The New Indian Express
ବାରଙ୍ଗ: ଭୁଆସୁଣି ଡମ୍ପିଂୟାର୍ଡକୁ ନେଇ ବିବାଦ ଥମୁନି। ନୂଆ ଅଳିଆ ବନ୍ଦ କରିବା ପରେ ବାୟୋମାଇନିଂ ପ୍ରକଳ୍ପ ଆରମ୍ଭ କରିବାକୁ ଦାରୁଠେଙ୍ଗ ପଞ୍ଚାୟତବାସୀ ଜିଦ୍ ଧରିଥିବା ବେଳେ ବିଏମ୍ସି ଆବର୍ଜନା ଗଦାଇବା ପାଇଁ ଜାଗା ପାଉନାହିଁ। ଫଳରେ ପ୍ରକଳ୍ପ ଝୁଲି ରହିଛି। ଏହାକୁ ନେଇ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଭରି ରହିଛି। ଆଜି ଦାରୁଠେଙ୍ଗରେ ଥିବା ଏକ ମଣ୍ଡପରେ ଅନୁଷ୍ଠିତ ବିଜେଡି କର୍ମୀ ସମ୍ମିଳନୀରେ ଏହି ଡମ୍ପିଂୟାର୍ଡ ନିଆଁ ଜଳିଛି। ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ବେଳେ ଏହା ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଏଥିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ ଓ ରାଜ୍ୟସଭା ସାଂସଦ ମୁନା ଖାଁଙ୍କୁ ଏ ବାବଦରେ ସ୍ଥାନୀୟ ଲୋକେ ଘେରିଥିଲେ। ଭୁଆସୁଣିରୁ ଅଳିଆ ହଟିବା ପାଇଁ ନେତାମାନେ ପ୍ରୟାସ କରନ୍ତୁ ବୋଲି ଗୋପୀନାଥ ମହାନ୍ତିଙ୍କ ସମେତ କବିରାଜ ବିଧାର, ତପନ କୁମାର ପ୍ରଧାନ, ରାଜା ସ୍ୱାଇଁ, ସାଧୁ ସାମନ୍ତରାୟ, ଉପସଭାପତି ରାକେଶ ପଟ୍ଟନାୟକ, ସଭାପତି ପୀତବାସ ପ୍ରଧାନ, ଦେବସ୍ମିତା ଦାସ, ସଂଗ୍ରାମ ପ୍ରଧାନ ପ୍ରମୁଖ ଦାବି କରିଥିଲେ।
ଦୀର୍ଘ ସମୟ ଧରି ସେଠାରେ ଏହି ଆବର୍ଜନାକୁ ନେଇ ହୋହଲ୍ଲା ହୋଇଥିଲା। ବର୍ଷା ଦିନ ଆସିଥିବାରୁ ସେଠାରେ ପରିସ୍ଥିତି ଆହୁରି ଭୟଙ୍କର ହୋଇଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଦୁର୍ଗନ୍ଧ ବଢ଼ିବା ସହ ସେଠାରୁ ଏକପ୍ରକାରର ପୋକ ବାହାରି ଘରେ ପଶୁଛନ୍ତି। ଏଣୁ ସେଠାରେ ବସବାସ କରୁଥିବା ହଜାର ହଜାର ବାସିନ୍ଦା ଚିସନ୍ତାରେ ପଡ଼ିଥିବା ସେମାନେ କହିଥିଲେ। ଏହି ସମସ୍ୟାର ସମାଧାନ ଦାୟିତ୍ବ ସମ୍ପୂର୍ଣ୍ଣ ବିଏମ୍ସିର ହୋଇଥିଲେ ମଧ୍ୟ ସରକାରୀସ୍ତରରେ ଉଦ୍ୟମ କରାଯିବ ବୋଲି ଉଭୟ ନେତା ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ବର୍ଷାଜଳ ନିଷ୍କାସନ ଲାଗି ପ୍ରତି ସାହିରେ ନଳା କରିବା, ଅବହେଳିତ ଅବସ୍ଥାରେ ଥିବା ଗ୍ରାମର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ ପ୍ରଭୃତି ଉପରେ ଲୋକମାନେ ଗୁରୁତ୍ବାରୋପ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଆଇନଜୀବୀ ଧନୁର୍ଦ୍ଧର ସୁନ୍ଦରାୟ। ପରିଚୟ ପ୍ରଦାନ କରିଥିଲେ ଅକ୍ଷୟ ପାହାଡ଼ସିଂ। ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ।
Follow Us