Sambad
କଟକ: କଟକ ମହାନଗର ନିଗମ (ସିଏମସି) ଆଉଟ୍ସୋର୍ସିଂ ଆଳରେ ଚାଲିଥିବା ମହାଲୁଟ୍ର ଫାଇଲ ଖୋଲୁନି। ଲୋକ ଯୋଗାଣ ନାମରେ ସିଏମ୍ସିରୁ ଦୁଇଟି ଘରୋଇ ସଂସ୍ଥା ବର୍ଷକୁ ପାଖାପାଖି ୧୦୦ କୋଟି ଟଙ୍କାର ବିଲ୍ ନେଉଛନ୍ତି। ମାଳି, ଡ୍ରାଇଭର, ଡାଟା ଏଣ୍ଟ୍ରି ଅପରେଟର, ଲୋଡର, ସିକ୍ୟୁରିଟି ଗାର୍ଡ ଯୋଗାଉଛନ୍ତି। ଗୋଟିଏ ସଂସ୍ଥା ୨୬୨ କର୍ମଚାରୀ ଯୋଗାଉଥିବା ବେଳେ ଆଉ ଏକ ଘରୋଇ ସଂସ୍ଥା ୩୬୨ ଜଣ କର୍ମଚାରୀ ଯୋଗାଉଛନ୍ତି। ସରକାରଙ୍କ ନିର୍ଧାରିତ ମଜୁରୀ ଓ ସଂସ୍ଥାର ସର୍ଭିସ୍ ଟ୍ୟାକ୍ସକୁ ମିଶାଇ ଦୁଇଟି ସଂସ୍ଥା ମାସକୁ ୮ କୋଟି ଟଙ୍କା ନେଉଛନ୍ତି। ତେବେ ଏମାନେ ଯେଉଁ କର୍ମଚାରୀ ଯୋଗାଇଛନ୍ତି ଏମାନେ କେଉଁଠି କାମ କରୁଛନ୍ତି, କ’ଣ କାମ କରୁଛନ୍ତି, ତା’ର ତଦାରଖ କରାଯାଉନାହିଁ। କାଗଜକଲରେ ନାମ ଗଡୁଛି, ଦରମା ସିଏମସିରୁ ନିଆଯାଉଛି। ମାତ୍ର ଶତାଧିକ କର୍ମଚାରୀ ସିଏମସି କାମରେ ନ ଲାଗି ଅନ୍ୟତ୍ର କାମ କରୁଥିବାର ଗୁରୁତର ଅଭିଯୋଗ ହୋଇଛି। ପାଖାପାଖି ୭୦ରୁ ଅଧିକ କର୍ମଚାରୀ ସିଏମସି ଡ୍ୟୁଟି ନ କରି ଅଧିକାରୀ, ଯନ୍ତ୍ରୀଙ୍କ ଘରେ କାମ କରୁଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ସିଏମସିରେ କାମ କରୁଥିବା ୬୨୪ ଜଣ କର୍ମଚାରୀଙ୍କ ୱାର୍କ ସାର୍ଟିଫିକେଟ୍ ପ୍ରଦାନ କରାଯାଉନି। ୱାର୍କ ସାର୍ଟିଫିକେଟ ପୈଠ କରୁନଥିବା ସଂସ୍ଥାକୁ ସିଏମସି କିଭଳି ମାସକୁ ୮ କୋଟି ଟଙ୍କା ଟେକି ଦେଉଛି, ତାହା ଏକ ବିରାଟ ପ୍ରଶ୍ନ ସୃଷ୍ଟି କରିଛି। ଆଉଟସୋର୍ସିଂ ପାଇଁ ୨୦୧୨ରେ ଶେଷ ଥର ପାଇଁ ଟେଣ୍ଡର କରାଯାଇଥିଲେ ବି ଆଉ ଟେଣ୍ଡର କରିବାକୁ ଦିଆଯାଉନାହିଁ। ୨୦୧୬, ୨୦୧୮ ଓ ୨୦୨୧ରେ ତିନି ଥର ଏଥିପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡରକୁ ବିଭିନ୍ନ କାରଣ ଦର୍ଶାଇ ବାତିଲ କରାଯାଇଛି।
୨୦୧୨ରେ ସିଏମସିରେ ବିଭିନ୍ନ ଜରୁରୀ କାମ ପାଇଁ ସର୍ଭିସ ପ୍ରୋଭାଇଡର ମାଧ୍ୟମରେ କର୍ମଚାରୀ ଯୋଗାଇବା ପାଇଁ ଟେଣ୍ଡର କରାଯାଇଥିଲା। ସିକ୍ୟୁରିଟି ଗାର୍ଡ, ୱାଚମ୍ୟାନ, ମାଳି, ଡାଟା ଏଣ୍ଟ୍ରି ଅପରେଟର, ଲୋଡର, ପମ୍ପ ଡ୍ରାଇଭର, କୁଲି ପାଇଁ ଏହି ଟେଣ୍ଡର କରାଯାଇଥିଲା। ୨୦୧୨ରେ ଟେଣ୍ଡର ପାଇଥିବା ସଂସ୍ଥା ଏଥିପାଇଁ କର୍ମଚାରୀ ଯୋଗାଇଥିଲା। ତିନି ବର୍ଷ ଅବଧି ଶେଷ ହେବା ପରେ ଆଉ ଟେଣ୍ଡର କରାଗଲା ନାହିଁ। ପରେ ଏ ନେଇ ତିନି ଥର ବାହାରିଥିବା ଟେଣ୍ଡରକୁ ବାତିଲ କରି ଦିଆଗଲା। ଏଷ୍ଟାବ୍ଲିସମେଣ୍ଟ ଓ ସ୍ବାସ୍ଥ୍ୟ ବିଭାଗ ପାଇଁ ଦୁଇଟି ସଂସ୍ଥା ଏବେ ବିନା ଟେଣ୍ଡରରେ କାମ କରୁଛନ୍ତି। ଗତ ୬ ବର୍ଷ ହେବ ଏହି କାମ ବିନା ଟେଣ୍ଡରରେ କରାଯାଉଛି। ନିରାକାର ଓ ସ୍ବର୍ଣ୍ଣଦେବୀ ଏ ବାବଦରେ ବିନା ଟେଣ୍ଡରରେ ୫୦୦ କୋଟିରୁ ଅଧିକ ଟଙ୍କା ନେଇ ସାରିଲେଣି। ତେବେ ନିରାକାର ଓ ସ୍ବର୍ଣ୍ଣଦେବୀ ଯୋଗାଉଥିବା କର୍ମଚାରୀ କେଉଁଠି କାମ କରୁଛନ୍ତି, ତା’ର ୱାର୍କ ସାର୍ଟିଫିକେଟ ଦିଆଯାଉ ନଥିବା ବେଳେ ବିନା ୱାର୍କ ସାର୍ଟିଫିକେଟରେ ସିଏମସି ଏମାନଙ୍କ୍ ବିଲ୍ କିଭଳି ପାସ୍ କରୁଛି ତାକୁ ନେଇ ସନ୍ଦେହ ଉପୁଜିଛି। ଏ ସଂପର୍କରେ ନିରାକାର ସିକ୍ୟୁରିଟିର ନିର୍ଦ୍ଦେଶକ ଶିବ ପ୍ରସାଦଙ୍କ କହିବାକଥା ଯେ, ସେମାନେ ୱାର୍କ ସାର୍ଟିଫିକେଟ୍ ଦାଖଲ କରୁଛନ୍ତି। ମାତ୍ର କର୍ପୋରେଟର୍ ବିକାଶ ବେହେରାଙ୍କ କହିବା କଥା, ୱାର୍ଡରେ କାମ କରୁଥିବା କର୍ମଚାରୀଙ୍କ ୱାର୍କ ସାର୍ଟିଫିକେଟ୍ ଦେଉନାହାନ୍ତି।
Follow Us