ସିଏମ୍‌ସିର ଜନ୍ମମୃତ୍ୟୁ ପଞ୍ଜୀକରଣରେ ଅବ୍ୟବସ୍ଥା

ମୋବାଇଲ୍‌କୁ ଆସୁନି ଓଟିପି, ସିକ୍ୟୁରିଟି କୋଡ୍‌

ସିଏମ୍‌ସିର ଜନ୍ମମୃତ୍ୟୁ ପଞ୍ଜୀକରଣରେ ଅବ୍ୟବସ୍ଥା

କଟକ: କରୋନା ସଂକ୍ରମଣ ପାଇଁ ସିଏମ୍‌ସିକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ଲୋକଙ୍କୁ ଅନ୍‌ଲାଇନ୍‌ରେ ଜନ୍ମମୃତ୍ୟୁ ପ୍ରମାଣପତ୍ର ଆବେଦନରୁ ଆରମ୍ଭ କରି ପ୍ରମାଣପତ୍ର ଗହଣ କରିବାକୁ ନିଗମ ତରଫରୁ କୁହାଯାଇଛି। ମାତ୍ର ସିଏମ୍‌ସିର ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ଏବେ ବାଟ ହୁଡିଛି। ଅନ୍‌ଲାଇନ୍‌ ଆବେଦନ, ଟଙ୍କା ପୈଠ, ପ୍ରମାଣପତ୍ର ପାଇବା ପାଇଁ ଆବେଦନକାରୀଙ୍କ ମୋବାଇଲକୁ ଓଟିପି କିମ୍ବା ସିକ୍ୟୁରିଟି କୋଡ୍‌ ଯାଉ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅନ୍‌ଲାଇନ୍‌ରେ କାମ ହେଉ ନଥିବାରୁ ଲକ୍‌ଡାଉନ୍‌ରେ ଲୋକେ ନାନା ସମସ୍ୟା ଦେଇ କାର୍ଯ୍ୟାଳୟରେ ପହଞ୍ଚୁଥିଲେ ବି କାଉଣ୍ଟର୍‌ ବନ୍ଦ ଥିବାରୁ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛୁ। ସିଏମ୍‌ସ ପକ୍ଷରୁ ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ତୁରନ୍ତ ବ୍ୟବସ୍ଥିତ କରିବାକୁ ସାଧାରଣରେ ଦାବି ହୋଇଛି।

ମହାନଗର ନିଗମରେ ଚଳିତବର୍ଷ ଜାନୁଆରି ୧୬ରୁ ଅନ୍‌ଲାଇନ୍‌ରେ ଜନ୍ମମୃତ୍ୟୁ ପ୍ରମାଣପତ୍ର ଆବେଦନରୁ ସାଟିଫିକେଟ ପାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଲୋକେ ଘରେ ବସି ଅନ୍‌ଲାଇନ୍‌ରେ ପ୍ରମାଣପତ୍ର ପାଇଁ ଆବେଦନ କରିବା ସହିତ ସାର୍ଟିଫିକେଟ୍‌ ପାଇପାରିବା ବୋଲି ନିଗମ ପକ୍ଷରୁ କୁହାଯାଇଥିଲା। ଏଥିପାଇଁ ମହାନଗର ନିଗମ ତରଫରୁ ଟିସିଏସ୍‌ କମ୍ପାନି ଦ୍ବାରା ଇ-ମ୍ୟୁନିସିପାଲ୍‌ ମାଧ୍ୟମରେ ନିଗମର ଜନ୍ମମୃତ୍ୟୁ ବିଭାଗକୁ ଡିଜିଟାଇଜେସନ୍‌ କରାଯାଇଥିଲା। ଆବେଦନ କରିବା ଓ ପ୍ରମାଣପତ୍ର ପାଇବା ପାଇଁ ମୋବାଇଲ୍‌ ଓଟିପିର ବ୍ୟବସ୍ଥା ସହିତ ଅନ୍‌ଲାଇନ୍ ପେମେଣ୍ଟର ବ୍ୟବସ୍ଥା ମଧ୍ୟ କରାଗଲା। ପ୍ରଥମ କିଛି ଦିନ ସବୁକିଛି ଠିକ୍‌ ଠାକ୍‌ ଚାଲିଲା। ହେଲେ ‌ଏବେ ଅନ୍‌ଲାଇନ୍‌ ଆବେଦନ ହେଉ କି’ ପ୍ରମାଣପତ୍ର ନେବାର ଓଟିପି କିମ୍ବା ସିକ୍ୟୁରିଟି କୋଡ୍ ଲୋକଙ୍କ ପାଖକୁ ଯାଉ ନାହିଁ। ଏପରି ସ୍ଥଳରେ ଅନ୍‌ଲାଇନ୍‌ ଆବେଦନ ଉପରେ ଲୋକଙ୍କ ଆସ୍ଥା ଉଠିଯାଇଛି। ଅନ୍‌ଲାଇନ୍‌ରେ ବିଭିନ୍ନ ସମସ୍ୟା ଦେଖାଯାଉଥିବା ବେଳେ ଏବେ ଅଫ୍‌ଲାଇନ୍‌‌ରେ ଆବେଦନକୁ ଲୋକେ ଭରସା କରୁଛନ୍ତି। ମାତ୍ର ସିଏମ୍‌ସି କାର୍ଯ୍ୟାଳୟକୁ ଏବେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ରୋକ୍‌ ଥିବାରୁ ନିଗମର କାଉଣ୍ଟର୍‌ ବନ୍ଦ ରହିଛି। ଲୋକେ ଜନ୍ମମୃତ୍ୟୁ ପଞ୍ଜୀକରଣ କରିବାକୁ ନିଗମକୁ ଆସୁଥିବାବେଳେ ଏବେ ନିରାଶ ହୋଇ ଫେରୁଛନ୍ତି। ସିଏମ୍‌ସିର ଅନ୍‌ଲାଇନ୍‌ ବ୍ୟବସ୍ଥାକୁ ଠିକ ଭାବେ କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe