ଯୁବ ଇଞ୍ଜିନିୟରଙ୍କ କ୍ଲାଉଡ୍‌ କିଚେନ୍‌, ପତ୍ନୀଙ୍କ ହାତ ତିଆରି ଖାଦ୍ୟ ଯୋଗାଉଛନ୍ତି ସହରବାସୀଙ୍କୁ

Advertisment
ଯୁବ ଇଞ୍ଜିନିୟରଙ୍କ କ୍ଲାଉଡ୍‌ କିଚେନ୍‌, ପତ୍ନୀଙ୍କ ହାତ ତିଆରି ଖାଦ୍ୟ ଯୋଗାଉଛନ୍ତି ସହରବାସୀଙ୍କୁ

କଟକ: ଯୁବ ଇଞ୍ଜିନିୟର ସନ୍ତୋଷ କୁମାର ବାରିକ ଆରମ୍ଭ କରିଛନ୍ତି କ୍ଲାଉଡ଼ କିଚେନ୍‌। ଏଥିରେ ନିଜ ପତ୍ନୀଙ୍କ ହାତ ତିଆରି ଖାଦ୍ୟକୁ ପହଞ୍ଚାଉଛନ୍ତି ସହରବାସୀଙ୍କ ପାଖରେ। ଚାରି ମାସ ହେବ ଚାକିରି ଛାଡି ସ୍ବସ୍ତିକ କ୍ଲାଉଡ୍‌ କିଚେନ ଆରମ୍ଭ କରିଥିବା ବେଳେ ଏହାର ନାମ ରଖିଛନ୍ତି ସ୍ବସ୍ତିକ୍‌ ମମ୍‌ସ୍‌ କିଚେନ। ମହାମାରୀ ସମୟରେ ଛଟେଇ ହୋଇଥିବା ଲୋକଙ୍କୁ ଏହି କାମରେ ନିୟୋଜିତ ରଖିବାକୁ ସେ ଆଗାମୀ ଦିନରେ ଲକ୍ଷ୍ୟ ରଖିଛନ୍ତି। କଟକ ଶଙ୍କରପୁର ଢି଼ଅ ସାହିରେ ବାସ କରୁଥିବା ବୈଷ୍ଣବ ଚରଣ ବାରିକ ଓ ଗୀତାଞ୍ଜଳି ବାରିକଙ୍କ ବଡ଼ ପୁଅ ସ‌ନ୍ତୋଷ କୁମାର ବାରିକଙ୍କ ବୟସ ୩୫ ବର୍ଷ। ସେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ଡ଼୍ରିମ୍‌ସ କଲେଜର ୨୦୧୦ ବ୍ୟାଚ୍‌ର ଇଞ୍ଜିନିୟର ଛାତ୍ର। ଆଜିକୁ ୧୦ ବର୍ଷ ହେବ ଖଡ଼ଗପୁର ଠାରେ ଏକ ଘରୋଇ ସଂସ୍ଥାରେ ସିନିୟର ଇଞ୍ଜିନିୟର ଭାବେ କାର୍ଯ୍ୟରତ ରହିଥିଲେ। ହେଲେ ମହାମାରୀ ଆରମ୍ଭ ଠାରୁ ସ୍ଥିତି ଦେଖି ସ୍ୱଇଛାରେ ୨୦୨୧ ଅକ୍ଟୋବର ମାସରେ ଚାକିରି ଛାଡି ଆରମ୍ଭ କରିଛନ୍ତି କ୍ଲାଉଡ୍‌ କିଚେନ। ସମ୍ପୂର୍ଣ୍ଣ ଘର ତିଆରି ଖାଦ୍ୟ ହେଉଛି ଏହି କ୍ଲାଉଡ୍‌ କିଚେନ୍‌ର ଅର୍ଥ। ଏହି କିଚେନରେ ନିଜ ପତ୍ନୀ ସନ୍ଧ୍ୟାରାଣୀ ବାରିକ(୨୭)ଙ୍କ ହାତ ତିଆରି ଖାଦ୍ୟକୁ ନେଇ ପହଞ୍ଚାଉଛନ୍ତି ସହରବାସୀଙ୍କ ପାଖରେ।

publive-image Sambad

ପ୍ରଥମେ ଇନଷ୍ଟାଗ୍ରାମରେ ନିଜର ସ୍ୱତନ୍ତ୍ର (Swastik_Mom's_kitchen) ନାମରେ ପେଜ କରି ଏଥିରେ ସମସ୍ତ ବିବରଣୀ ଦେବା ପରେ ଲୋକେ ଏହାକୁ ଅଧିକ ପସନ୍ଦ କରିବାକୁ ଲାଗିଲେ। ପରେ ନିଜ ସାଙ୍ଗମାନଙ୍କ ପରାମର୍ଶକ୍ରମେ ଏହି ଦିଗରେ କାମ କରିବା ଆରମ୍ଭ କଲେ। ୪ ମାସ ହେବ ଏହି କ୍ଲାଉଡ କିଚେନ ଆରମ୍ଭ କରିଥିବାବେଳେ ମାସକୁ ସବୁ ଖର୍ଚ୍ଚ ଯାଇ ୨୫ ହଜାର ଟଙ୍କା ରୋଜଗାର କରିଥାନ୍ତି ସେ। ଏବେ ନିଜ ଘରେ ସନ୍ଧ୍ୟାରାଣୀ ଖାଦ୍ୟ ପ୍ରସ୍ତୁତ କରୁଥିବାବେଳେ ସନ୍ତୋଷ ନିଜେ ଖାଦ୍ୟ‌ ଡେଲିଭରି କରାଇଥାନ୍ତି। ସନ୍ତୋଷ କୁହନ୍ତି ଯେ ଆଜିକୁ ଚାରି ମାସ ହେବ ଏହି କ୍ଲାଉଡ୍‌ କିଚେନରେ ନିଜ ଘରେ ହିଁ ସମସ୍ତ ଖାଇବା ବନାଇ ଏହାକୁ ଲୋକଙ୍କ ପା‌ଖରେ ମୁଁ ନିଜେ ଡେଲିଭରି କରିଥାଏ। ଏହି କିଚେନକୁ ବଡ଼ ଧରଣ କରି ଡେଲିଭରି ବ୍ୟବସ୍ଥା ଟୁଇନସିଟିରେ ଉପଲବ୍ଧ କରାଇବା ଲକ୍ଷ୍ୟ ରହିଛି। ପତ୍ନୀ ସନ୍ଧ୍ୟାରାଣୀଙ୍କ ହାତ ତିଆରି ଖାଦ୍ୟ ସହରବାସୀଙ୍କ ପାଖେ ପହଞ୍ଚାଇବା ଲକ୍ଷ୍ୟ ରହିଛି। ଆଶା ରହିଛି ଏହାକୁ ସହରବାସୀ ବହୁ ମାତ୍ରାରେ ପସନ୍ଦ କରିବେ। ଅନ୍ୟପଟେ ସଂଧ୍ୟାରାଣୀ କହିଛନ୍ତି ଯେ ସ୍ବାମୀଙ୍କୁ କାମରେ ସହାୟତା କରିପାରୁଥିବାରୁ ବହୁ ଖୁସି ଅନୁଭବ ହେଉଛି। ମୁଁ ନିଜ ପରିବାର ଲୋକଙ୍କୁ ଯେପରି ଖାଦ୍ୟ ପ୍ରସ୍ତୁତ କରି ଖୁଆଇଥାଏ, ଠିକ୍‌ ସେହିପରି ଖାଦ୍ୟ ପ୍ରସ୍ତୁତ କରି ସହରବାସୀଙ୍କୁ ଯୋଗାଇ ପାରୁଛି ବୋଲି ସନ୍ଧ୍ୟାରାଣୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe