ଉଚ୍ଚଶିକ୍ଷା ଅନୁଷ୍ଠାନର ଅସ୍ଥାୟୀ ସ୍ବୀକୃତି ଅବଧି ବର୍ଷେ ବୃଦ୍ଧି କରାଯାଉ, ହାଇକୋର୍ଟରେ ଜନସ୍ବାର୍ଥ ମାମଲା

Advertisment
‌ସଚିବାଳୟରେ କାର୍ଯ୍ୟରତ ଡେସ୍କ ଅଫିସରଙ୍କ ଗ୍ରେଡେସନ ତାଲିକାକୁ ନେଇ ବିବାଦ : ନିଷ୍ପତ୍ତି ନେବାକୁ ଗୃହ ସଚିବଙ୍କୁ ନିର୍ଦ୍ଦେଶ

Odisha Bytes

କଟକ: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖା ଦେଇଥିବା ପରିସ୍ଥିତିରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ପ୍ରଦାନ କରାଯାଇଥିବା ସ୍ବୀକୃତି (ରେକଗ୍‌ନିସନ୍) ଅବଧି ଅତି କମ୍‌ରେ ଏକ ବର୍ଷ ପାଇଁ ବୃଦ୍ଧି ଆବେଦନରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ, ରାଜ୍ୟରେ ଏପରି ବହୁ ଶିକ୍ଷାନୁଷ୍ଠାନ ରହିଛି ଯେଉଁ ଗୁଡିକ ସର୍ତ୍ତମୂଳକ ଅସ୍ଥାୟୀ ସ୍ବୀକୃତିରେ ଚାଲିଛନ୍ତି। ଗୋଟିଏ ସ୍ଥାନରେ ନିୟମିତ ଶିକ୍ଷା ଗ୍ରହଣ କରିବା ସହିତ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତ ହେବା ପାଇଁ ଛାତ୍ରଛାତ୍ରୀ ସୁବିଧା ପାଉଥିବାରୁ ଏଭଳି ଘରୋଇ ଶିକ୍ଷାନୁଷ୍ଠାନକୁ ପସନ୍ଦ କରାଯାଉଛି। ଏଥିମଧ୍ୟରୁ ଅଧିକଂଶ ଆବାସିକ ଶିକ୍ଷାନୁଷ୍ଠାନ। ସ୍ଥାୟୀ ସ୍ବୀକୃତି ପାଇଁ ସରକାରୀ ନିୟମ ଅନୁସାରେ ଭିତ୍ତିଭୂମି ଓ ଅନ୍ୟାନ୍ୟ ସର୍ତ୍ତ ପୂରଣ କରିବାକୁ ଆବଶ୍ୟକ ଥିବାବେଳେ ବହୁ ଶିକ୍ଷାନୁଷ୍ଠାନ କେତେକ ସର୍ତ୍ତ ପୂରଣ କରି ଅନ୍ୟ ସର୍ତ୍ତ ଭବିଷ୍ୟତରେ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇ ଅସ୍ଥାୟୀ ସ୍ବୀକୃତି ପାଇ ଚାଲିଛନ୍ତି। ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ନିଜ ଖର୍ଚ୍ଚ ତୁଲାଇବା ପାଇଁ ଛାତ୍ରଛାତ୍ରୀଙ୍କ ଟିଉସନ୍ ଫି ଉପରେ ନିର୍ଭର କରୁଥିବା ବେଳେ ଏବେ ଏ ବାବଦ ଅର୍ଥ ଆଦାୟ ହୋଇ ପାରୁନାହିଁ। କିନ୍ତୁ ଶିକ୍ଷାନୁଷ୍ଠାନର ଅଧ୍ୟାପକଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ କର୍ମଚାରୀ, ୱାର୍ଡେନ୍, ପିଅନ, ସଫେଇ କର୍ମଚାରୀ, ରୋଷେୟା ଓ ଅନ୍ୟ କର୍ମଚାରୀଙ୍କୁ ଦରମା ଦିଆଯାଉଛି। ଏଭଳି ପରିସ୍ଥିତି ଲାଗି ରହିଥିବା ବେଳେ ୨୦୨୦, ଜୁଲାଇ ୨୮ରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଆଦେଶନାମା ଜାରି କରି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକର ସରଜମିନ୍ ସ୍ଥିତି ଅନୁଧ୍ୟାନ (ସ୍ପଟ୍ ଭେରିଫିକେସନ୍) ପାଇଁ ଆଦେଶ ଦେଇଥିଲେ।

ସ୍ବୀକୃତି ଅବଧି ବୃଦ୍ଧି ପ୍ରସଂଗକୁ ନେଇ ଶିକ୍ଷାନୁଷ୍ଠାନ ସର୍ତ୍ତପୂରଣ ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛି ତାହା ଅନୁଧ୍ୟାନ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କୁ କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଏଭଳି କରାଯିବା ସମ୍ଭବ ନଥିବାରୁ ଏହି ଶିକ୍ଷା ବର୍ଷ ପାଇଁ ପୂର୍ବ ବର୍ଷ ସ୍ଥିତି ଆଧାରରେ ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନର ସ୍ବୀକୃତି ଅବଧି ବୃଦ୍ଧି କରିବା ସହିତ କୋଭିଡ-୧୯କୁ ଦେଖି ଏଥି ପାଇଁ ସରକାର ସ୍ପଷ୍ଟ ନିୟମାବଳୀ ଜାରି କରିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏହା ଦ୍ବାରା ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ର ପ୍ରଭାବିତ ହେବ ନାହିଁ ଓ ଘରୋଇ ଅନୁଷ୍ଠାନର କର୍ମଚାରୀ ମଧ୍ୟ ଚାକିରି ହରାଇବା ଆଶଙ୍କା ଦୂର ହେବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ସଚିବ, ନିର୍ଦ୍ଦେଶକ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe