ମହଙ୍ଗା ପଡ଼ିଲା ଲୁଚାଛପାରେ ବାହା‌ଘର : ୯ ଜଣଙ୍କ ନାମରେ ମାମଲା; ଗାଡ଼ି ଜବତ

Advertisment
ମହଙ୍ଗା ପଡ଼ିଲା ଲୁଚାଛପାରେ ବାହା‌ଘର : ୯ ଜଣଙ୍କ ନାମରେ ମାମଲା; ଗାଡ଼ି ଜବତ

ମାହାଙ୍ଗା : ଡାକ୍ତରଖାନା ଯିବା ପାଇଁ ମିଛ ବାହାନା କରି ଗାଡ଼ି ଯିବାର ଅନୁମତି ଆଣିଛନ୍ତି। ଆଉ ସେଥିରେ ବରକୁ ନେଇ ବାହାଘର ପାଇଁ ଯାଇଥିଲେ। କରୋନା କଟକଣାକୁ ଏଭଳି ଢଙ୍ଗରେ ଫାଙ୍କି ବାହାଘର ଆୟୋଜନ କରିବା ମହଙ୍ଗା ପଡିଛି। ପୁଲିସ ଘଟଣାସ୍ଥଳରେ ଚଢାଉ କରି ୯ ଜଣଙ୍କ ନାମରେ ମାମଲା ରୁଜୁ କରିବା ସହିତ ଗାଡିକୁ ଜବତ କରିଛି। କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଆଜି ଘଟିଥିବା ଏଭଳି ଏକ ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି।

ମାହାଙ୍ଗା ଥାନା ଭଦ୍ରେଶ୍ବର ଫାଣ୍ଡି ଅଧୀନ ନାହାଙ୍ଗ ପଞ୍ଚାୟତ ବାଲିପଡ଼ାସ୍ଥିତ ଏକ ମସଜିଦରେ ସେହି ଗ୍ରାମର ଶେଖ୍‌ ଅବ୍‌ଦୁଲ୍‌ ଫଇଜୁଲ୍ଲାଙ୍କ ଝିଅଙ୍କୁ ବିବାହ କରିବା ପାଇଁ ବୁଧବାର ବିଳମ୍ବିତ ରାତିରେ ଢେଙ୍କାନାଳ ଟାଉନ ଥାନା ଅଞ୍ଚଳର ଇବ୍ରାହିମ୍‌ ଖାଁଙ୍କ ପୁଅ ଅକତାର ଖାଁ ଆସିଥିଲେ। ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଏ ସଂପର୍କରେ ଖବର ପାଇ ଭଦ୍ରେଶ୍ବର ଫାଣ୍ଡି ଅଧିକାରୀ ତପନ ନାୟକ ଘଟଣାସ୍ଥଳରେ ପହଞ୍ଚିବା ପରେ ଉପସ୍ଥିତ ଲୋକମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ବର ଓ କନ୍ୟାଙ୍କ ପରିବାର ସମେତ ବିବାହ କରିବାକୁ ଆସିଥିବା କେନ୍ଦ୍ରାପଡ଼ା ଅଞ୍ଚଳର ମୌଲବୀ ମହରୁଫ୍‌ ହବିବ, ବରଗାଡ଼ି ଡ୍ରାଇଭରଙ୍କ ସମେତ ୯ଜଣଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖିଥିଲା। ତଦନ୍ତ ସମୟରେ ଜବତ ବରଗାଡ଼ି (ଓଡି୦୨ଏଡବ୍ଲ୍ୟୁ ୨୮୮୦) ଜାଲ୍‌ ଅନୁମତି ନେଇ ଆସିଥିବା ଦେଖିବାକୁ ମିଳିଥିଲା। ଢେଙ୍କାନାଳ ଟାଉନ ଥାନା କାରିଗର ସାହିର ଆକବର ଖାଁଙ୍କ ଉକ୍ତ କାର୍‌ରେ ତାଙ୍କ ଅସୁସ୍ଥ ମା'ଙ୍କୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ଚିକିତ୍ସା ନିମନ୍ତେ ଆଣିବା ପାଇଁ ଢେଙ୍କାନାଳ ଟାଉନ ଥାନାରୁ ଗତ ବୁଧବାର ଅନୁମତି ମିଳିଥିବା ସୂଚନା ମିଳିଥିଲା।

ଏ ନେଇ ମାହାଙ୍ଗା ଥାନାରେ ଏକ ମାମଲା (କେସ ନଂ-୭୫/୨୦) ରୁଜୁ କରାଯାଇ ବର ଓ କନ୍ୟାଙ୍କ ପରିବାରକୁ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ା ଯାଇଥିବା ବେଳେ ମୌଲାନା ଓ ଗାଡ଼ି ଚାଳକ ଥାନାରେ ଅଟକ ଥିବା ଜଣାଯାଇଛି। ଏ ସଂପର୍କରେ ଥାନା ଆଇଆଇସି ରଞ୍ଜନ କୁମାର ପ୍ରଧାନ କହିଛନ୍ତି ଯେ, କରୋନା ପାଇଁ କୋର୍ଟ ବନ୍ଦ ଥିବାରୁ କେବଳ ମାମଲା ରୁଜୁ କରି ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ଛାଡି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe