୨୦୧୯ ସାଧାରଣ ନିର୍ବାଚନ ବନାମ୍ ୨୦୨୨ ପୌର ନିଗମ ନିର୍ବାଚନ: ଖସିଲା ବିଜେଡି, ବିଜେପି ଭୋଟ୍ ପ୍ରତିଶତ; ବଢ଼ିଛି କଂଗ୍ରେସ

ବିଜେଡିକୁ ୪୬, କଂଗ୍ରେସକୁ ୨୮, ବିଜେପିକୁ ୨୦ ପ୍ରତିଶତ ଭୋଟ୍

ଭୋଟରଙ୍କ ମନ ‘ପରିବର୍ତ୍ତନ’ ଚିନ୍ତା ଘାରିଲାଣି

The New Indian Express

କଟକ: ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଓ ୨୦୨୨ ପୌର ନିଗମ ନିର୍ବାଚନ ଫଳାଫଳକୁ ବିଶ୍ଳେଷଣ କରୁଛନ୍ତି ରାଜନୈତିକ ଦଳ। କିଏ ବଢିଛି, କିଏ ଖସିଛି, ତାହାକୁ ନେଇ ଚାଲିଛି ମାନସମନ୍ଥନ। ୨୦୧୯ରେ ବାରବାଟୀ-କଟକରେ ହାରି ବି ବିଜେଡି ମେୟର ପଦବି ସହ ୩୮ଟି ୱାର୍ଡରେ କର୍ପୋରେଟର ଜିତିଛି ୨୦୨୨ ପୌର ନିଗମ ନିର୍ବାଚନରେ। କଂଗ୍ରେସ ୨୦୧୯ରେ ବାରବାଟୀ-କଟକ ଜିତି ମଧ୍ୟ ୨୦୨୨ରେ ସେହି ଅଞ୍ଚଳରୁ ମାତ୍ର ୨ଟି କର୍ପୋରେଟର ଜିତିବା ସହିତ ମୋଟ ୮ଟି ୱାର୍ଡ ହାତେଇଛି। ଯେଉଁଭଳି ପ୍ରଚାର ଆଉ ପ୍ରସ୍ତୁତିରେ କଂଗ୍ରେସ ଆଗୁଆ ଥିଲା, ସଂଖ୍ୟା ଫଳାଫଳରେ ତାହା ଦେଖିବାକୁ ମିଳିଲା ନାହିଁ। ଅନ୍ୟପଟେ ବିଜେପି ୭ଟି ୱାର୍ଡରେ କର୍ପୋରେଟର ଜିତିଛି। କିନ୍ତୁ ଭୋଟ ପ୍ରତିଶତ ଦୃଷ୍ଟିରୁ ବିଚାର କଲେ କଂଗ୍ରେସକୁ ସର୍ବାଧିକ ଭୋଟ ଲାଭ ହୋଇଥିବା ବେଳେ ଉଭୟ ବିଜେଡି ଓ ବିଜେପି ଭୋଟ ପ୍ରତିଶତ ହ୍ରାସ ପାଇଛି।

କଟକ ପୌର ନିଗମ ନିର୍ବାଚନରେ ମତଦାନ ହାର ରହିଥିଲା ୫୪.୭୪ ପ୍ରତିଶତ। ୪ ଲକ୍ଷ ୫୦ ହଜାର ୭୫୯ ଜଣ ମତଦାତାଙ୍କ ମଧ୍ୟରୁ ୨ ଲକ୍ଷ ୪୬ ହଜାର ୭୬୭ ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିଥିଲେ। ମେୟର ପ୍ରାର୍ଥୀ ଭାବେ ବିଜେଡିର ସୁବାସ ସିଂହ ସର୍ବାଧିକ ୧ ଲକ୍ଷ ୧୩ ହଜାର ୫୬୨ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୬୮ ହଜାର ୩୫୬ ଖଣ୍ଡ ଭୋଟ, ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୪୯ ହଜାର ୨୨୩ ଖଣ୍ଡ ଭୋଟ ପାଇଥିଲେ। ଅନ୍ୟ ୧୩ ଜଣ ସ୍ବାଧୀନ ପ୍ରାର୍ଥୀ ୧୫ ହଜାର ୬୨୬ ଖଣ୍ଡ ଭୋଟ ପାଇଥିଲେ। ମତଦାନ ହୋଇଥିବା ଭୋଟରୁ ୪୬.୦୧ ପ୍ରତିଶତ ଭୋଟ ପାଇ ବିଜେଡିର ସୁବାସ ସିଂହ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ମିଳିଛି ୨୭. ୭୦ ପ୍ରତିଶତ ଭୋଟ ଏବଂ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ମିଳିଛି ୧୯.୯୪ ପ୍ରତିଶତ ଭୋଟ। ସ୍ବାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଛି ୬. ୩୩ ପ୍ରତିଶତ ଭୋଟ। ଅର୍ଥାତ ମୋଟାମୋଟି ଭାବେ ବିଚାର କଲେ ଶାସକ ଦଳ ସପକ୍ଷରେ ୪୬ ପ୍ରତିଶତ ଭୋଟ ରହିଥିବା ବେଳେ ୫୪ ପ୍ରତିଶତ ଭୋଟ୍ ବିପକ୍ଷରେ ରହିଛି।
୨୦୧୯ ସାଧାରଣ ନିର୍ବାଚନ ସହ ୨୦୨୨ ପୌର ନିଗମ ଫଳାଫଳକୁ ବିଚାର କଲେ ବିଜେଡିର ଭୋଟ ପ୍ରତିଶତ ୪୭.୧୬ ପ୍ରତିଶତରୁ ୪୬.୦୧ ପ୍ରତିଶତକୁ ହ୍ରାସ ପାଇଛି। ବିଜେପିର ଭୋଟ ପ୍ରତିଶତ ୩୨.୦୯ ପ୍ରତିଶତରୁ ୧୯.୯୪ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ୟପଟେ କଂଗ୍ରେସ ଭୋଟ ପ୍ରତିଶତ ୧୪.୬୧ ପ୍ରତିଶତରୁ ୨୭. ୭୦ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୯ରେ କଂଗ୍ରେସ କେବଳ ବାରବାଟୀରେ ୩୭.୬୩ ପ୍ରତିଶତ ଭୋଟ ପାଇଥିବା ବେଳେ ଚୌଦ୍ବାର-କଟକରେ କିନ୍ତୁ ୫.୦୭ ପ୍ରତିଶତ ଏବଂ ସଦରରେ ୩.୯୯ ପ୍ରତିଶତ ଭୋଟ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe