ବଡ଼ମ୍ବାରେ ନାବାଳିକାକୁ ବଳି ଉଦ୍ୟମ

Advertisment

ତନ୍ତ୍ରସାଧନା ସ୍ଥଳରୁ ନାବାଳିକା ଉଦ୍ଧାର

ତନ୍ତ୍ରସାଧନା ସ୍ଥଳରୁ ନାବାଳିକା ଉଦ୍ଧାର

ବଡ଼ମ୍ବାରେ ନାବାଳିକାକୁ ବଳି ଉଦ୍ୟମ

ସାଧକ ସମେତ ୩ ସହଯୋଗୀ ଫେରାର, ମହିଳା ଗିରଫ

ବଡ଼ମ୍ବା : ଅଧ ରାତିରେ ଘରେ କଟାଯାଇଥିଲା କୁଣ୍ଡଳୀ। ୧୨ବର୍ଷୀୟା ନାବାଳିକାକୁ ବସାଯାଇ ଚାଲିଥିଲା ପୂଜାର୍ଚ୍ଚନା। ବାବାଙ୍କୁ ଡକାଇ ତନ୍ତ୍ର ସାଧନା ଚାଲିଥିବାବେଳେ ପରିବାର ଲୋକ ପହଞ୍ଚି ଉଦ୍ଧାର କରିଥିଲେ ନାବାଳିକାକୁ। ତାକୁ ବଳି ପକାଇବାକୁ ଏଭଳି ପୂଜାର୍ଚ୍ଚନା ଚାଲିଥିଲା ବୋଲି ନାବାଳିକାର ବୟାନ ଘଟଣାକୁ ଅଧିକ ରହସ୍ୟମୟ କରିବା ସହ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲାର ବଡ଼ମ୍ବା ବ୍ଲକ୍‌ରେ ।

ସୂଚନା ଅନୁଯାୟୀ କଚେରୀ ନିକଟସ୍ଥ ବେଲେଶ୍ୱରପଡ଼ାରେ ଅଧ ରାତିରେ ଏଭଳି ତନ୍ତ୍ରସାଧନା ସଂପର୍କରେ ବଡ଼ମ୍ବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରି ଜଣେ ମହିଳାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସେପଟେ ତନ୍ତ୍ରସାଧକ ବାବାଙ୍କ ସମେତ ତାଙ୍କ ୩ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ନାବାଳିକାର ବୟାନ ରେକର୍ଡ଼ କରିବା ସହ ଡାକ୍ତରୀ ମାଇନା କରିଛି ।

ଅଭିଯୋଗ ଅନୁଯାୟୀ ବଡ଼ମ୍ବା ବେଲେଶ୍ୱରପଡ଼ାର ରୁହନ୍ତି ଶିବ ପରିଡ଼ା, ସ୍ତ୍ରୀ କଳ୍ପନା ଓ ତାଙ୍କ ପରିବାର। କଳ୍ପନା ସୋମବାର ରାତି ପ୍ରାୟ ୧୧ଟା ପାଖାପାଖି ସମୟରେ ତାଙ୍କ ଘରଠାରୁ ଦୁଇ ଶହ ମିଟର ଦୂରରେ ରହୁଥିବା ସାହିର ରୁନୁବାଳା ବେହେରାଙ୍କ ଘରେ ପହଞ୍ଚି କବାଟ ବାଡ଼େଇ ଡ଼ାକିଥିଲେ। ସେ ଘରେ ଏକୁଟିିଆ ଅଛନ୍ତି, ଝିଅଙ୍କୁ ଛାଡ, ରାତିରେ ତାଙ୍କ ସହିତ ଘରେ ଶୋଇବ ବୋଲି କହିଥିଲେ। ତେବେ ବିଳମ୍ବିତ ରାତିିରେ ନାବାଳିକା ଝିଅକୁ ଛାଡ଼ିବାକୁ ଇଛା ନଥିଲେ ମଧ୍ୟ କଳ୍ପନାଙ୍କ ଅନୁରୋଧକୁ ଏଡାଇ ନପାରି ରୁନୁବାଳା ବିଶ୍ୱାସରେ ନିଜର ଝିଅକୁ ଛାଡ଼ିଥିଲେ । କିନ୍ତୁ ପରେ ମନ ନ ବୁଝିବାରୁ ଝିଅକୁ ଛାଡିବାର କିଛି ସମୟ ପରେ ରୁନୁବାଳା ଓ ତାଙ୍କ ପରିବାରର ଲୋକେ କଳ୍ପନାଙ୍କ ଘରେ ଯାଇ ପହଞ୍ଚିଥିଲେ। ହେଲେ ସେଠାରେ ପହଞ୍ଚିବାବେଳକୁ ଜଣେ ବାବାଙ୍କ (ତନ୍ତ୍ରସାଧକ) ଉପସ୍ଥିତିରେ ନିଜ ନାବାଳିକା କନ୍ୟାକୁ କଳ୍ପନାଙ୍କ ପରିବାର ଲୋକ ତନ୍ତ୍ର ସାଧନା ପାଇଁ ହୋମସ୍ଥଳରେ ବସାଇଥିବା ଦେଖିବାକୁ ପାଇଥିଲେ।

କୁଣ୍ଡଳୀ କଟାଯାଇ ୧୨ବର୍ଷର ନାବାଳିକାକୁ ବସାଇ ପୂଜାର୍ଚ୍ଚନା କରାଯାଉଥିଲା। ଏହା ଦେଖି ତାଙ୍କ ପରିବାର ଲୋକ ପାଟି କରିଥିଲେ। ଗ୍ରାମବାସୀଙ୍କୁ ଡାକି ଏକାଠି କରିଥିଲେ। ସେଠାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲେ। ହେଲେ ତାନ୍ତ୍ରିକ ବାବା ଓ ତାଙ୍କ ୩ ସହଯୋଗୀ ଖସି ପଳାଇଥିଲେ। ନାବାଳିକାଟିି ଏହି ରହସ୍ୟମୟ ଘଟଣାର ସମସ୍ତ କଥା ପରିବାର ଓ ସାହିବାସୀଙ୍କୁ କହିବା ପରେ ସାହିବାସୀଙ୍କ ସହିତ ଯାଇ ଘଟଣା ସଂପର୍କରେ ଲିଖିତଭାବେ ବଡ଼ମ୍ବା ଥାନାରେ ଜଣାଇଥିଲେ । ତନ୍ତ୍ରସାଧକ ତଥା ଘଟଣା ପଛରେ ସମସ୍ତ ତଥ୍ୟ ଜାଣିବାକୁ ପୁଲିସ ତନାଘନା କରୁଛି ବୋଲି ବଡ଼ମ୍ବା ଥାନା ଅଧିକାରୀ ରଣଜିତ ନାୟକ ସୂଚନା ଦେଇଛନ୍ତି । ତେବେ ବଳି ପାଇଁ ଏଭଳି କରାଯାଉଥିବା ସଂପର୍କରେ ବେଲେଶ୍ୱରପଡ଼ା ସାହି ବାସିନ୍ଦା ତଥା ପରିବାର ଲୋକେ ସନ୍ଦେହ ପ୍ରକାଶ କରୁଥିବାରୁ ଘଟଣାଟି ରହସ୍ୟମୟ ହୋଇପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe