୂର୍ବରୁ ଏହି ଦମ୍ପତିଙ୍କ ଘରେ ଭଡ଼ାରେ ରହୁଥିବା ବ୍ରହ୍ମପୁରର କିଛି ଲୋକ ଘର ଛାଡ଼ିଥିଲେ। ପୁଲିସ ତାଙ୍କୁ ବି ଥାନାକୁ ଆଣି ପଚରାଉଚରା କରିଥିଲା। ସେମାନଙ୍କର ଏହି ହତ୍ୟାକାଣ୍ଡ ସହିତ କୌଣସି ସମ୍ପୃକ୍ତି ନଥିବା ଜଣାପଡ଼ିଥିଲା। ଦୁଇ ବର୍ଷ ପୂରିବାକୁ ବସିଥିବା ବେଳେ ଆସନ୍ତା ୧୨ ତାରିଖରେ ବରିଷ୍ଠ ନାଗରିକ ମହାସଭା ବୃଦ୍ଧ ଦମ୍ପତିଙ୍କ ହତ୍ୟା ମାମଲାରେ ପୁଲିସ ଡିଜିଙ୍କୁ ଭେଟି ଆଲୋଚନା କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe