ସଙ୍କଟରେ ଡିଅର୍‌ ପାର୍କର ହରିଣ, ୯ବର୍ଷ ଧରି ନୂଆ ପାର୍କ ପାଇଁ ମିଳୁନି ଜମି

Advertisment

୪ ଏକର ଜମିରେ ୨୬୨ ହରିଣ

୪ ଏକର ଜମିରେ ୨୬୨ ହରିଣ

ସଙ୍କଟରେ ଡିଅର୍‌ ପାର୍କର ହରିଣ, ୯ବର୍ଷ ଧରି ନୂଆ ପାର୍କ ପାଇଁ ମିଳୁନି ଜମି

Sambad

କଟକ: କଟକ ସହରର ଉନ୍ନତୀକରଣ ଓ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ‌ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ପ୍ରକଳ୍ପର କାମ ଚାଲୁଛି। ହେଲେ, ୯ବର୍ଷ ମଧ୍ୟରେ ତୁଳସୀପୁରସ୍ଥିତ ହରିଣ ପାର୍କର ହରିଣଙ୍କ ପାଇଁ ସରକାର ନୂଆ ଠିକଣା ଖୋଜି ପାଇ ପାରୁ ନାହାନ୍ତି। ଉକ୍ତ ପାର୍କରେ କ୍ଷମତା ଠାରୁ ଅଧିକସଂଖ୍ୟକ ହରିଣ ଥିବାରୁ ସେମାନଙ୍କ ପାଇଁ ନୂଆ ଜାଗା ଚିହ୍ନଟି କରି ସ୍ଥାନାନ୍ତର କରିବାକୁ ୨୦୧୪ରେ ଜାତୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ସହର ଉପକଣ୍ଠର ବିଭିନ୍ନ ସ୍ଥାନକୁ ଏଥିପାଇଁ ସର୍ଭେ କରାଯାଉଛି। ମାତ୍ର ଦୀର୍ଘବର୍ଷ ବିତି ଯାଇଥିଲେ ବି ଜଙ୍ଗଲ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୌର ନିଗମ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଦ୍ବିତୀୟ ହରିଣ ପାର୍କ ପାଇଁ ସ୍ଥାନଟିଏ ପ୍ରସ୍ତୁତ ହୋଇପାରି ନାହିଁ। ସେପଟେ ଯେଉଁ ସ୍ଥାନରେ ଅଳ୍ପ କେତୋଟି ହରିଣ ରହିବା କଥା ସେଠାରେ ଏବେ ୨୬୨ଟି ହରିଣ ଅଛନ୍ତି। ଏପରି ଅବସ୍ଥାରେ ପରସ୍ପର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଅନେକ ହରିଣ ଆହତ ହେଉଥିବା ଦେଖାଯାଉଛି।

ସହରବାସୀଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହର ମଧ୍ୟରେ ଏବେ ତାଳଦଣ୍ଡା କେନାଲ୍‌ ସଂପ୍ରସାରଣ, ବକ୍ସଡ୍ରେନ୍‌, ନେତାଜୀ ସୁଭାଷ ବସ୍‌ ଟର୍ମିନାଲ୍‌, ଏସ୍‌ସିବି ଏମ୍‌ସ ପ୍ଲସ୍‌ ପରି ବିଭିନ୍ନ ପ୍ରକଳ୍ପ କାମ ଚାଲିଛି। ମାତ୍ର ତୁଳସୀପୁରସ୍ଥିତ ଡିଅର ପାର୍କର ହରିଣଙ୍କ ପାଇଁ ଦୀର୍ଘବର୍ଷ ଧରି କୌଣସି ସୁବିଧା ହୋଇ ପାରିଲା ନାହିଁ। ୪ ଏକର ଜାଗାରେ ଏବେ ୨୬୨ଟି ହରିଣ ଅଛନ୍ତି। ସେଥିମଧ୍ୟରୁ ୮୪ଟି ଅଣ୍ଡିରା, ୧୩୩ଟି ମାଇ ଓ ୪୫ଟି ଛୁଆ ଅଛନ୍ତି। ଅଳ୍ପ ସ୍ଥାନରେ ଦେଢ଼ଶହରୁ ଅଧିକ ହରିଣ ରହିବା, ପାର୍କ ଚାରିପାଖରେ ବ୍ୟସ୍ତବହୁଳ ରାସ୍ତା ଥିବା ଦେଖି ୨୦୧୪ ମସିହାରେ ଜାତୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ ହରିଣଙ୍କ ପାଇଁ ନୂଆ ସ୍ଥାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବା ସହିତ ଜଙ୍ଗଲ ବିଭାଗ ଏଠାକାର ୭୦ ପ୍ରତିଶତ ହରିଣଙ୍କୁ ନେଇ ଆଉ ଏକ ପାର୍କ ନିର୍ମାଣ କରି ରଖିବାକୁ କର୍ତ୍ତୃପକ୍ଷ କହିଥିଲେ। ଏହା ମଧ୍ୟରେ ସହର ଉପକଣ୍ଠର ବାରଙ୍ଗ, ମୁଣ୍ଡଳୀ ଓ ଡମପଡ଼ା ଆଦି ଅଞ୍ଚଳରେ ୬ରୁ ଅଧିକ ସ୍ଥାନ ଦେଖାଯାଇଥିଲେ ବି ହରିଣ ପାର୍କ ପାଇଁ ଗୋଟିଏ ସ୍ଥାନ ମନୋନୀତ ‌ହୋଇ ପାରି ନାହିଁ। ୨୦୨୧ରେ ବନବିଭାଗ, ଜିଲ୍ଲା ପ୍ରଶାସନ ଓ ପୌର ନିଗମ କର୍ତ୍ତୃପକ୍ଷଙ୍କ ଦ୍ବାରା ମୁଣ୍ଡଳୀସ୍ଥିତ ବାଆଁରା ଅଞ୍ଚଳରେ ୫୭ ଏକର ଜମି ଓ ପରେ ୨୦୨୨ରେ ଚନ୍ଦକା ଅଞ୍ଚଳରେ ୭୮ଏକରର ଏକ ଜାଗା ଚିହ୍ନଟ ହୋଇଥିଲା। ମାତ୍ର କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ କୌଣସି ଗୋଟିଏ ସ୍ଥାନରେ ଦ୍ବିତୀୟ ହରିଣ ପାର୍କ ନିର୍ମାଣ ପାଇଁ କାମ ଆଗକୁ ବଢିପାରୁ ନାହିଁ। ସୂଚନାଯୋଗ୍ୟ, ସହରବାସୀଙ୍କ ଆମୋଦ ପାଇଁ ୧୯୮୧ରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳଙ୍କ ଉଦ୍ୟମରେ ତୁଳସୀପୁରଠାରେ ମହାନଦୀ କୂଳରେ ଏହି ହରିଣ ପାର୍କ ନିର୍ମାଣ ହୋଇଥିଲା। ୪ ଏକର ଜାଗାରେ ସେତେବେଳେ ନନ୍ଦନକାନନରୁ ୮୫ଟି ହରିଣ ଆଣି ଏଠାରେ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe