କଟକ: କଟକରେ ଏବେ ଚାରି ଦିନ ହେଲାଣି ବନ୍ଦ ହୋଇଯାଇଛି ଘରୋଇ ଲାବ୍ରୋଟୋରିରେ କରୋନା ସଂକ୍ରମଣ ଜାଣିବା ପାଇଁ ସ୍ବାବ ପରୀକ୍ଷା (ଆଣ୍ଟିଜେନ୍)। ଯେଉଁ ଦିନଠାରୁ ସହରରେ ଘରୋଇ ପରୀକ୍ଷା ବନ୍ଦ ରହିଛି, ସେହିଦିନ ଠାରୁ ସଂକ୍ରମଣ ସଂଖ୍ୟା ବି ୫ଶହରୁ ୩ଶହକୁ ଖସି ଆସିଛି। ସଂକ୍ରମଣ ସଂଖ୍ୟା କମ ଦର୍ଶାଇବାକୁ ପ୍ରଶାସନ ଏଭଳି ଏକ ଅଙ୍କୁଶ ହଠାତ ଜାରି କଲା କି ବୋଲି ଗୋଟିଏ ପଟେ ପ୍ରଶ୍ନ ଉଠୁଥିବା ବେଳେ ଅନ୍ୟପଟେ ଟଙ୍କା ଦେଇ ପରୀକ୍ଷା କରିବାକୁ ପ୍ରସ୍ତୁତ ଥିବା ଲୋକେ ଏବେ ଘରୋଇ ପରୀକ୍ଷା ବନ୍ଦ ଯୋଗୁଁ ସମସ୍ୟାରେ ପଡିଛନ୍ତି। ଅନେକ ଗୁରୁତର ରୋଗୀ ବି ତୁରନ୍ତ ପରୀକ୍ଷା କରି ନ ପାରି ସମସ୍ୟାରେ ପଡୁଛନ୍ତି।
ସରକାରୀସ୍ତରରେ ଏଥିପାଇଁ ବ୍ୟବସ୍ଥା ରହିଥିଲେ ବି ସେଠାରେ ଯେଉଁଭଳି ଘଣ୍ଟାଘଣ୍ଟା ଧାଡି ବାନ୍ଧି ଛିଡା ହେବାକୁ ପଡୁଛି, ସେଠାକୁ ଯିବା ପାଇଁ ଅନେକ ଲୋକ ଡରୁଛନ୍ତି। ଅନ୍ୟପଟେ ଅଧିକ ଟଙ୍କା ନେଇ ଭୁବନେଶ୍ବରରେ ଘରୋଇ ପରୀକ୍ଷା ବ୍ୟବସ୍ଥା ଏବେ ବି ଜାରି ରହିଥିବା ବେଳେ କଟକ ପାଇଁ କ’ଣ ଅଲଗା ନିୟମ କି ବୋଲି ପ୍ରଶ୍ନ ଉଠୁଛି।
ସରକାର ଆଣ୍ଟିଜେନ୍ ପରୀକ୍ଷା ଘରୋଇ ଭାବେ କରିବା ପାଇଁ ୪୫୦ ଟଙ୍କା ଧାର୍ଯ୍ୟ କରିଥିଲେ। କିନ୍ତୁ ସ୍ବୀକୃତି ପାଇଥିବା ବିଭିନ୍ନ ଘରୋଇ ଲାବ୍ରୋଟୋରି ୧୧ଶହ ଟଙ୍କାରୁ ଅଧିକ ଏଥିପାଇଁ ନେବାରୁ ବିବାଦ ମୁଣ୍ଡ ଟେକିଥିଲା ଏବଂ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଥିଲା। ତାହା ପରଠାରୁ କଟକରେ ଘରୋଇ ପରୀକ୍ଷା ବନ୍ଦ ରହିଛି। କିନ୍ତୁ ଜିଲ୍ଲା ପ୍ରଶାସନ ସ୍ବୀକୃତିପ୍ରାପ୍ତ ଲାବ୍ରୋଟୋରିଙ୍କୁ ଡକାଇ ଆଲୋଚନା କରିବା ସହିତ ସରକାରୀ ଧାର୍ଯ୍ୟ ଦର ଅନୁଯାୟୀ ପରୀକ୍ଷା କରିବାକୁ ପରାମର୍ଶ ଦେଇଛି।
image source--long island pressକିନ୍ତୁ ଏଥିପାଇଁ ଅଧିକ ଖର୍ଚ୍ଚ ହେଉଥିବା ଘରୋଇ ଲାବ୍ରୋଟୋରି ଦର୍ଶାଇବା ପରେ ସେମାନେ କେତେ ଟଙ୍କାରେ ପରୀକ୍ଷା କରିବାକୁ ଚାହୁଁଛନ୍ତି ସେ ସଂପର୍କରେ ସେମାନଙ୍କଠାରୁ ପ୍ରସ୍ତାବ ନେଇ ଅନୁମୋଦନ ପାଇଁ ସରକାରଙ୍କ ନିକଟକୁ ପଠାଯାଇଛି। ସୂଚନା ଅନୁଯାୟୀ ଗୋଟିଏ ଗୋଟିଏ ଲାବ୍ରୋଟୋରି ୯୩୩ ଟଙ୍କାରେ ଆଣ୍ଟିଜେନ ପରୀକ୍ଷା କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଗୋଟିଏ ଗୋଟିଏ ଲାବ୍ରୋଟୋରି ୧୬ଶହ ଟଙ୍କାରେ ଆଣ୍ଟିଜେନ୍ ପରୀକ୍ଷା କରିବେ ବୋଲି ପ୍ରସ୍ତାବ ଦେଇଛନ୍ତି।
ଏଥିରେ ବିଶେଷ ତାରତମ୍ୟ ରହୁଥିବାରୁ ଏବେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ସରକାରଙ୍କ ନିଷ୍ପତ୍ତି ଆସିବା ପରେ ଏ କ୍ଷେତ୍ରରେ ଅଚଳାବସ୍ଥା ଦୂର ହୋଇପାରିବ ବୋଲି ଆଶା କରାଯାଉଛି।
ଅନ୍ୟପଟେ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ କହିଛନ୍ତି ଯେ ପ୍ରଶାସନ ଘରୋଇ ପରୀକ୍ଷା ବନ୍ଦ କରିବାକୁ କୌଣସି ସମୟରେ କହି ନାହିଁ। କିନ୍ତୁ ସରକାର ଯେତେବେଳେ ଦର ଧାର୍ଯ୍ୟ କରିଛନ୍ତି, ତାହା ଯେଭଳି ପାଳନ ହେବ, ତାହା କାର୍ଯ୍ୟକାରୀ କରିବା ଦାୟିତ୍ବ ହେଉଛି ପ୍ରଶାସନର। ତେଣୁ ସେହି ଅନୁଯାୟୀ ପଦକ୍ଷେପ ନିଆଯାଇଛି। ସରକାରୀ ଧାର୍ଯ୍ୟ ଦରରେ ଘରୋଇ ଲାବ୍ରୋଟୋରି ପରୀକ୍ଷା କରିବାରେ କୌଣସି ସମସ୍ୟା ନାହିଁ। ଏବେ ଘରୋଇ ଲାବ୍ରୋଟୋରି ଦେଇଥିବା ପ୍ରସ୍ତାବ ବି ସରକାରଙ୍କ ନିକଟକୁ ପଠାଇ ଦିଆଯାଇଛି।
ସରକାରଙ୍କର ଯେଉଁ ନିଷ୍ପତ୍ତି ଆସିବ, ସେହି ଅନୁଯାୟୀ ପଦକ୍ଷେପ ନିଆଯିବ। କିନ୍ତୁ ସରକାରଙ୍କ ନିୟମ ଖିଲାପ କରିବା ଅଧିକାର କାହାର ନାହିଁ। ସରକାର ଯଦି ଦର ଧାର୍ଯ୍ୟ କରି ନଥାନ୍ତେ ତେବେ ପ୍ରଶାସନର କିଛି କହିବାର ନଥିଲା। ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ନେବାକୁ ଶୋଷଣ ବୋଲି ଧରା ଯିବ।
Follow Us