ସାଇନ୍‌ବୋର୍ଡ ଲଗାଇ ଭୁଲିଗଲେ, କେବେ ଖୋଲିବ ସିଆର୍‌ଆର୍‌ଆଇ ଥାନା?

୬ମାସରେ ପୁଲିସ ବିଭାଗ ଘରଭଡ଼ା ଗଣିଲାଣି ୩ଲକ୍ଷ, ଦୁଇମାସ ତଳୁ ୧୦ ଲକ୍ଷର ସିସି କ୍ୟାମେରା ଲାଗିଲାଣି

ସାଇନ୍‌ବୋର୍ଡ ଲଗାଇ ଭୁଲିଗଲେ, କେବେ ଖୋଲିବ ସିଆର୍‌ଆର୍‌ଆଇ ଥାନା?

Sambad

କଟକ: କଟକ କମିସନରେଟ୍ ପୁଲିସର ଚାଉଳିଆଗଞ୍ଜ ଥାନାରୁ କିଛି ସୀମାକୁ ଅଲଗା କରି ସିଆର୍‌ଆର୍‌ଆଇ ଅଞ୍ଚଳରେ ଏକ ନୂଆ ଥାନା କରିବା ପାଇଁ ସରକାର ସ୍ଥିର କରିଛନ୍ତି। ପ୍ରାୟ ୬ ମାସ ତଳେ ସିଆର୍‌ଆର୍‌ଆଇ ମେନ୍‌ରୋଡ୍‌ରେ ଏକ ଭଡ଼ାଘର ନିଆଯାଇ ନୂଆ ଥାନା ଆରମ୍ଭ ପାଇଁ ସରକାରଙ୍କ ତରଫରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଭଡ଼ାଘରର ପ୍ରଥମ ମହଲାରେ ଆଇଆଇସିଙ୍କ ଚ୍ୟାମ୍ୱର୍‌, କମ୍ପ୍ୟୁଟର୍‌ ରୁମ୍, ଓୟାର୍‌ଲେସ୍‌ ରୁମ୍, ପୁଲିସ ବାରାକ୍, ମହିଳା ଓ ପୁରୁଷ ହାଜତ ପ୍ରଭୃତି ପ୍ରାୟ ୫ମାସ ପୂର୍ବରୁ କାମ ସରିଛି। ଏହି ଥାନାରେ ଜଣେ ଆଇଆଇସି, ୪ଜଣ ଏସ୍‌.ଆଇ, ୩ଜଣ ଏ.ଏସ୍‌.ଆଇ, ୮ଜଣ କନ୍‌ଷ୍ଟେବଳ, ୧୫ ଓଏପିଏଫ୍ ଯବାନ୍‌, ୧୫ ହୋମଗାର୍ଡ ନିଯୁକ୍ତି ଦେବାକୁ କମିସନରେଟ୍‌ ପୁଲିସ ଗୃହ ବିଭାଗକୁ ଜଣାଇଥିଲେ ମଧ୍ୟ ସରକାର ଏହି ନୂଆ ଥାନାରେ କର୍ମଚାରୀ ନିଯୁକ୍ତି ନ ଦେଇ ନାହାନ୍ତି। ହେଲେ, ୬ ମାସ ହେବ ମାସିକ ୫୦ହଜାର କରି ଏହା ଭିତରେ ୩ଲକ୍ଷ ଟଙ୍କା ଘରଭଡ଼ା ଗଣି ସାରିଲେଣି। ଦୁଇମାସ ହେବ ଥାନାରେ ୧୦ ଲକ୍ଷ ଟଙ୍କାର ସିସି ଟିଭି କ୍ୟାମେରା ବି ଲାଗିଲାଣି।

ଥାନାରେ ସବୁ କାର୍ଯ୍ୟ ସରିଥିବା ବେଳେ ସରକାର ଏଠାରେ ନିଯୁକ୍ତି ନ ଦେଇ ମାସିକ ମୋଟା ଅଙ୍କର ଭଡ଼ା ଦେବା ପଛର କାରଣ କ’ଣ ତାହା ବୁଝା ପଡ଼ୁନି। ବିଭାଗ ପକ୍ଷରୁ ଏଠାରେ ‘ସିଆର୍‌ଆର୍‌ଆଇ ଥାନା’ ବୋର୍ଡ ଲଗାଯାଇଥିବା ବେଳେ ଭିତରେ ପୁଲିସ କର୍ମଚାରୀ ବସିବା ପାଇଁ ଆସବାବପତ୍ର ବି ପଡ଼ିଛି। ହେଲେ, କର୍ମଚାରୀ ନଥିବାରୁ ଏଯାଏ ଥାନା କାର୍ଯ୍ୟକାରୀ ହୋଇ ପାରି ନାହିଁ। ସୂଚନାଯୋଗ୍ୟ, ବହୁଦିନ ହେବ ପୂର୍ବାଞ୍ଚଳ ଲୋକଙ୍କ ଦାବି ଯୋଗୁଁ ସରକାର ଏହି ନୂଆ ଥାନାର ପରିକଳ୍ପନା କରିଥିଲେ। ହେଲେ, ଥାନାଟି କିପରି କାମ କରିବ, ସେଥିପାଇଁ ସରକାର କିମ୍ବା ପୁଲିସ ବିଭାଗ କ‌ୌଣସି ପଦକ୍ଷେପ ନେଉଥିବା ଦେଖାଯାଉନି। ଉଲ୍ଲେଖ୍ୟ, ପୂର୍ବରୁ ଚାଉଳିଆଗଞ୍ଜ ଥାନା ଅଧୀନରେ ଥିବା ନୂଆବଜାର ଛକର କିଛି ଅଂଶ, ପୋତାପୋଖରୀ, ମହିମାନଗର, ବିଦ୍ୟାଧରପୁର, ନୂଆବଜାର ସଦର ବ୍ଲକ୍‌, ଗାନ୍ଧୀପଲ୍ଲୀ, ଭଦିମୂଳ, କହ୍ନେଇପୁର, ଗତିରାଉତପାଟଣା, କେସପୁର୍, ସିଆର୍‌ଆର୍‌ଆଇ କ୍ୟାମ୍ପସ୍‌ ପ୍ରମୁଖ ଚାଉଳିଆଗଞ୍ଜ ଥାନା ସୀମାରୁ ସିଆର୍‌ଆର୍‌ଆଇ ଥାନା ଅଧୀନକୁ ଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe