Sambad
କଟକ: କରୋନା ସଂକ୍ରମଣ କମୁଥିବା ବେଳେ ମହାନଗର ନିଗମ ପକ୍ଷରୁ ବିବାହ ଉତ୍ସବ ଆୟୋଜରେ ଲଗାଯାଇଥିବା କଟକଣାକୁ କୋହଳ କରାଯାଇଛି। ବିବାହ ଉତ୍ସବରେ ଏବେ ଦୁଇଶହ ଲୋକଙ୍କୁ ଯୋଗ ଦେବାକୁ ଅନୁମତି ଥିବା ବେଳେ ବରଯାତ୍ରୀ ଶୋଭାଯାତ୍ରା ଆୟୋଜନ ପାଇଁ ମଧ୍ୟ ସବୁଜ ସଙ୍କେତ ମିଳିଛି। ଶୋଭାଯାତ୍ରାରେ ଦୁଇ ଶହ ବରଯାତ୍ରୀ ଯିବାକୁ କୁହାଯାଇଛି। ଅନ୍ୟପଟେ ଶୁଦ୍ଧି କ୍ରିୟାରେ ସର୍ବାଧିକ ଶହେ ଜଣଙ୍କ ଯୋଗଦାନ ପାଇଁ ଅନୁମତି ଦେଇଛି ସିଏମସି। ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଏପରି କି ସିଏମସିରେ ଏକ ମାସରୁ ଅଧିକ ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ଏକ ଅଙ୍କରେ ରହିଛି। ଏହାକୁ ଦେଖି ସିଏମସି ପକ୍ଷରୁ ବିବାହ ଉତ୍ସବ ଆୟୋଜନ ପାଇଁ ଲଗାଯାଇଥିବା କଟକଣାକୁ କୋହଳ କରାଯାଇଛି।
ପୂର୍ବରୁ ରାଜ୍ୟ ସରକାର ବିବାହ ଉତ୍ସବରେ ଦୁଇଶହ ଲୋକଙ୍କ ପାଇଁ ଅନୁମତି ଦେଇଥିଲେ। ମାତ୍ର ସିଏମସି ଏହାକୁ ଶହେ ମଧ୍ୟରେ ସୀମିତ ରଖିଥିଲା। ଏବେ ପରିସ୍ଥିତିକୁ ଦେଖି ଏହାକୁ ୨ଶହ କରାଯାଇଛି। ଶୋଭାଯାତ୍ରାରେ ବରଙ୍କ ସହିତ ତାଙ୍କ ପରିବାର, ଅତିଥି, ବାଜା, ବ୍ୟାଣ୍ଡପାର୍ଟି, ଡିଜେ ଓ ଲାଇଟ୍ ବାଲାଙ୍କୁ ମିଶାଇ ମୋଟ ଦୁଇଶହ ଲୋକଙ୍କୁ ଅନୁମତି ରହିଛି। ଶୋଭାଯାତ୍ରାରେ ସାମାଜିକ ଦୂରତ୍ବ ନିୟମ ସହିତ ମାସ୍କକୁ ଅଧିକ ଗୁରୁତ୍ବ ଦେବାକୁ କୁହାଯାଇଛି। ଅନ୍ୟପଟେ ଶୁଦ୍ଧି କ୍ରିୟାରେ ଏବେ ଶହେ ଲୋକଙ୍କୁ ଯୋଗ ଦେବାକୁ ଅନୁମତି ପ୍ରଦାନ କରାଯାଇଛି, ପୂର୍ବରୁ ଏହା ୫୦ ଥିଲା। କଲ୍ୟାଣମଣ୍ଡପ, ହଲ୍, ଖୋଲା ପଡିଆ କିମ୍ବା ଘରେ ବିବାହ ଉତ୍ସବ ଆୟୋଜନ କରାଯାଉଥିବା ବେଳେ ସବୁ ସ୍ଥାନରେ କୋଭିଡ୍ କଟକଣା ପାଳନ କରିବାକୁ ସିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
Follow Us