‘ଅସାନି’ ପାଇଁ କଟାଗଲା ୬ଟି କ୍ରସ୍‌ ବନ୍ଧ; ପୂର୍ତ୍ତବିଭାଗର କାର୍ଯ୍ୟ ବନ୍ଦ

Advertisment

ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ ୪୯ କୋଟି

ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ ୪୯ କୋଟି

‘ଅସାନି’ ପାଇଁ କଟାଗଲା ୬ଟି କ୍ରସ୍‌ ବନ୍ଧ; ପୂର୍ତ୍ତବିଭାଗର କାର୍ଯ୍ୟ ବନ୍ଦ

Sambad

କଟକ: ପୁଣି ଆରମ୍ଭ ହୋଇଛି ତାଳଦଣ୍ଡା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ୨୬କୋଟି ଟଙ୍କା ବ୍ୟୟରେ ରାଣୀହାଟରୁ ମାତୃଭବନ ସ୍ଲୁଇସ୍‌ ପର୍ଯ୍ୟନ୍ତ ଜର୍ମାନ ଟେକ୍ନାଲୋଜିରେ ପଡିବ ଜିଓ ସିନ୍ଥେଟିକ୍‌ କଂକ୍ରିଟ୍‌ ମ୍ୟାଟ୍ରେସ୍‌ । ଏହି କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ଜଳସମ୍ପଦ ବିଭାଗ ୪୯କୋଟି ଟଙ୍କା ଖର୍ଚ୍ଚ କରିବ।  ଅନ୍ୟପଟେ ଏସ୍‌ସିବି ନବକଳେବର ଯୋଜନାରେ ପୂର୍ତ୍ତବିଭାଗ ଯେଉଁ ସବୁ କାର୍ଯ୍ୟ କରୁଛି ସେଥିପାଇଁ ପାଣିକୁ ଅଟକାଇବା ପାଇଁ ୬ଟି ସ୍ଥାନରେ କ୍ରସ୍‌ ବନ୍ଧ ସବୁ ତିଆରି କରାଯାଇଥିଲା। ଏବେ ସାମ୍ଭାବ୍ୟ ‘ଅସାନି’ ପ୍ରଭାବରେ କଟକରେ ଅଧିକ ବର୍ଷା ଆଲର୍ଟ କରାଯାଇଥିବାରୁ ,  ସେହି ୬ଟି କ୍ରସ୍‌ ବନ୍ଧକୁ  କାଟି ଜଳ ନିଷ୍କାସନର ବାଟ କରାଯାଇଛି।  ତେବେ ପାଣି ଆସିଯିବା ଫଳରେ ପୂର୍ତ୍ତବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚାଲିଥିବା କାର୍ଯ୍ୟ ଏବେ ବନ୍ଦ ହୋଇଯାଇଛି।

ତାଳଦଣ୍ଡା ‌କେନାଲର ଉଭୟ ପଟ ବନ୍ଧରେ ଯୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ୨୩ କୋଟିରେ ଜିଓ ସିନ୍ଥେଟିକ୍ କାମ ସରିଥିବାବେଳେ ଏବେ ପୁଣି  ରାଣୀହାଟରୁ  ମାତୃଭବନ ସ୍ଲୁଇସ୍‌ ପର୍ଯ୍ୟନ୍ତ ୨୬ କୋଟିର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଆଗକୁ ଏହାର ଖର୍ଚ୍ଚ ବଢିପାରେ ବୋଲି କୁହାଯାଉଛି। ତେବେ ଯେଉଁ ୨ୟ ପର୍ଯ୍ୟାୟ କାର୍ଯ୍ୟ ରାଣୀହାଟ ପଟକୁ ଆରମ୍ଭ ହୋଇଛି ତାହା ଦେଢ ମାସ ଭିତରେ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବର୍ଷାରେ କାର୍ଯ୍ୟ ପ୍ରଭାବିତ ହେବାର ସେଭଳି ସମ୍ଭାବନା ନାହିଁ ବୋଲି ଜଳ ସମ୍ପଦ ବିଭାଗ କହୁଥିବାବେଳେ ପାଣି ଆସିଲେ କାମ ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଇପାରେ।  ଅନ୍ୟପଟେ ଜଳସମ୍ପଦ ବିଭାଗ ପକ୍ଷରୁ ‘ଅସାନି’ ପାଇଁ ଯେଉଁ ସବୁ ସ୍ଥାନରେ ବନ୍ଧ ବାନ୍ଧି ପାଣିକୁ ଅଟକାଯାଇଥିଲା ତାକୁ କାଟି ଦିଆଯିବା ଫଳରେ ଏବେ ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ଛତ୍ରବଜାର ପାଖ ପୋଲ, ୱାଲ, ମାତୃଭବନ ପାଖ ରେଲ‌ୱ ପୋଲ ତଳ କାର୍ଯ୍ୟ, ଏନ୍‌ଏଚ୍‌ ତଳ ବ୍ରିଜ୍ କାର୍ଯ୍ୟ ଏବେ ସବୁ ବନ୍ଦ। ପାଣି ଯେତିକି ରହିଛି ଆଗାମୀ ଦଶ ଦିନ ପର୍ଯ୍ୟନ୍ତ କାମ ହୋଇପାରିବ ନାହିଁ ବୋଲି ଜଣେ ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ପୂର୍ତ୍ତବିଭାଗର କାର୍ଯ୍ୟ ପାଇଁ ମାତୃଭବନ ସ୍ଲୁଇସ୍‌, ରେଲୱେ ବ୍ରିଜ୍‌ ପାଖରେ , ଏନ୍‌ଏଚ୍‌ର କ୍ରସିଙ୍ଗର ଉପର ଓ ତଳମୁଣ୍ଡ, ବେଲେଶ୍ବର ପାଖରେ ୨ଟି ଲେଖାଏ କ୍ରସ୍‌ ବନ୍ଧ କରାଯାଇ ପାଣିକୁ ଅଟକାଯାଇଥିଲା।  ଏବେ କିନ୍ତୁ ସେହି କ୍ରସ୍‌ ବନ୍ଧକୁ ‘ଅସାନି’ ପାଇଁ କାଟି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe