Dangerous Zika Infected Mosquito Bite on Yellow Background. Leishmaniasis, Encephalitis, Yellow Fever, Dengue, Malaria Disease, Mayaro or Zika Virus Infectious Culex Mosquito Parasite Insect Macro.
କଟକ: ଡେଙ୍ଗୁରେ ସହରର ଭଗତପୁର ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟୁ ହେବା ପରେ ବି ନିଗମ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଲା ନାହିଁ। ଡେଙ୍ଗୁରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ଘର ପାଖ କିମ୍ବା ଭଗତପୁର ଅଞ୍ଚଳରେ ନିଗମ ପକ୍ଷରୁ ବୁସ୍ କଟିଂ କରାଗଲା ନାହିଁ। ନିଗମର ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମୃତ ଦୀପକ କୁମାର ମୁଦୁଲିଙ୍କ ପରିବାରକୁ ଯାଇ ସମସ୍ତ ମେଡିକାଲ ରିପୋର୍ଟ ଦେଖିବା ସହ ପଡୋଶୀଙ୍କ ମଧ୍ୟରେ କାହାଠାରେ ଜ୍ବରର ଲକ୍ଷଣ ଅଛି କି ନାହିଁ ତାହା ଦେଖି ଦାୟିତ୍ବ ଶେଷ କରି ଦେଇଛନ୍ତି। ଅନ୍ୟପଟେ ୱାର୍ଡର ଶିଳ୍ପୀ କୁମ୍ଭାରସାହି ଓ ନିମସାହି ଡେଙ୍ଗୁ ପ୍ରବଣ ଅଞ୍ଚଳ ଭାବେ ପରିଚିତ ଥିବା ବେଳେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସେଠାରେ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି। ପୌର ନିଗମ ୨୬ ନମ୍ବର ୱାର୍ଡର ଭଗତପୁର ଅଞ୍ଚଳର ଦୀପକ କୁମାର ମୁଦୁଲିଙ୍କ ଗତ ୧୭ ତାରିଖରେ ମୃତ୍ୟୁ ହୋଇଥିବା ବେଳେ ଆଜି ନିଗମର ଅଧିକାରୀ ତାଙ୍କ ଘରେ ପହଞ୍ଚିଥିଲେ। ମୃତ ଯୁବକଙ୍କ ଟ୍ରଭେଲ୍ ହିଷ୍ଟ୍ରି ସହ ଡେଙ୍ଗୁ ଚିକିତ୍ସା ବିଷୟରେ ପଚାରି ବୁଝିଥିଲେ। ଏହାସହ ମୃତକଙ୍କ ସାହିପଡୋଶୀଙ୍କ ଠାରେ ଡେଙ୍ଗୁର ଲକ୍ଷଣ ଅଛି କି ନାହିଁ ତାହା ବୁଝିଥିଲେ। ୨୦୧୯ରେ ୱାର୍ଡର ନିମସାହି ଓ ଶିଳ୍ପୀ କୁମ୍ଭାରସାହିରେ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ।
ଶିଳ୍ପୀ କୁମ୍ଭାରସାହିରେ ଖୋଲା ମାଟିପାତ୍ରରେ ପାଣି ଜମିବା ଡେଙ୍ଗୁ ମଶା ବଂଶ ବୃଦ୍ଧିର ଏକ କାରଣ ହୋଇଥିବାର ଆଶଙ୍କା କରାଯାଉ ଥିବା ବେଳେ ଏଠାରେ ନିଗମ ପକ୍ଷରୁ ସେପରି ସଚେତନତା କାର୍ଯ୍ୟକ୍ରମ କରାଯାଇ ନଥିବାର ଅଭିଯୋଗ ହୋଇଛି। ବିଗତଦିନରେ ୱାର୍ଡର ଏକାଧିକ ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଏଥିପାଇଁ ଏଠାରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଶେଷ ଗୁରୁତ୍ବ ଦେବାକୁ ନିଗମ ନିକଟରେ ବାରମ୍ବାର ଦାବି କରିଥିଲେ ବୋଲି ୱାର୍ଡର କର୍ପୋରେଟର ଗଗନ ଓଝା କହିଛନ୍ତି। ମାତ୍ର ଏଥିପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେଲେ ନାହିଁ। ୱାର୍ଡରେ ଡେଙ୍ଗୁ ଯେପରି ନିୟନ୍ତ୍ରଣ ମଧ୍ୟରେ ରହେ ଏ ଦିଗରେ ଅଧିକାରୀ କାମ କରିବାକୁ ଶ୍ରୀ ଓଝା ଦାବି କରିଛନ୍ତି। ମୃତକଙ୍କ ଚିକିତ୍ସା ସେବାକୁ ନେଇ ଅନୁଧ୍ୟାନ କରାଯିବା ସହ ଯେଉଁ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ ସେଠିକାର ସମସ୍ତ ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି ବୋଲି ନିଗମ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି। ଘରୋଇ ହସ୍ପିଟାଲରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏସ୍ସିବି କିମ୍ବା ନିଗମକୁ ସୂଚନା ଦେବାର ନିୟମ ଥିବା ବେଳେ ଏହାକୁ ଏଠାରେ ପାଳନ କରାଯାଇ ନାହିଁ। ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ୱାର୍ଡରେ ବୁସ୍ କଟିଂ ସହ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରିବାକୁ ୱାର୍ଡ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି।
Follow Us