ବକ୍ସ ଡ୍ରେନ୍ ଭେଳିକି; ୩୨୫ କୋଟିର ଅଟକଳ ଏବେ ୪୫୦ କୋଟି ୪୪ ଲକ୍ଷ

୮ ବର୍ଷରେ ସରିଲାନି; ଏବେ ୧୭ ମାସରେ ସାରିବାକୁ ଲକ୍ଷ୍ୟ

ବକ୍ସ ଡ୍ରେନ୍ ଭେଳିକି; ୩୨୫ କୋଟିର ଅଟକଳ ଏବେ ୪୫୦ କୋଟି ୪୪ ଲକ୍ଷ

Sambad

କଟକ: ସହର ମୁଖ୍ୟ ଡ୍ରେନକୁ ବକ୍ସ ଡ୍ରେନ‌େର ପରିଣତ କରିବାକୁ ସାନି ଟେଣ୍ଡର ଚୂଡାନ୍ତ ହୋଇଥିବା ବେଳେ ରାଜ୍ୟ ସରକାର ଏଥିପାଇଁ ୪୫୦ କୋଟି ୪୪ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ପ୍ରକଳ୍ପକୁ ୧୭ ମାସ ମଧ୍ୟରେ ଶେଷ କରିବାକୁ ସ୍ଥିର ହୋଇଛି। ମାତ୍ର ୨୦୧୨ରୁ ଆରମ୍ଭ ହୋଇଥିବା ୩ କିଲୋମିଟର ୪ଶହ ମିଟର ରାସ୍ତା କାମ ଏହା ମଧ୍ୟରେ କେବଳ ୬ଶହ ମିଟର ସମ୍ଭବ ହୋଇ ପାରିଛି। ୮ବର୍ଷ ତଥା ୯୬ ମାସରୁ ଅଧିକ ଦିନରେ ମାତ୍ର ୬ଶହ ମିଟର ବକ୍ସ ଡ୍ରେନ କାମ ହୋଇଥିବା ବେଳେ ଆସନ୍ତା ୧୭ ମାସରେ ସଂପୂର୍ଣ୍ଣ କାମ ଶେଷ ହେବ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଅନ୍ୟପଟେ ନୂଆ ସଂସ୍ଥା ସେହି ପୁରୁଣା କାମକୁ ତା’ର ଅଟକଳ ଭିତରେ ନେଇଛି, ନା ସଂପୂର୍ଣ୍ଣ ନୂଆ ଢଙ୍ଗରେ କରିବାକୁ ଯାଉଛି, ତାହା ବି ସ୍ପଷ୍ଟ ହୋଇନାହିଁ। ୨୦୧୨ରେ ବକ୍ସ ଡ୍ରେନକୁ ନେଇ ଏମିତି କିଛି ଯୋଜନା କରାଯାଇ ଓଡ଼ିଶା ଜଳଯୋଗାଣ ଓ ପରିମଳ ପରିଷଦ ଓ ଜାପାନ ଅନ୍ତର୍ଜାତୀୟ ସହଯୋଗ ସଂସ୍ଥା (ଜାଇକା) ସହାୟତାରେ ଏହା କରିବାକୁ ସ୍ଥିର ହୋଇଥିଲା। ୨୦୧୨ ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ୩ ବର୍ଷ ମଧ୍ୟରେ କାମ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା।

ଉକ୍ତ ପ୍ରକଳ୍ପ ସହିତ ଏମ୍‌ଏସ୍‌ଡବ୍ଲୁ ଡ୍ରେନ-୧ର ୧୨.୫ କିଲୋମିଟର ଓ ଡ୍ରେନର-୨ର ୫ କିଲୋମିଟର ସାଇଡ୍‌ ୱାଲ, ୫ଟି ପମ୍ପିଂ ହାଉସ୍‌ ଓ ବିଭିନ୍ନ ବିଏସ୍‌ଡବ୍ଲୁ ଡ୍ରେନର ୧୩.୫ କିଲୋମିଟର ସାଇଡ୍‌ୱାଲର ନିର୍ମାଣ ପାଇଁ ୬୬୦ କୋଟିର ବଜେଟ କରାଯାଇଥିଲା। ସେଥିମଧ୍ୟରୁ କେବଳ ୩.୪ କିଲୋମିଟର ବକ୍ସ ଡ୍ରେନ ପାଇଁ ୩୨୫ କୋଟି ଟଙ୍କାର ବ୍ୟୟ ଅଟକଳ ଥିଲା। ମାତ୍ର ଏହା ମଧ୍ୟରେ ୮ବର୍ଷରୁ ଅଧିକ ଦିନ ବିତି ଯାଇଥିଲେ ବି ପ୍ରକଳ୍ପର ୧୫ ପ୍ରତିଶତରୁ କମ କାମ ଶେଷ ହୋଇଛି। ସେତେବେଳେ ଦୁଇଟି ଭାଗରେ ଘରୋଇ କମ୍ପାନି ତାନ୍ତିଆ ଓ ଭୋଲଟାସ୍‌ ଦ୍ବାରା କାମ ଆରମ୍ଭ କରାଗଲା। ମାତ୍ର କାର୍ଯ୍ୟରେ ମାତ୍ରାଧିକ ମନ୍ଥରତା ଯୋଗୁଁ ଦୁଇଟି ସଂସ୍ଥା ହାତରୁ ୩ବର୍ଷ ତଳୁ କାମ କଢି ନିଆଗଲା। ପରେ କାମ ପାଇଁ ବିଭିନ୍ନ ସମୟରେ ଏକାଧିକ ବାର ଟେଣ୍ଡର ଡକାଯାଇଥିଲା। ହେଲେ କମ୍ପାନି ଗୁଡିକ ପ୍ରକଳ୍ପ ପାଇଁ ଅଧିକ ବ୍ୟୟବରାଦ ଦେଖାଇବାରୁ ସେଗୁଡିକ ବାତିଲ ହୋଇଯାଇଥିଲା। ତେବେ ଗତବର୍ଷ ଶେଷ ଆଡକୁ ଆଉଥରେ ସାନି ଟେଣ୍ଡର ହୋଇଥିଲା ଓ ଏଥିରେ ରାଜ୍ୟ ବାହାରର ତିନିଟି ସଂସ୍ଥା ଭାଗ ନେଇଥିଲେ। ନାଳନ୍ଦା ଏସ୍‌ଏସ୍‌ଜି ଜେ ଭି. ପାଟନା ଘରୋଇ କମ୍ପାନି ଏବେ କାମ ନେଇଛି। ଆସନ୍ତା୧୭ ମାସ ମଧ୍ୟରେ ପ୍ରକଳ୍ପ କାମ ଶେଷ କରିବାକୁ ଯୋଜନା ହୋଇଛି। ତେବେ ଗତ ୮ ବର୍ଷରୁ ଅଧିକ ଦିନ ମଧ୍ୟରେ ମାତ୍ର ୧୫ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ଆସନ୍ତା ୧୭ ମାସରେ କିପରି ୮୫ ପ୍ରତିଶତ କାମ ଶେଷ ହେବ ତାହାକୁ ନେଇ ସହରବାସୀଙ୍କ ମନରେ ଆଶଙ୍କା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe