ବାତ୍ୟା ଆଶ୍ରୟସ୍ଥଳୀ, ଡଙ୍ଗା ପ୍ରସ୍ତୁତ ରଖିବା ଉପରେ ଗୁରୁତ୍ବାରୋପ; କଟକରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ୯ଟି ଜୋନ୍‌ରେ ଭାଗ ହେବ କଟକ

ବାତ୍ୟା ଆଶ୍ରୟସ୍ଥଳୀ, ଡଙ୍ଗା ପ୍ରସ୍ତୁତ ରଖିବା ଉପରେ ଗୁରୁତ୍ବାରୋପ; କଟକରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

Sambad

କଟକ: ଗୋଟିଏ ପଟେ କରୋନାର ୨ୟ ଲହର, ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ‘ୟସ୍’ର ପୂର୍ବାନୁମାନ। ଏଭଳି ଘଡ଼ିସନ୍ଧି ସମୟରେ କିପରି ଏହାର ମୁକାବିଲା କରାଯିବ ସେ ସଂପର୍କରେ ଗୁରୁବାର ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଏହି ବୈଠକରେ ମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କୁ ସ୍ଵାଗତ କରିବା ପରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।
ଚଳିତବର୍ଷ ମୌସୁମୀ ବର୍ଷା ଓ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଉପରେ ବିଭାଗୀୟ ଅଧିକାରୀମାନେ ସତର୍କତା ସହିତ କାର୍ଯ୍ୟ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଡିଭିଜନ୍‌ ଅଧୀନରେ ଥିବା ନଦୀବନ୍ଧର ଦୁର୍ବଳ ଓ କ୍ଷତିପ୍ରବଣ ସ୍ଥାନଗୁଡ଼ିକୁ ନିର୍ବାହୀ ଯନ୍ତ୍ରୀ ପରିଦର୍ଶନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ନଦୀବନ୍ଧର ମରାମତି ଏବଂ ସୁଦୃଢୀକରଣ ଉପରେ ସାଂସଦ ଭର୍ତ୍ତୃହରି ମହତାବ, ମନ୍ତ୍ରୀ ଓ ବିଧାୟକମାନେ ଗୁରୁତ୍ଵାରୋପ କରିଥିଲେ।

ଖାଦ୍ୟ, ଯୋଗାଣ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଠଗଡ଼ରେ ଥିବା ସାପୁଆ ନଦୀବନ୍ଧର ମରାମତି ଓ ନଦୀ ନିକଟରେ ଥିବା ଜନବସତିକୁ କିପରି ସମ୍ଭାବ୍ୟ ବନ୍ୟାରୁ ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିବା, ବିଦ୍ୟୁତ ଯୋଗାଣ କିପରି ବ୍ୟାହତ ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ମହାନଗର ନିଗମ ଅଞ୍ଚଳରେ ଅଧିକ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ଓ ଜଳ ନିଷ୍କାସନ ଏବଂ ରାସ୍ତା ଘାଟ ମରାମତି ନେଇ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ନିଆଳି ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ଵାଳ, ଟାଙ୍ଗୀ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ସହିତ ଜରୁରୀକାଳୀନ ସେବା, ପାୱାର ବୋଟ୍‌ ଯୋଗାଣ ଉପରେ ଗୁରୁତ୍ଵାରୋପ କରିଥିଲେ। ସମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଜିଲ୍ଲାକୁ ୯ଗୋଟି ଜୋନରେ ବିଭକ୍ତ କରାଯାଇ ଏହାର ଉପଯୁକ୍ତ ପରିଚାଳନା ନିମନ୍ତେ ବରିଷ୍ଠ ଅଧିକାରୀମାନଙ୍କୁ ତଦାରଖ ଦାୟିତ୍ବ ଦିଆଯାଇଛି। ସମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲାରେ ୨୬ଗୋଟି ପାୱାର ବୋଟ୍‌ ମହଜୁଦ ଥିବା ବେଳେ ଅଧିକ ୭୮ଗୋଟି ପାୱାର ବୋଟ୍‌ ଓ ୧୨୭ ଗୋଟି ଦେଶୀ ଡଙ୍ଗା ମହଜୁଦ ଥିବା ବେଳେ ଅଧିକ ୧୪୧ ଗୋଟି ଦେଶୀ ଡଙ୍ଗା ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଦୁର୍ଗମ ଅଞ୍ଚଳମାନଙ୍କରେ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ୪୦ହଜାର କ୍ଵିଣ୍ଟାଲ ଖାଦ୍ୟ ସାମଗ୍ରୀ, ୨୬ହଜାର ଲିଟର କିରାସିନି ମହଜୁଦ ଥିବା ବୈଠକରେ ଆଲୋଚନା ହୋଇଥିଲା। ମହାନଗର ନିଗମ ସମେତ ପୌର ଓ ବ୍ଲକ୍‌ସ୍ତରରେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଚାଲୁ ରହିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ‘ୟସ୍’ ପରିସ୍ଥିତିର ମୁକାବିଲା ନିମନ୍ତେ ସ୍ଵତନ୍ତ୍ର ରିଲିଫ କମିସନରଙ୍କ ନିର୍ଦେଶାନାମା ଅନୁଯାୟୀ ସମସ୍ତ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ସତର୍କ ରହିବା, ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ବାତ୍ୟା ଆଶ୍ରୟସ୍ଥଳଗୁଡିକୁ ପ୍ରସ୍ତୁତ ରଖିବା ସହ ଗୃହପାଳିତ ପଶୁମାନଙ୍କ ସୁରକ୍ଷା ନିମନ୍ତେ ଯତ୍ନବାନ ହେବା, କୋଭିଡ ନିୟମ ଅନୁପାଳନ ପୂର୍ବକ କଚ୍ଚାଘରୁ ଲୋକଙ୍କୁ ସ୍ଥାନାନ୍ତରଣ ଇତ୍ୟାଦି ପାଇଁ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରାଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପିଡି ଡିଆର୍‌ଡିଏ ଅମ୍ବର କୁମାର କର, ସମସ୍ତ ଉପ-ଜିଲ୍ଲାପାଳ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe