Sambad
କଟକ: କଟକ ସହରରେ ମଶା ଭଳି ବୁଲା କୁକୁର ଏକ ଗୁରୁତର ସମସ୍ୟା ଭାବେ ମୁଣ୍ଡ ଟେକିଛି। ପ୍ରତି ଗଳିକନ୍ଦିରେ ବୁଲା କୁକୁରଙ୍କ ଉତ୍ପାତ ବଢୁଛି। କୁକୁରଙ୍କ ପାଇଁ ପ୍ରତିଦିନ ଦୁର୍ଘଟଣା ଘଟୁଛି। କିଛିଦିନ ତଳେ ଦୁର୍ଘଟଣାରେ ମୃତ ଏକ ବୁଲା କୁକୁରକୁ ରାସ୍ତାରୁ ଉଠାଇ ମେୟର୍ ସୁବାସ ସିଂହ ପ୍ରଶଂସା ଭାଜନ ହୋଇଥିଲେ। କିନ୍ତୁ ସହରର ବୁଲା କୁକୁରଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯୋଜନା ଥିଲେ ବି ତାହା ସଫଳ ହେଉ ନାହିଁ। କୁକୁର ବନ୍ଧ୍ୟାକରଣ ଯୋଜନା ଏକପ୍ରକାର ବିଫଳ ହୋଇଛି। ଆବଶ୍ୟକ ଭିତ୍ତିଭୂମି ଓ ପାଣ୍ଠି ଅଭାବରୁ ଏ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ସହରରେ କୁକୁରଙ୍କ ସଂଖ୍ୟା ଗତ ୫ବର୍ଷ ଭିତରେ ୫ ଗୁଣା ବଢ଼ିଛି। ସହରରେ ହାରାହାରି ୫୦ ହଜାରରୁ ଅଧିକ ବୁଲା କୁକୁର ଥିବା ନେଇ ୨୦୧୮ରେ ଏକ ଆକଳନ କରାଯାଇଥିଲା। ଏବେ ଏହି ସଂଖ୍ୟା ବୃଦ୍ଧି ପାଇଥିବାରୁ ପ୍ରତି ଗଳିକନ୍ଦିରେ ବୁଲା କୁକୁର ସମସ୍ୟା ଦେଖାଦେଇଛି। ସେପଟେ ସିଏମ୍ସି ପକ୍ଷରୁ କୁକୁର ବନ୍ଧ୍ୟାକରଣ ପାଇଁ କୌଣସି ଦୀର୍ଘକାଳୀନ ଯୋଜନା ନାହିଁ। ଏଥିପାଇଁ ଆବଶ୍ୟକ ପ୍ରାଣୀ ଚିକିତ୍ସକଙ୍କ ଅଭାବରୁ ବନ୍ଧ୍ୟାକରଣ ହୋଇପାରୁନାହିଁ। ବର୍ତ୍ତମାନ ମାତ୍ର ଜଣେ ଡାକ୍ତର ଥିବା ବେଳେ ତାଙ୍କଦ୍ବାରା ଏତେ ସଂଖ୍ୟକ କୁକୁରଙ୍କ ବନ୍ଧ୍ୟାକରଣ ସମ୍ଭବ ନୁହେଁ ବୋଲି ଜଣେ ଅଧିକାରୀ କହିଛନ୍ତି। କୁକୁରଙ୍କୁ ଧରି ଆଣିବା ପାଇଁ ଥିବା ଗାଡ଼ି ଥିଲେ ବି ତାହା ଆଉ ବୁଲୁ ନାହିଁ। ଏଥିପାଇଁ ପୌର ସଂସ୍ଥା ପକ୍ଷରୁ ଏକ ଦୀର୍ଘମିଆଦି ଯୋଜନା ପ୍ରଣୟନ କରିବାକୁ ଦାବି ହୋଇଛି। ଅଧିକ ସଂଖ୍ୟକ ପ୍ରାଣୀ ଚିକିତ୍ସକ ନିଯୁକ୍ତ କରିବା, କୁକୁର ଗଣନା କରିବା ସହିତ ଏହାର ନିୟମିତ ସର୍ଭେ କରି ରିପୋର୍ଟ ଦେବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ୨୦୧୮ରେ ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଏକ ଯୋଜନା କରାଯାଇଥିଲା। ବର୍ଷକୁ ୧୦ ହଜାର ବୁଲା କୁକୁର ବନ୍ଧ୍ୟାକରଣ କରିବା, ବୁଲା କୁକୁର ଧରି ସେମାନଙ୍କୁ ସାତ ଦିନ ପାଇଁ ପୃଥକ ରଖିବା, ଆଣ୍ଟି ରାବିସ୍ ଇଂଜେକସନ୍ ଓ ଔଷଧ ଦେବା, ପୃଥକ ବେଳେ ସେମାନଙ୍କ ଖାଦ୍ୟ ଓ ଔଷଧ ପାଇଁ ବ୍ୟବସ୍ଥା କରିବାକୁ ଯୋଜନା ହୋଇଥିଲା। କୁକୁର ପିଛା ୪୫୦ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଥିଲା। କୁକୁର ଧରିବା ପାଇଁ ରହିଥିବା ଗାଡ଼ି କୁକୁରଙ୍କୁ ଧରି ପୃଥକ ରଖିବାକୁ ନିର୍ଦ୍ଦେଶ ଥିଲା। ମାସିକ ପାଖାପାଖି ୪ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଥିଲା। ବିକାଶ ମହାପାତ୍ର କମିସନର ଥିବାବେଳେ ଏଭଳି ଏକ ମହତ ଯୋଜନା ହୋଇଥିଲା। ମାତ୍ର ଯୋଜନା କେବଳ ଯୋଜନାରେ ହିଁ ରହିଗଲା। ଗତ ୫ ବର୍ଷ ଭିତରେ ଏ ଯୋଜନାକୁ ସଫଳ ଭାବେ କାର୍ଯ୍ୟକାରୀ କରାଯାଇନାହିଁ। ଆବଶ୍ୟକ ଭିତ୍ତିଭୂମି ଓ ପାଣ୍ଠିର ଅଭାବ ଯୋଗୁଁ ବୁଲା, ରୋଗା କୁକୁର ସଂଖ୍ୟା ବଢିଛି। ବର୍ତ୍ତମାନ ନୂଆ କାଉନସିଲ୍ ହେବା ପରେ ଏହାକୁ ନେଇ ବିଧିବଦ୍ଧ ଯୋଜନା କରିବାକୁ ଦାବି ହୋଇଛି। ଅନ୍ୟପଟେ ଏଥିପାଇଁ ଅଧିକ ଡାକ୍ତର ନିଯୁକ୍ତି ଦେବାକୁ ସରକାରଙ୍କୁ ସିଏମସି ପକ୍ଷରୁ ଚିଠି କରାଯାଇଥିବା ସୂଚନା ରହିଛି।
Follow Us