New Indian Express
କଟକ: କରୋନା ସଂକ୍ରମଣ କମୁଛି, ଧୀରେ ଧୀରେ କଟକଣା ବି କୋହଳ ହେବାରେ ଲାଗିଛି। ମାତ୍ର କରୋନାଜନିତ ମୃତ୍ୟୁର ତାଣ୍ଡବ କମିବା ନା’ ଧରୁ ନାହିଁ। ପ୍ରତିଦିନ କରୋନା ରୋଗୀଙ୍କ ମୃତ୍ୟୁ ତଥ୍ୟ ନିଦ ହଜାଇ ଦେଇଛି। ସରକାରୀ ତଥ୍ୟ ମୁତାବକ ପ୍ରତିଦିନ ରାଜ୍ୟରେ ୫୦ରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହେଉଛି। ତେବେ କରୋନାରେ ରୋଗୀଙ୍କ ଶବଦାହ ହେଉଥିବା ଶ୍ମଶାନରୁ ଏବେ ବି ଜୁଇ ଲିଭିନି। ଜୁଇ ନିଆଁରୁ ଏ କଥା ସ୍ପଷ୍ଟ ଯେ, କରୋନା ପ୍ରକୋପ ଏବେ ବି ଭୟଙ୍କର ରହିଛି। ସତୀଚଉରା ଆଜି ବି କରୋନା ଭୟାବହତାର ସାକ୍ଷୀ ହୋଇ ରହିଛି। ମେ ଓ ଜୁନ ମାସରେ ସତୀଚଉରା କୋଭିଡ୍ ଶ୍ମଶାନରେ ହାରାହାରି ଦୈନିକ ୪୦ ଜଣେ କରୋନା ରୋଗୀଙ୍କ ମୃତଦେହ ଦାହ କରାଯାଉଥିବା ବେଳେ ଏବେ ଏହି ସଂଖ୍ୟା ସେତେଟା କମିନି। ସତୀଚଉରା ଶ୍ମଶାନାରେ ଅହରହ ଜୁଇ ଜଳୁଛି।
ଗତ ୧୦ଦିନର ତଥ୍ୟରୁ ଏ କଥା ସ୍ପଷ୍ଟ ହୋଇଛି। ଏଡି କୋଭିଡ୍ ଶ୍ମଶାନରେ ଜୁଲାଇ ୧ ତାରିଖରେ ୧୬ ଜଣଙ୍କ କରୋନା ଆକ୍ରାନ୍ତଙ୍କ ଶବ ପୋଡ଼ାଯାଇଥିବା ବେଳେ ୨ ତାରିଖରେ ୧୪, ୩ ତାରିଖରେ ୨୧, ୪ ତାରିଖରେ ୨୦, ୫ ତାରିଖରେ ୧୪, ୬ ତାରିଖରେ ୨୦, ୭ ତାରିଖରେ ୧୬, ୮ ତାରିଖରେ ୨୦, ୯ ତାରିଖରେ ୧୨ ଓ ୧୦ ତାରିଖରେ ୧୯ ଜଣ କୋଭିଡ୍ ରୋଗୀଙ୍କ ମୃତଦେହ ଦାହ କରାଯାଇଛି। ଚଳିତମାସର ପ୍ରଥମ ୧୦ ଦିନରେ ୧୭୨ ଜଣଙ୍କ ଶବ ଜଳିଛି। ଏହି ୧୦ ଦିନର ତଥ୍ୟରୁ କରୋନା ପ୍ରକୋପ ଏବେ ଯେ ରହିଛି ଏହା ସ୍ପଷ୍ଟ ବାରି ହୋଇ ପଡ଼ିଛି। ଅନ୍ୟପକ୍ଷରେ ଅନ୍ୟ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ବେଳେ କଟକ ଜିଲ୍ଲାରେ ସଂକ୍ରମଣ ଏଯାବତ୍ ସେତେଟା ହ୍ରାସ ପାଇ ନଥିବା ଦେଖାଯାଇଛି।
Follow Us