ଚୌଦ୍ବାର ପୌରପାଳିକା, ଆଠଗଡ଼ ଓ ବାଙ୍କୀ ଏନ୍‌ଏସି ପାଇଁ ସଂଶୋଧିତ ଚିଠା ତାଲିକା

୧୯ଟି ଆସନର ସଂରକ୍ଷଣ ବଦଳିଲା; ଏସ୍‌ଟି, ଏସ୍‌ସି ଆସନ ଅପରିବର୍ତ୍ତିତ

ଚୌଦ୍ବାର ପୌରପାଳିକା, ଆଠଗଡ଼ ଓ ବାଙ୍କୀ ଏନ୍‌ଏସି ପାଇଁ ସଂଶୋଧିତ ଚିଠା ତାଲିକା

Sambad

କଟକ: ପୌରପାଳିକା ଓ ଏନଏସି ୱାର୍ଡ ପାଇଁ ଆଜି ପ୍ରକାଶ ପାଇଛି ସଂଶୋଧିତ ସଂରକ୍ଷଣ ତାଲିକା। ଏହି କ୍ରମରେ କଟକ ଜିଲ୍ଲାର ଚୌଦ୍ବାର ପୌରପରିଷଦ ଓ ଦୁଇଟି ବିଜ୍ଞାପିତ ପରିଷଦ (ଏନ୍‌ଏସି) ଆଠଗଡ଼ ଓ ବାଙ୍କୀର ୫୪ଟି ୱାର୍ଡ ପା‌ଇଁ ୱାର୍ଡ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ୱାର୍ଡ ସଂଖ୍ୟା ଅପରିବର୍ତ୍ତିତ ରହିଥିବାବେଳେ ନୂଆ ସଂଶୋଧିତ ସଂରକ୍ଷଣ ତାଲିକାରେ ୧୯ଟି ଆସନରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅର୍ଥାତ୍‌ ପୁଣି ଅଶାୟୀଙ୍କ ପାଇଁ ନୂଆ ସୁଯୋଗ ଦେଖାଦେଇଥିବା ବେଳେ ଅନେକ ଅଶାୟୀଙ୍କୁ ନିରାଶ ହେବାକୁ ପଡିବ। ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ଆସନ ସବୁ ବଦଳିଯାଇଛି , କିନ୍ତୁ ଏସ୍‌ଟି, ଏସ୍‌ସି ଆସନ ସବୁ ପୂର୍ବ ତାଲିକା ଅନୁସାରେ ଅପରିବର୍ତ୍ତିତ ରହିଛି। ଚୌଦ୍ବାର ପୌରପରିଷଦର ୧୯ଟି ୱାର୍ଡରୁ ୧୦ଟି ଆସନରେ ମହିଳା ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବିତ ଚିଠା ତାଲିକା ପ୍ରକାଶ ପାଇଛି। ସେହିପରି ଆଠଗଡ଼ ଏନ୍‌ଏସିର ୧୮ଟି ୱାର୍ଡ ମଧ୍ୟରୁ ୯ଟିରେ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ ବାଙ୍କୀ ଏନ୍‌ଏସିର ୧୭ଟି ୱାର୍ଡ ମଧ୍ୟରୁ ୯ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତେବେ ଚୌଦ୍ବାର ପୌରପରିଷଦର ୧୯ଟି ୱାର୍ଡର ଯେଉଁ ଗତ ନଭେମ୍ବର ୯ରେ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା ସେହି ଅନୁସାରେ ୯ଟି ଆ‌ସନର ସଂରକ୍ଷଣ ବଦଳିଛି।

ଏସ୍‌ସି ଓ ଏସ୍‌ଟି ବର୍ଗଙ୍କ ପାଇଁ ରହିଥିବା ଆସନ ସବୁ ‌ପୂର୍ବଭଳି ରହିଥିବାବେଳେ ପଛୁଆବର୍ଗ ଆସନ କେଉଁଠି ଅସଂରକ୍ଷିତ ତ କେଉଁଠି କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଆଠଗଡ଼ ଓ ବାଙ୍କୀ ଏନ୍‌ଏସିରେ ବି ସମାନ ସ୍ଥିତି । ସେହି ଦୁଇ ଏନ୍‌ଏସିରେ ୫ଟି ଲେଖାଏ ଆସନ ବଦଳିଛି। ପୂର୍ବପରି ଏସ୍‌ଟି, ଏସ୍‌ସି ସଂରକ୍ଷଣରେ କୌଣସି ପରିବର୍ତ୍ତନ ହୋଇନି। କେବଳ ପଛୁଆବର୍ଗ ଓ ଅସଂରକ୍ଷିତ ଆସନରେ ପରିବର୍ତ୍ତନ ହୋଇଛି। ଆଠଗଡ଼ ଓ ବାଙ୍କୀରେ ୬ଟି ଲେଖାଏ ଆସନ ଅସଂରକ୍ଷିତ ରହିଛି। କିନ୍ତୁ ଚୌଦ୍ବାର ପୌରପାଳିକାରେ ୮ଟି ଆସନ ଅସଂରକ୍ଷିତ ରହିଛି। ଫଳରେ ନିରାଶ ହୋଇଥିବା ଅନେକ ଆଶାୟୀଙ୍କ ପାଇଁ ପୁଣି ନୂଆ ସମ୍ଭାବନା ସୃଷ୍ଟି ହୋଇଥିବାବେଳେ ଅନେକ ପୂର୍ବ ତାଲିକାକୁ ନେଇ ଆଶା ଦେଖିଥିବା ପ୍ରାର୍ଥୀଙ୍କୁ ବି ନିରାଶ ହେବାକୁ ପଡିଛି। ଏଥିରେ ଯଦି କାହାର କିଛି ଆପତ୍ତି ଅଭିଯୋଗ ଥାଏ ତାହେଲେ ସେମାନେ ତାଲିକା ପ୍ରକାଶନର ଦଶ ଦିନ ଭିତରେ ଅଭିଯୋଗ କରିପାରିବେ ବୋଲି ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe