ଚୌଦ୍ବାର ଜେଲରେ ସଂଗିନ୍‌ ସ୍ଥିତି : ଜେଲ ଡ଼୍ୟୁଟି ଛାଡ଼ି ମେଡ଼ିକାଲରେ କଏଦୀଙ୍କୁ ଜଗୁଛନ୍ତି ୱାର୍ଡ଼ର

Advertisment
ଚୌଦ୍ବାର ଜେଲରେ ସଂଗିନ୍‌ ସ୍ଥିତି : ଜେଲ ଡ଼୍ୟୁଟି ଛାଡ଼ି ମେଡ଼ିକାଲରେ କଏଦୀଙ୍କୁ ଜଗୁଛନ୍ତି ୱାର୍ଡ଼ର

Sambad

କଟକ: କାରାଗାର ବିଭାଗର ନିୟମ କହୁଛି କଏଦୀଙ୍କୁ ମେଡିକାଲ୍ ଚେକଅପ କିମ୍ବା ମେଡିକାଲରେ ଭର୍ତ୍ତି ବେଳେ ଜିଲ୍ଲା ପୁଲିସ ପକ୍ଷରୁ ପୁଲିସ ଫୋର୍ସ ଯୋଗାଇ ଦିଆଯିବ। କିନ୍ତୁ ଚୌଦ୍ବାର ସର୍କଲ ଜେଲକୁ କମିସନରେଟ୍ ପୁଲିସ ଗଲା ୬ ମାସ ହେବ ପୁଲିସ ଏସକର୍ଟ ଯୋଗାଉ ନାହିଁ। କମିସନରେଟ ପୁଲିସକୁ ବାରମ୍ବାର ଚିଠି ଲେଖାଯାଇଥିବା ବେଳେ କେହି ଚିଠିର ଉତ୍ତର ବି ଦେଉନାହାନ୍ତି। ଏବେ ଜେଲର ୩୦ ଜଣ ୱାର୍ଡର ଜେଲରେ ଅପରାଧୀଙ୍କ ସୁରକ୍ଷା ଛାଡ଼ି ବଡ଼ ମେଡିକାଲରେ କଏଦୀଙ୍କ ସୁରକ୍ଷା ଡ୍ୟୁଟିରେ ନିୟୋଜିତ ହୋଇଛନ୍ତି।

ଜେଲରେ ଥିବା ଅବଶିଷ୍ଟ ୪୯ ୱାର୍ଡର ମୋଟ ୮୪୦ କଏଦୀଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି। ୱାର୍ଡର ପଦବି ଖାଲି ଥିବା ବେଳେ ନିଅଣ୍ଟିଆ କର୍ମଚାରୀରେ ଉଭୟ ଜେଲ ଓ ମେଡିକାଲରେ ଅପରାଧୀଙ୍କୁ ସୁରକ୍ଷା ଯୋଗାଇବା ଜଟିଳ ପରିସ୍ଥିତି ସୃଷ୍ଟି କରିଛି।

publive-image Entrepreneur

ସୂଚନା ଅନୁଯାୟୀ, ଚୌଦ୍ବାର ସର୍କଲ ଜେଲରେ ରାଜ୍ୟର ୮୫ଟି ଜେଲରୁ କଏଦୀ ଚିକିତ୍ସା ପାଇଁ ଆସୁଛନ୍ତି। ବଡ଼ ମେଡିକାଲରେ ନିୟମିତ ଚିକିତ୍ସିତ ହେବାକୁ କଏଦୀ ଚୌଦ୍ବାର ଜେଲରେ ଅସ୍ଥାୟୀ ଭାବେ ରହୁଛନ୍ତି। ଚିକିତ୍ସା ସରିଲେ ପୁଣି ମୂଳ ଜେଲକୁ କଏଦୀ ଫେରିଯାନ୍ତି। ଦୈନିକ ଚୌଦ୍ବାର ସର୍କଲ ଜେଲରୁ ପ୍ରାୟ ୭ ଜଣ କଏଦୀ ବଡ଼ ମେଡିକାଲ୍ ଚେକଅପ ପାଇଁ ଯାଉଛନ୍ତି। ବାହାର ଜେଲର ୪୦ ଜଣ ଏବଂ ଚୌଦ୍ବାର ଜେଲର ୧୭୭ ଜଣ ସଙ୍ଗିନ ମାମଲା ସମ୍ପୃକ୍ତ କଏଦୀ ଏବେ ଅସୁସ୍ଥ ଅଛନ୍ତି। ଏମାନଙ୍କ ମଧ୍ୟରେ ମାନସିକ ରୋଗୀ, ଟିଭି, କାରାଗାର ବିଭାଗର ନିୟମ ଅନୁଯାୟୀ, ହସ୍ପିଟାଲକୁ ଚେକଅପ ପାଇଁ ଗୋଟିଏ ରୋଗାଗ୍ରସ୍ତ କଏଦୀ ଗଲା ବେଳେ ଜଣେ କଏଦୀ ପିଛା ୪ ଜଣ ଲେଖାଏ ପୁଲିସ ଫୋର୍ସ ଯୋଗାଇ ଦିଆଯିବ।

ହସ୍ପିଟାଲ ଯିବା ପୂର୍ବ ଦିନ ଜେଲ କର୍ତ୍ତୃପକ୍ଷ ଜିଲ୍ଲା ଡିସିପି କିମ୍ବା ଜିଲ୍ଲା ପୁଲିସ ମୁଖ୍ୟଙ୍କୁ ଚିଠି ଲେଖିବେ। ସେହି ଅନୁଯାୟୀ ରିଜର୍ଭ ପୁଲିସରୁ ଫୋର୍ସ ଯୋଗାଇ ଦିଆଯିବ। ଯଦି ସମ୍ପୃକ୍ତ କଏଦୀର ଅପରାଧ ରେକର୍ଡ ଅଧିକ ଥାଏ ସେହି ଅନୁଯାୟୀ ଫୋର୍ସ ସଂଖ୍ୟା ବୃଦ୍ଧି କରାଯାଇଥାଏ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଚୌଦ୍ବାର ସର୍କଲ ଜେଲ ଗଲା ମାର୍ଚ୍ଚ ୧୫ ତାରିଖ ଠାରୁ ଡିସିପି କଟକଙ୍କୁ ଫୋର୍ସ ଯୋଗାଇବା ପାଇଁ ଲଗାତର ଚିଠି ଲେଖି ଚାଲିଛି। କିନ୍ତୁ କମିସନରେଟ୍ ପୁଲିସ ବର୍ତ୍ତମାନ ସୁଦ୍ଧା ଚିଠିର ଉତ୍ତର ଦେଉ ନାହିଁ। ବାଧ୍ୟ ହୋଇ ଜେଲର ୱାର୍ଡର ଏବେ ଅପରାଧୀଙ୍କ ଏସକର୍ଟ ସାଜିଛନ୍ତି। ଏମାନେ ଅପରାଧୀଙ୍କୁ ବଡ଼ ମେଡିକାଲ୍ ଚେକ ଅପ ପାଇଁ ନେଉଛନ୍ତି। ସେଠାରେ କେହି କଏଦୀ ଭର୍ତ୍ତି ହେଲେ ତାଙ୍କୁ ବି ଜଗି ରହୁଛନ୍ତି। କାରାଗାର ବିଭାଗର ମାନୁଆଲ୍ ଅନୁଯାୟୀ, ଜେଲ୍‌ର ୱାର୍ଡର ଜେଲ୍ ବାହାରକୁ ଯିବା କଥା ନୁହେଁ। ୱାର୍ଡରଙ୍କ କାମ କେବଳ ଜେଲ୍ ଭିତରେ କଏଦୀଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବା।

ବଡ଼ ମେଡିକାଲରେ ଏବେ ୩୦ ୱାର୍ଡର କଏଦୀଙ୍କୁ ଜଗି ରହୁଛନ୍ତି। ୱାର୍ଡର କେବଳ ମେଡିକାଲରେ ଭର୍ତ୍ତି ହେଉଥିବା କଏଦୀଙ୍କ ଚିକିତ୍ସା ବ୍ୟବସ୍ଥା କିଭଳି ତ୍ବରାନ୍ବିତ ହୋଇପାରିବ ସେ କାର୍ଯ୍ୟ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଜେଲରୁ ବଡ଼ ମେଡିକାଲ୍ ଏସକର୍ଟ କରିବା ଏବଂ ବଡ଼ ମେଡିକାଲରେ ସେମାନଙ୍କୁ ଜଗି ରହିବା ଭଳି ବିଚିତ୍ରି ସ୍ଥିତି ଏବେ ସୃଷ୍ଟି ହୋଇଛି। ସାଧାରଣ ରୋଗୀ ବାଦ୍ କରୋନା ରୋଗୀଙ୍କୁ ବି କୋଭିଡ ହସପିଟାଲରେ ୱାର୍ଡର ଏବେ ଜଗି ରହୁଛନ୍ତି। ଚୌଦ୍ବାର ସର୍କଲ ଜେଲରେ ମୋଟ ୧୦୬ ୱାର୍ଡର ଓ ହେଡ ୱାର୍ଡର ପଦବି ଥିବା ବେଳେ ସେଥିରୁ ୨୭ ଟି ଖାଲି ପଡ଼ିଛି। ୩୦ ଜଣ ବଡ଼ ମେଡିକାଲରେ କଏଦୀଙ୍କୁ ଜଗି ରହୁଥିବା ବେଳେ ଏବେ ଚୌଦ୍ବାର ଜେଲରେ ମାତ୍ର ୪୯ ଜଣ ୱାର୍ଡର ମୋଟ ୮୪୦ କଏଦୀଙ୍କୁ ଜଗି ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe