ନିରୀହ ବ୍ୟକ୍ତିଙ୍କ କାନ୍ଥ ଭାଙ୍ଗି ଦେଲା ସିଏମ୍‌ସି

Advertisment
ନିରୀହ ବ୍ୟକ୍ତିଙ୍କ କାନ୍ଥ ଭାଙ୍ଗି ଦେଲା ସିଏମ୍‌ସି

Sambad

କଟକ: ଅଦାଲତରେ ମାମଲା ବିଚାରାଧୀନ ଥିବା ସତ୍ତ୍ବେ ପଟାପୋଲ ମୋଚିସାହିରେ ଥିବା ଏକ ନିର୍ଦ୍ଦିଷ୍ଟ ଜମି ଉପରେ ଥିବା ଘରର କାନ୍ଥକୁ ଭାଙ୍ଗି ଦିଆଯାଇଛି। ଜମିର ପ୍ରକୃତ ଦାବିଦାର ଏ ନେଇ ପ୍ରତିବାଦ କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଅନ୍ୟପକ୍ଷରେ ତାଙ୍କୁ ଧମକ ଚମକ ଦିଆଯାଉଛି। ଏହି ଜମି ଉପରେ କୌଣସି ନିର୍ମାଣ ନ କରିବାକୁ ପୂର୍ବରୁ ଅଦାଲତ ନି‌ର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଭିନ୍ନ ସମୟରେ ସିଏମସି ଏଠାରେ ନିର୍ମାଣ ପାଇଁ ଉଦ୍ୟମ କରୁଛି ବୋଲି ଅଭିଯୋଗ ହୋଇଛି। ଏ ପ୍ରକାର ଘଟଣାକୁ ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ଜମିର ଦାବିଦାର ଅଭିଯୋଗ କରିଛନ୍ତି। ଶହେ ବର୍ଷରୁ ଅଧିକ ଧରି ବି. କ୍ରିଷ୍ଣା ରାଓଙ୍କ ପରିବାର ଏଠାରେ ରହି ଆସୁଛନ୍ତି। କ୍ରିଷ୍ଣାଙ୍କ ପୂର୍ବପୁରୁଷମାନେ ଏହି ଜମିରେ ପୂର୍ବରୁ ରହୁଥିବା ବେଳେ ତାଙ୍କ ନାଁରେ ଏହି ଜମି ରହିଛି ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏହି ଜମି ପ୍ରସଂଗ ସଂପର୍କିତ ବିବାଦ ଏବେ ହାଇକୋର୍ଟ‌ରେ ବିଚାରାଧୀନ ରହିଛି। କଟକ ଜିଲ୍ଲାପାଳ ଓ ସିଏମସି ମାମଲାରେ ପକ୍ଷ ରହିଛନ୍ତି। ୨୦୦୧, ଡିସେମ୍ବର ୨୧ରେ ଜମି ଉପରେ ନିର୍ମାଣ ପ୍ରସଂଗରେ ଅଦାଲତ ସ୍ଥିତାବସ୍ଥା ଜାରି କରିଥିଲେ। ଏହି ଆଦେଶ ଏବେ ବଳବତ୍ତର ରହିଛି। ଏହି ଆଦେଶକୁ ଅମାନ୍ୟ କରି କିଛି ବର୍ଷ ପୂର୍ବରୁ ଏହି ଜମି ଉପରେ ପୁଲିସ ଫାଣ୍ଡି ନିର୍ମାଣ ପାଇଁ ଉଦ୍ୟମ କରାଯାଇଥିଲା। ସେ ପ୍ରତିବାଦ କରିବାରୁ ଅନ୍ୟ ସ୍ଥାନରେ ଫାଣ୍ଡି ନିର୍ମାଣ କରାଯାଇଥିଲା।

ଏହି ଜମି ପାଇଁ ସେ ଟିକସ ଦେଉଛନ୍ତି। ଏହି ଜମି ଉପରେ କିଛି ଲୋକ ନିର୍ମାଣ କରିବାକୁ ମସୁଧା କରୁଥିବା ସେ ଜାଣିବାକୁ ପାଇଥିଲେ। ତାଙ୍କ ଅନୁପସ୍ଥିତିରେ ଜମି ଉପରେ ଥିବା ଘରର କାନ୍ଥ କିଛି ଲୋକ ଭାଙ୍ଗି ଦେଇଛନ୍ତି। ସେହି ସ୍ଥାନରେ କାହିଁକି ଖୋଳୁଛ ବୋଲି ସେ ପଚାରିବାରୁ ସଂପୃକ୍ତ ବ୍ୟକ୍ତିମାନେ କହିଥିଲେ ଯେ ମ୍ୟୁନିସିପାଲିଟି କହିଛି ଖୋଳିବା ପାଇଁ। କ୍ରିଷ୍ଣା ରାଓ ତାହାର ପ୍ରତିବାଦ କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଏଭଳି ବେଆଇନ କାର୍ଯ୍ୟ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହିତ ତାଙ୍କ ଅଭିଯୋଗ ଉପରେ ପଦକ୍ଷେପ ଗ୍ରହଣ ପାଇଁ ବରିଷ୍ଠ ନାଗରିକ କ୍ରିଷ୍ଣା ରାଓ ଦାବି କରିଛନ୍ତି। ସମସ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ଘଟଣା ସାମନାକୁ ଆସିବ ଓ କିଭଳି ଭାବେ ଆଇନ ଉଲ୍ଲଂଘନ କରି ତାଙ୍କ ଜମି ଉପରେ ନିର୍ମାଣ କରାଯାଉଛି ତାହା ସ୍ପଷ୍ଟ ହେବ ବୋଲି କ୍ରିଷ୍ଣା ରାଓ କହିଛନ୍ତି। ଏ ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe