ଏସ୍‌ସିବିରେ ଚତୁର୍ଥ ଡେଙ୍ଗୁ ମୃତ୍ୟୁ, ବାଲେଶ୍ୱରରୁ ସର୍ବାଧିକ ଆକ୍ରାନ୍ତ

ଏସ୍‌ସିବିରେ ଚତୁର୍ଥ ଡେଙ୍ଗୁ ମୃତ୍ୟୁ, ବାଲେଶ୍ୱରରୁ ସର୍ବାଧିକ ଆକ୍ରାନ୍ତ

କଟକ : ଏସ୍‌ସିବି ମେଡିକାଲ୍‌ରେ ଆଜି ଆଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ବାଲେଶ୍ୱର ବାଲିଆପାଳ ଅନ୍ତର୍ଗତ ଡୋଗ୍ରା ଗ୍ରାମର କୃପାସିନ୍ଧୁ ଦେଙ୍କ ପତ୍ନୀ ଗୌରରାଣୀ ଦେ (୭୩)। ଫଳରେ ଏସ୍‌ସିବି ମେଡିକାଲ୍‌ରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି। ଗୌରରାଣୀଙ୍କୁ ଗତ ୧୭ ତାରିଖରେ ଗୁରୁତର ଅବସ୍ଥାରେ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ ୧୮ ତାରିଖରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆଜି ଭୋର୍‌ ପ୍ରାୟ ସାଢେ ୩ଟା ବେଳକୁ ଗୌରରାଣୀଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଡେଙ୍ଗୁ ଜ୍ୱର ଯୋଗୁଁ ଗୌରରାଣୀଙ୍କ କିଡ୍‌ନୀ, ଲିଭର ଓ ବ୍ରେନ୍‌କୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ତାହାକୁ ସାଧାରଣ ଜ୍ୱର ଭାବି ତାଙ୍କର ଚିକିତ୍ସା କରାଯାଉଥିଲା। ହେଲେ ୧୭ ତାରିଖରେ ତାଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା। ତେଣୁ ତାଙ୍କୁ ବଡ଼ ମେଡିକାଲ୍‌କୁ ଅଣାଯାଇଥିଲା ବୋଲି କୁହାଯାଉଛି।

ବୁଧବାର ସୁଦ୍ଧା ଏସ୍‌ସିବି ମେଡିକାଲ୍‌ରେ ୮୧୭ ଜଣ ଚିକିତ୍ସା ପାଇସାରିଲେଣି। ସେଥିମଧ୍ୟରୁ ବାଲେଶ୍ୱରରୁ ସର୍ବାଧିକ ଆକ୍ରାନ୍ତ ଏଠାରେ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ମେଡିକାଲ୍‌ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ବାଲେଶ୍ଵରରୁ ୨୩୬ଜଣ ଏସ୍‌ସିବିରେ ଚିକିତ୍ସା ପାଇଛନ୍ତି। ଏହାତଳକୁ ରହିଛି ଭଦ୍ରକ (୧୩୧)। ୧୦୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ତାଲିକାର ତୃତୀୟ ସ୍ଥାନରେ ଯାଜପୁର (୧୩୧) ଓ ଚତୁର୍ଥ ସ୍ଥାନରେ କଟକ (୧୦୪) ରହିଛନ୍ତି। ଏମାନଙ୍କ ବ୍ୟତୀତ କେନ୍ଦ୍ରାପଡ଼ାରୁ ୫୪, କଟକ ସହରରୁ ୩୮, ଢେଙ୍କାନାଳରୁ ୨୦, କେନ୍ଦୁଝରରୁ ୧୮, ଖୋର୍ଦ୍ଧାରୁ ୧୩ ଓ ପଶ୍ଚିମବଙ୍ଗରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହୋଇଛନ୍ତି। ବର୍ତ୍ତମାନ ଡେଙ୍ଗୁ ଓ୍ଵାର୍ଡରେ ୮୭ ଜଣ ରୋଗୀ ଭର୍ତ୍ତି ହୋଇଥିଲାବେଳେ ସେମାନଙ୍କ ମଧ୍ୟରୁ ୩୬ଜଣ ମହିଳା ରୋଗୀ ଅନ୍ତର୍ଭୁକ୍ତ। ୬ଜଣ ଗୁରୁତର ଆକ୍ରାନ୍ତଙ୍କୁ ଆଇସିୟୁରେ ରଖାଯାଇଥିବା ନୋଡାଲ ଅଫିସର ଡାକ୍ତର ଶ୍ରୀପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe