ଚୌଦ୍ବାର କଲେଜ ଅଧ୍ୟକ୍ଷ ବିବାଦ; ତିନିମାସ ହେବ ଦରମା ପାଉନାହାନ୍ତି କର୍ମଚାରୀ

Advertisment
ଚୌଦ୍ବାର କଲେଜ ଅଧ୍ୟକ୍ଷ ବିବାଦ; ତିନିମାସ ହେବ ଦରମା  ପାଉନାହାନ୍ତି କର୍ମଚାରୀ

Sambad

କଟକ: ଚୌଦ୍ବାର କଲେଜ ଅଧ୍ୟକ୍ଷଙ୍କୁ ମିଳୁନି ଆର୍ଥିକ କ୍ଷମତା। ଫଳରେ ତିନିମାସ ହେବ ଦରମା ପାଉ ନାହାନ୍ତି କର୍ମଚାରୀ। ଯାହାକୁ ନେଇ କର୍ମଚାରୀ ମହଲରେ ଅସ‌ନ୍ତୋଷ ବୃଦ୍ଧି ପାଉଛି। ଏହି ପଦପାଇଁ ବରିଷ୍ଠତା ଭିତ୍ତିରେ ଜଣେ ଅଧ୍ୟାପକଙ୍କୁ କଲେଜ ପରିଚଳାନା କମିଟି ସଭାପତି ଦାୟିତ୍ବ ଦେଇଥିବାବେଳେ ଅନ୍ୟ ଜଣେ ଆଶାୟୀ ଥିବା ଓ ସେ ମଧ୍ୟ ବରିଷ୍ଠ ବୋଲି ଦର୍ଶାଇ ସାନି ଆବେଦନ କରିଥିବାରୁ ଏହି ପ୍ରକ୍ରିୟା ଝୁଲିରହିଛି। ଫଳରେ କଲେଜ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ବାଦବିବାଦ ଓ ଟଣାଓଟରା ମଧ୍ୟରେ ହନ୍ତସନ୍ତ ହେଉଛନ୍ତି କର୍ମଚାରୀ।
ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ମାସରେ ଚୌଦ୍ବାର କଲେଜର ଅଧ୍ୟକ୍ଷା ସବିତା କର ଅବସର ଗ୍ରହଣ କରିବା ପରେ ପରିଚାଳନା କମିଟିର ସଭାପତି ତଥା କଟକ ସଦର ଉପ-ଜିଲ୍ଲାପାଳଙ୍କ ତରଫରୁ ପ୍ରାଧ୍ୟାପକ ଶରତ କୁମାର ମଲ୍ଲିକଙ୍କୁ ଅସ୍ଥାୟୀ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।

କିନ୍ତୁ ନିଯୁକ୍ତି ପାଇବାର ତିନିମାସ ପରେ ବି ତାଙ୍କୁ ଆର୍ଥିକ କ୍ଷମତା ମିଳି ନାହିଁ। ଯାହା ଫଳରେ କଲେଜରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କର୍ମଚାରୀମାନେ ଦରମା ନ ପାଇ ହନ୍ତସନ୍ତ ହେଉଛନ୍ତି। ଜନୈକ ପ୍ରାଧ୍ୟାପକ ଏକ ଲମ୍ବା ଫର୍ଦ୍ଦର ଅଭିଯୋଗ କରି ନିଜେ ଅଧ୍ୟକ୍ଷ ହେବାକୁ ଅଡି ବସିଥିବାରୁ ଏସବୁ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି। ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅଧ୍ୟକ୍ଷ ନିଯୁକ୍ତି ସଂକ୍ରାନ୍ତୀୟ ଅଗଷ୍ଟ ୩୦ରେ ପ୍ରକାଶ ପାଇଥିବା ମାର୍ଗଦର୍ଶିକାକୁ ସେ ଖୋଲାଖୋଲି ବିରୋଧ କରୁଛନ୍ତି। କଲେଜ ପରିଚାଳନା କମିଟିର ସଭାପତି ତଥା ଉପ-ଜିଲ୍ଲାପାଳଙ୍କ ପ୍ରସ୍ତାବଟି କାର୍ଯ୍ୟକାରୀ ନ ହେବା ପଛରେ କଲେଜରେ ଅସ୍ଥିରତା ସୃଷ୍ଟି କରୁଥିବା କିଛି ଦୁର୍ନୀତିଗ୍ରସ୍ତ କର୍ମଚାରୀ ହିଁ ଦାୟୀ ବୋଲି ଚର୍ଚ୍ଚା ହେଉଛି।
ମିଳିଥିବା‌ ତଥ୍ୟ ମୁତାବକ, ଅଧ୍ୟକ୍ଷା କାର୍ଯ୍ୟରୁ ଅବସର ନେବା ପରେ ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ବରିଷ୍ଠତା ଆଧାରରେ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେହି ତାଲିକାଟି ପରିଚାଳନା କମିଟିର ସଭାପତିଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଇଥିଲା। ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିବା ଅଧ୍ୟାପକ କିନ୍ତୁ ଏଥିରେ ଦସ୍ତଖତ ଦେଲେ ନାହିଁ। ପ୍ରଶାସନକୁ ଆକ୍ଷେପ କରି ପତ୍ର ଲେଖିଲେ।

ପରିଚାଳନା କମିଟିର ସଭାପତି କଟକ ଉପଜିଲ୍ଲାପାଳ ତାଙ୍କୁ ନିଜ ପ୍ରକୋଷ୍ଠକୁ ଡାକି ତାଙ୍କ ଅଭିଯୋଗର ଏକ ଶୁଣାଣି କରିବା ପରେ ପ୍ରସ୍ତାବଟି ଉଚ୍ଚଶିକ୍ଷା ବିଭାଗର ଅନୁମୋଦନ ପାଇଁ ପଠାଯାଇଥିଲା। ଆଶାୟୀ ଅଧ୍ୟାପକ ତାଙ୍କ ଅଭିଯୋଗପତ୍ରରେ ଏକ ସାନି ତାଲିକା କରିଥିଲେ। ସେଥିରେ ସେ ନିଜକୁ ବରିଷ୍ଠ ପ୍ରାଧ୍ୟାପକ ଭାବେ ଦର୍ଶାଇ ଅଧ୍ୟକ୍ଷ ପଦବି ପାଇଁ ଯୋଗ୍ୟ ବୋଲି ଯୁକ୍ତି ବାଢ଼ିଥିଲେ। ଉପ-ଜିଲ୍ଲାପାଳଙ୍କ ପ୍ରସ୍ତାବ ସହ ତାଙ୍କ ପିଟିସନଟି ମଧ୍ୟ ଏବେ ସରକାରଙ୍କ ପାଖରେ ଘୁରି ବୁଲୁଛି। ବିଭାଗୀୟ ଯୁଗ୍ମ ସଚିବ ସୁରେନ୍ଦ୍ର ପଣ୍ଡାଙ୍କ ଦସ୍ତଖତରେ ସେହି କାଗଜଟି ଖାଲି ତଳ ଉପର ହେଉଛି। ଏହି ପ୍ରକିୟା ଶେଷ ହେବାକୁ ଆଉ କେତେମାସ ସମୟ ଲାଗିବ ବୋଲି ପୂର୍ବତନ ଛାତ୍ରନେତା ତଥା ଓଡିଶା ପ୍ରଗତି ମଞ୍ଚର ଆବାହକ ଶୁଭେନ୍ଦୁ ମହାନ୍ତି ପ୍ରଶ୍ନ କରିଛନ୍ତି। କଲେଜର ଅସ୍ଥାୟୀ ଅଧ୍ୟକ୍ଷଙ୍କୁ ତୁରନ୍ତ ଆର୍ଥିକ କ୍ଷମତା ପ୍ରଦାନ କରି ଅଚଳାବସ୍ଥା ଦୂର କରିବାକୁ ଶ୍ରୀ ମହାନ୍ତି ବିଭାଗୀୟ ଶାସନ ସଚିବଙ୍କୁ ଅନୁରୋଧ କରି ଏକ ପତ୍ର ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe