କୋଭିଡ୍‌ ପରୀକ୍ଷା କେଳେଙ୍କାରୀ ଘଟଣା, କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା

Advertisment

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟକୁ ବି ଖାତିର କଲେନି ସିଡିଏମ୍‌

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ତଦନ୍ତ ରିପୋର୍ଟକୁ ବି ଖାତିର କଲେନି ସିଡିଏମ୍‌

କୋଭିଡ୍‌ ପରୀକ୍ଷା କେଳେଙ୍କାରୀ ଘଟଣା, କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା

healthline

କଟକ: ତିଗିରିଆ ବ୍ଲକ୍‌ ବିନ୍ଧାଣିମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୭ଜଣ କୋଭିଡ୍‌ ସଂକ୍ରମିତ ଠାବ ହୋଇ ନ ପାରିବା ଘଟଣାରେ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ମିଛ ଠିକଣା, ମିଛ ମୋବାଇଲ୍‌ ନମ୍ବର ଦେଇ କୋଭିଡ୍‌ ପରୀକ୍ଷା କରାଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଚର୍ଚ୍ଚା ହୋଇଥିଲା। ଏହି ଘଟଣାକୁ ୧୦ଦିନ ବିତିଯାଇଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହା ବଦଳରେ ସ୍ବାସ୍ଥ୍ୟ ବିଭାଗ ଜାଲିଆତି କରିଥିବା କର୍ମଚାରୀଙ୍କୁ ଅନୁକମ୍ପା ଦେଖାଇ ଘଟଣାକୁ ଚାପି ଦେବାକୁ ମସୁଧା ଚଳାଇଛି। ଅନ୍ୟପକ୍ଷରେ, ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ସେମାନଙ୍କର ସେପ୍ଟେମ୍ବର ୩୦ ତାରିଖରେ ଚାକିରି ଶେଷ ହୋଇଯାଉଥିବା ଜଣାପଡ଼ିଛି। ସେଥି ପାଇଁ ଭୁଲ୍‌ କରିଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କର୍ତ୍ତୃପକ୍ଷ ଉଦାସୀନ ରହୁଥିବା ସୂଚନା ମିଳିଛି। ଖୋଦ୍‌ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଘଟଣାର ତଦନ୍ତ ପାଇଁ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ଚିଠି କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସିଡିଏମ୍‌ଓ ଉତ୍ତର ଦେଉ ନ ଥିବା ଜଣାପଡ଼ିଛି। ତିଗିରିଆ ବ୍ଲକ୍‌ର ବିନ୍ଧାଣିମା ଅଞ୍ଚଳରେ କୋଭିଡ୍‌ ପରୀକ୍ଷା ନାଁ ରେ ହୋଇଥିବା ସାଂଘାତିକ କେଳେଙ୍କାରୀ ଘଟଣାରେ କଟକ ସିଡିଏମ୍‌ଓ ୩ଜଣ କର୍ମଚାରୀଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।

ଏଥିସହ ତିଗିରିଆ ମେଡିକାଲ୍‌ ଅଫିସରଙ୍କୁ ମଧ୍ୟ ଟେଷ୍ଟିଂ ସମୟରେ ଠିକ୍‌ ଭାବେ ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଦେଇ ଚୁପ୍‌ ବସିଛନ୍ତି। ବିନ୍ଧାଣିମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ ୧୩ ତାରିଖରେ ନିଆଯାଇଥିବା ସ୍ବାବ୍‌ରୁ ୧୭ଜଣ ସଂକ୍ରମିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ତେବେ ତଦନ୍ତ ପରେ ସେଭଳି କୌଣସି ବ୍ୟକ୍ତି ନଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଘଟଣାର ରିପୋର୍ଟ ସ୍ବାସ୍ଥ୍ୟ ବିଭାଗର ହସ୍ତଗତ ହୋଇପାରିନାହିଁ କିମ୍ବା ବିଭାଗ ମଧ୍ୟ ଏଥି ପାଇଁ ତତ୍ପରତା ପ୍ରକାଶ କରୁନାହିଁ। ସିଡିଏମ୍‌ଓ ଜିଲ୍ଲାର ସମସ୍ତ ମେଡିକାଲ୍‌ ଅଫିସର ଓ କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌ ଦାୟିତ୍ବରେ ଥିବା ଅଧିକାରୀଙ୍କୁ କୋଭିଡ୍‌ ପରୀକ୍ଷାରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇ ଚୁପ୍‌ ବସିଛନ୍ତି। ଏପରିକି ନିଜ ସ୍ବାବ୍‌ ଦେଇ କୋଭିଡ୍‌ ଟେଷ୍ଟ କରିଥିବା କର୍ମଚାରୀ ଓ କେଳେଙ୍କାରୀରେ ସମ୍ପୃକ୍ତି କର୍ମଚାରୀଙ୍କ ନାମ ଜଣାପଡ଼ିବା ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସେମାନଙ୍କର ଚାକିରି ଚଳିତ ମାସ ଶେଷରେ ସରିଯାଉଥିବାରୁ ସିଡିଏମ୍‌ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଛନ୍ତି। କେବଳ ତାଗିଦ୍‌ କରି ସେମାନଙ୍କୁ ଛାଡିଦେବା ପାଇଁ ସିଡିଏମ୍‌ଓ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe