ଅବାଧରେ ବୁଲୁଛନ୍ତି ଅମାନିଆ; ସହର ଜଗୁଛନ୍ତି ୧୭ ପ୍ଲାଟୁନ ପୁଲିସ, ପଇଁତରା ମାରୁଛି ୪୦ ପିସିଆର

Advertisment
ଅବାଧରେ ବୁଲୁଛନ୍ତି ଅମାନିଆ; ସହର ଜଗୁଛନ୍ତି ୧୭ ପ୍ଲାଟୁନ ପୁଲିସ, ପଇଁତରା ମାରୁଛି ୪୦ ପିସିଆର

Sambad

କଟକ: କଟକ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ବି ଉଦବେଗଜନକ। ରାଜ୍ୟ କରୋନା ଗ୍ରାଫରେ କଟକ ସବୁବେଳେ ଆଗ‌ରେ ରହି ଆସୁଛି। କଟକ ଜିଲ୍ଲା ସମେତ, କଟକ ସହରରେ ପଜିଟିଭ ସଂଖ୍ୟା ମଧ୍ୟ ରାଜ୍ୟରେ ଶୀର୍ଷରେ ରହୁଛି। ତେବେ ବିଶେଷଜ୍ଞ ଡାକ୍ତର, ସମାଜିକ କର୍ମୀ ଏଥିପାଇଁ ଏଥରର ଢିଲା ସୁରକ୍ଷା ଓ ଖୋଲାଫାଙ୍କା ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ଅମାନିଆଙ୍କୁ ନିୟନ୍ତ୍ରଣ କରାଯାଉ ନଥିବାରୁ ସଂକ୍ରମଣ ଆଶାନୁରୂପ ଢଙ୍ଗରେ ହ୍ରାସ ପାଉ ନଥିବା କୁହାଯାଉଛି। ୨୦୨୦ର ଲକଡାଉନ ବା ସଟଡାଉନ ଭଳି ଏଥର କଟକଣା କଡାକଡି କରାଯାଉନାହିଁ। ରାସ୍ତାରେ ଛକ‌ରେ ଯାଞ୍ଚ କରା‌ଯାଉ ନାହିଁ। ଜଣେ ବ୍ୟକ୍ତି ଲକଡ‌ାଉନ ଓ ସଟଡା‌ଉନ ସତ୍ତ୍ବେ ଅବାଧରେ ନିଜର ଲକ୍ଷ୍ୟସ୍ଥଳକୁ ବିନା କାରଣ ଦର୍ଶାଇ ଯାଇପାରୁଛି। ଦାୟିତ୍ବ‌ରେ ଥିବା ପୁଲିସ କର୍ମଚାରୀ ସେମାନଙ୍କୁ ଯାଞ୍ଚ ମଧ୍ୟ କରୁନ‌ାହାନ୍ତି। ଅନ୍ୟପକ୍ଷରେ ମାର୍କେଟରେ ଚଢଉ ବେଳେ ପୁଲିସ କେବଳ ଜରିମାନା ଆଦାୟକୁ ଗୁରୁତ୍ବ ଦେଉଥିବା ବେଳେ ଲୋକେ କିଭଳି ଭିଡ ନକରିବେ, ସାମାଜିକ ଦୂରତା ବଜାୟ ରହିବ ସେଥିପ୍ରତି ଯତ୍ନବାନ ହେଉ ନାହାନ୍ତି।

ଜାତୀୟ ରାଜପଥ, ସହରର ପ୍ରମୁଖ ସଂଯୋଗ ରାସ୍ତାର ଯାଞ୍ଚ ମଧ୍ୟ କରାଯାଉନାହିଁ। ସାହି ଗଳିକନ୍ଦିରେ ପୂର୍ବଭଳି ଭିଡ ଲାଗି ରହୁଛି। ମିଳିଥିବା ତଥ୍ୟ ମୁତାବକ, କଟକ ସହରରେ ବା କମିସନରେଟ ପୁଲିସ ଅଧୀନରେ ଆସୁଥିବା ଅଞ୍ଚଳ‌ରେ ଲକଡାଉନ ଓ ସଟଡାଉନ କଟକଣାକୁ କଡାକଡି କରିବାକୁ ୧୭ ପ୍ଲାଟୁନ ପୁଲିସ ଫୋର୍ସ ବିଭିନ୍ନ ଚେକ୍ ପଏଣ୍ଟରେ ମୁତୟନ କରାଯାଇଛି। ସହରର ମୁଖ୍ୟ ରାସ୍ତା ବଜାରରେ ପଇଁତରା ମାରିବା ଓ ଆମାନିଆଙ୍କୁ ସାବାଡ କରିବାକୁ କମିସନରେଟ ପୁଲିସ ପକ୍ଷରୁ ୪୦ଟି ପିସିଆର ଗା‌ଡି ନିୟୋଜିତ ହୋଇଛି। ୫୦ରୁ ଅଧିକ ଅଧିକାରୀ ମଧ୍ୟ ନି‌ୟୋଜିତ ରହିଛନ୍ତି। ମାତ୍ର ଗତବର୍ଷ ଭଳି ଏଥର କଟକଣା କଡାକଡି ହେଉନଥିବା ଅଭିଯୋଗ ହୋଇଛି। ବିଶେଷକରି ସକା‌ଳ ୭ଟାରୁ ୧୧ଟା ‌ଯେଉଁ ପାଞ୍ଚ ଦିନ କୋହଳ କରାଯାଇଛି ସେ ଦିନମାନଙ୍କରେ ବଜାରରେ ସାହାଣ ମେଲା ‌ହୋଇଛି। ପୁଲିସ ସତର୍କତା ଅବଲମ୍ବନ ନ କ‌ଲେ କଟକଣା କଡାକଡି ନ କଲେ କଟକ ସହରରୁ ସଂକ୍ରମଣ ରୋକିବା ସହଜ ହେ‌ବ ନାହିଁ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe