ନେହରୁପଲ୍ଲୀ ନିକଟରେ ଅଭାବନୀୟ ଦୃଶ୍ୟ

ବିପଦରେ ଅପପୁଷ୍ଟିର ଶିକାର ଶିଶୁଙ୍କ ଜୀବନ

ନେହରୁପଲ୍ଲୀ ନିକଟରେ ଅଭାବନୀୟ ଦୃଶ୍ୟ

Sambad

କଟକ: ନୂଆବଜାର ନେହେରୁ ପଲ୍ଲୀ ନିକଟରେ ଏକ ଆଦିବାସୀ ପରିବାରର ଦୟନୀୟ ସ୍ଥିତି ଏବେ ଉଦବେଗର କାରଣ ହୋଇଛି। ଔଷଧ ଓ ଖାଦ୍ୟ ଖାଇବାକୁ ନପାଇ ଟିବି ରୋଗରେ ମା’ ଆଖି ବୁଜିଥିବା ବେଳେ ଏବେ ତିନି ଶିଶୁ ଖାଇବା ପାଇଁ ଡହଳବିକଳ ହେଉଛନ୍ତି। ଦିନ ମଜୁରିଆ ବାପା କାମ ଯାଇ ନ ପାରିଲେ ଘରେ ଚୁଲି ବି ଜଳୁନି। ପରିସ୍ଥିତି ଏଭଳି ହୋଇଛି ଯେ ଏହି ଶିଶୁମାନେ ଘର ପାଖ ଖାଲରେ ଜମା ହୋଇଥିବା ବର୍ଷା ଜୀବନ ବିକଳରେ ପିଇ ଦେଉଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ତେନ୍ତୁଲିର ରାଜେଶ ବିରୁଆ ତାଙ୍କ ପତ୍ନୀ ଲକ୍ଷ୍ମୀ ବିରୁଆଙ୍କ ସମେତ ଦୁଇ ଝିଅ, ଗୋଟିଏ ପୁଅ ଓ ବୃଦ୍ଧ ବାପା ମା’ଙ୍କୁ ଧରି ନେହେରୁ ପଲ୍ଲୀ କାଳିଆ ଗୋଲା ପଛପଟେ ଜରିପାଲ ତଳେ ରୁହନ୍ତି। ଟିବି ରୋଗରେ ଆକ୍ରାନ୍ତ ଲକ୍ଷ୍ମୀ ଗଲା ୧୩ ଦିନ ତଳେ ସବୁ ଦିନ ପାଇଁ ଆଖି ବୁଜିଦେଲେ। ରାଜେଶ ଦିନ ମଜୁରିଆ କାମ କରି ୬ ଜଣଙ୍କ ପେଟ ପୋଷୁଛନ୍ତି। ଯେଉଁଦିନ କାମ ନମିଳୁଛି ସେଦିନ ଭୋକ ଉପାସରେ ଦିନ କଟୁଛି। ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ଆଧାର କାର୍ଡ, ଭୋଟର୍ କାର୍ଡ କିମ୍ବା ରାସନ୍ କାର୍ଡ ଖଣ୍ଡେ ବି ନାହିଁ। ବୃଦ୍ଧ ବାପା ମା’ ବାର୍ଦ୍ଧକ୍ୟ ଭତ୍ତାରୁ ବି ବଞ୍ଚିତ ହୋଇଛନ୍ତି। ଏଭଳି ଅଭାବ ଅସୁବିଧାରେ ଚଳୁଥିବା ରାଜେଶଙ୍କ ୬ ମାସର ସାନ ଝିଅ ପୂଜା, ୩ ବର୍ଷର ମଝିଆ ଝିଅ ଲିଜା, ୫ ବର୍ଷର ବଡ଼ ପୁଅ ରବି ଖାଇବାକୁ ନପାଇ ନେହେରୁ ପଲ୍ଲୀ ପଡ଼ିଆରେ ବୁଧବାର ଗଡ଼ୁଥିବା ଦେଖିବାକୁ ମିଳିଥିଲା।

ସ୍ଥାନୀୟ ଅଞ୍ଚଳର ତିନି ଜଣ ଛାତ୍ର ଆୟୁଷ୍ମାନ ଷଢ଼ଙ୍ଗୀ, ଶ୍ରୀତମ ମହାପାତ୍ର, ପ୍ରଭାସ ନାୟକ ଏହି ଶିଶୁଙ୍କୁ ଦେଖିବାକୁ ପାଇଥିଲେ। ପଡ଼ିଆ ନିକଟରେ ଏକ ଖାଲରେ ଜମିଥିବା ବର୍ଷା ପାଣିକୁ ଭାଇ ଭଉଣୀ ପିଉଥିବାକୁ ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ପ୍ରଥମେ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ। ଚାଇଲ୍ଡ ଲାଇନ୍ ପକ୍ଷରୁ ସାନ ଝିଅକୁ ଉଦ୍ଧାର କରି ବସୁନ୍ଧରାରେ ଥଇଥାନ କରାଯାଇଛି। ଉପର ଦୁଇ ଭାଇ ଭଉଣୀଙ୍କୁ ଗୁରୁବାର ସୁଦ୍ଧା ସିଡବ୍ଲୁସିରେ ହାଜର କରିବାକୁ ଅଧ୍ୟାକ୍ଷା ମନ୍ଦାକିନୀ ଜେମା, ଅମୀୟ ଭୂଷଣ ବିଶ୍ବାଳ, ଶ୍ରୀକାନ୍ତ ମହାନ୍ତି ପ୍ରମୁଖ ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନି ଭାଇ ଭଉଣୀ ସିଭିଅରଲି ଆକ୍ୟୁଟ ମାଲ୍ ନ୍ୟୁଟ୍ରେସନ୍(ସାମ୍) ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆବଶ୍ୟକ ଅନୁଯାୟୀ ଖାଦ୍ୟ ଅଭାବ ଯୋଗୁଁ ଏହି ଶିଶୁଙ୍କ କ୍ଷେତ୍ରରେ ଏଭଳି ରୋଗ ଦେଖା ଦେଇଥାଏ। ଏହି ପରିବାରକୁ ଉପଯୁକ୍ତ ସରକାରୀ ସୁବିଧା ଯୋଗାଇ ନଦେଲେ ଅକାଳରେ ସମସ୍ତଙ୍କ ଜୀବନ ଚାଲିଯିବାର ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe