ଡବଲ ହେଲ୍‌ମେଟ୍‌ ନିୟମ ବଢ଼ାଇଛି ହେଲମେଟ୍‌ ବେପାର

Advertisment
ଡବଲ ହେଲ୍‌ମେଟ୍‌ ନିୟମ ବଢ଼ାଇଛି ହେଲମେଟ୍‌ ବେପାର

Sambad

କଟକ: ସରକାରଙ୍କ ଡବଲ ହେଲମେଟ୍‌ ନିୟମ ବଢ଼ାଇଛି ହେଲମେଟ୍‌ ବେପାର। ଜରିମାନା ଭୟରେ ହୁ ହୁ ହୋଇ ବଢ଼ୁଛି ହେଲମେଟ୍‌ ଡିମାଣ୍ତ। ପୂର୍ବରୁ ଗାଡ଼ିଚାଳକ ହେଲମେଟ୍‌‌ ବ୍ୟବହାର ବାଧ୍ୟତାମୂଳକ ଥିବାବେଳେ ଏବେ ପରିବହନ ବିଭାଗ ପକ୍ଷରୁ ଗାଡ଼ି ଚାଳକଙ୍କ ସମତେ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଜାନୁଆରି ୧ ତାରିଖରୁ ଲାଗୁ ହୋଇଥିବାରୁ ସହରବାସୀଙ୍କ ମନରେ ଜରିମାନାର ଭୟ ବଢ଼ିଯାଇଛି। ଏବେ ସେଇଥିପାଇଁ ହେଲ୍‌ମେଟ୍‌ କିଣିବା ପାଇଁ ହେଲମେଟ୍‌ ଦୋକାନରେ ଭିଡ଼ ଦେଖିବାକୁ ମିଳୁଛି। ଲୋକେ ନିଜ ସୁରକ୍ଷା ‌ପାଇଁ କମ୍‌, ବରଂ ଜରିମାନାରୁ ବଞ୍ଚିବା ପ‌ାଇଁ ଅଧିକ ହେଲମେଟ୍‌ କିଣୁଥିବା ନଜରକୁ ଆସିଛି। ଗ୍ରାହକଙ୍କ ଆବଶ୍ୟକ ଅନୁଯାୟୀ ଦୋକାନୀମାନେ ମଧ୍ୟ ସହରର ଗଳକନ୍ଦି ଓ ପ୍ରମୁଖ ସ୍ଥାନମାନଙ୍କରେ ହେଲ୍‌ମେଟ୍‌ ପସରା ମେଲାଇଛନ୍ତି। ହେଲ୍‌ମେଟ୍‌ ମଧ୍ୟରେ ଓମେଗା, ସୋନି, ଷ୍ଟଡ୍‌, ଭେଗା, ହିଲକ୍ସ, ଷ୍ଟିଲବାର୍ଡ ଭଳି ବ୍ରାଣ୍ତ ରହିଛି। ଏହାର ଦର ୪୫୦ ଟଙ୍କାରୁ ୧୫ଶହ ଟଙ୍କା ରହିଥିବାବେଳେ ଏବେ ହାଫ୍‌ ହେଲମେଟ୍‌ ବା ଲେଡିଜ୍‌ ହେଲମେଟ୍‌ ଅଧିକ ଡିମାଣ୍ତରେ ରହିଛି। ଲକ୍‌ଡାଉନ ଯୋଗୁଁ ଦୋକାନୀମାନେ ଦୀର୍ଘଦିନ ହେବ ସହି ଆସୁଥିବା କ୍ଷତିକୁ ବର୍ତ୍ତମାନର ଡବଲ ହେଲ୍‌ମେଟ୍‌ ବେପାର ଲାଭରେ ପରିଣତ କରିଥିବା ଦୋକାନୀମାନେ ପ୍ରକାଶ କରିଛନ୍ତି।

publive-image Sambad

ଜରିମାନାରୁ ବଞ୍ଚିବା ପାଇଁ ‌ଲୋକେ ଅଧିକ କିଣୁଛନ୍ତି
ହେଲମେଟ୍‌ ଲୋକେ ଅଧିକ ବ୍ୟବହାର କରିବାକୁ ପସନ୍ଦ କରି ନଥାନ୍ତି। ହେଲେ ଏବେ ପରିବହନ ବିଭାଗ ପକ୍ଷରୁ ଲାଗୁ ହୋଇଥିବା ଡବଲ ହେଲ୍‌ମେଟ୍‌ ନିୟମ ଯୋଗୁଁ ଲୋକେ ବାଧ୍ୟହୋଇ ହେଲ୍‌ମେଟ୍‌ କିଣୁଛନ୍ତି। ଦିନକୁ ୨୦ ରୁ ଅଧିକ ହେଲ୍‌ମେଟ୍‌ ବିକ୍ରି ହେଉଛି। ଅଧିକାଂଶ ହାଫ୍‌ ହେଲ୍‌ମେଟ୍‌ ବା ଲେଡିଜ୍‌ ହେଲ୍‌ମେଟ୍‌ ବିକ୍ରି ହେଉଛି।
-ମୌମିତା ସାହା, ବ୍ୟବସାୟୀ

ନିୟମ ଯୋଗୁଁ ବ୍ୟବସାୟ ଜୋର ହେଉଛି
‌ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଡବଲ ହେଲ୍‌ମେଟ୍‌ ନିୟମ ହିଁ ବେପାରକୁ ଦୁଇଗୁଣା କରିଛି। ଲକ୍‌ଡାଉନ ସମୟର କ୍ଷତିକୁ ଭରଣା କରିପାରିଛି। ଆଗାମୀ ଦିନରେ ନିୟମ କଡ଼ାକଡ଼ି ଭାବେ ପାଳନ କରାଗଲେ ଭଲ ଦୁଇପଇସା ବେପ‌ାର ହେବ ବୋଲି ଆଶା କରୁଛି।

-ତ୍ରିଲୋଚନ ସେନାପତି, ବ୍ୟବସାୟୀ

ହାଫ୍‌ ହେଲ୍‌ମେଟ୍‌ର ଅଧିକ ଡିମାଣ୍ତ୍‌
ଡବଲ ହେଲ୍‌ମେଟ୍‌ ଯୋଗୁଁ ଏବେ ବେପାର ଡବଲ ହୋଇଯାଇଛି। ଯେଉଁଠି ଦିନକୁ ୫ଟି ହେଲ୍‌ମେଟ୍‌ ବିକିବା କ‌ଷ୍ଟକର ହେଉଥିଲା ଏବେ ତାହା ୩୦ରୁ ଅଧିକ ହେଉଛି। ବହୁ କ୍ଷତି ସହିବା ପରେ ଏପରି ନିୟମ ଯୋଗୁଁ ‌ବେପାରରେ ଖୁସି ମିଳୁଛି। ନିୟମ କଡ଼ାକଡ଼ି ଭାବେ ପାଳନ ‌କରାଗଲେ ଆମର ବେପାର ଭଲ ଜମିବ।
-ଦାମୋଦର ସେନାପତି, ବ୍ୟବସାୟୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe