ବିଧାୟକ ପ୍ରଶାନ୍ତ ବେହେରାଙ୍କ ପାଇଁ ବଢ଼ୁଛି ଚାଲେଞ୍ଜ: ଅସଂରକ୍ଷିତ ସାଲେପୁର ପଞ୍ଚାୟତସମିତି ଅଧ୍ୟକ୍ଷ ପଦ ପାଇଁ ୬ ଆଶାୟୀ

ଆଜି ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ଗଡ଼ ସମେତ ୧୬ ଜୋନ୍‌ରେ ମତଦାନ, ଦିନକର ରାଜା ‘‌ଭୋଟର୍’

Sambad

କଟକ: ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲାଣି ଅଙ୍କକଷା। ରାଜନୀତି ଦୃଷ୍ଟିରୁ ଜିଲ୍ଲାର ସମ୍ବେଦନଶୀଳ ବ୍ଲକ୍‌ ସାଲେପୁରରେ ପଞ୍ଚାୟତ ସମିତି ଅଧ୍ୟକ୍ଷଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପାଇଁ ବି ଏବେ ମାଳ ମାଳ ଆଶାୟୀ। ସାଲେପୁର ବ୍ଲକ୍‌ ଅଧ୍ୟକ୍ଷ ଆସନ ଅସଂରକ୍ଷିତ ରହି ଥିବାରୁ ଆଶାୟୀଙ୍କ ସଂଖ୍ୟା ବଢୁଛି। ବିଜେଡି ଭିତରେ ଏବେ ପଂଚାୟତ ସମିତି ଅଧ୍ୟକ୍ଷ ହେବାକୁ ୬ରୁ ଅଧିକ ଆଶାୟୀଙ୍କ ନାମ ସାମ୍ନାକୁ ଆସିଲାଣି। ଏହି ସଂଖ୍ୟା ଆଗକୁ ବି ଆହୁରି ବଢିବ ବୋଲି କୁହାଯାଉଛି। ଏଭଳି ସ୍ଥିତି ବିଧା‌ୟକ ପ୍ରଶାନ୍ତ ବେହେରାଙ୍କ ପାଇଁ ଚାଲେଞ୍ଜ ହେବାକୁ ଯାଉଛି। ସାଲେପୁର ବ୍ଲକ୍‌ରେ ୪ଟି ଜିଲ୍ଲାପରିଷଦ ଆସନ ମଧ୍ୟରୁ ଗୋଟିଏ ଆସନ ଜୋନ୍‌ ୪୫ ଅସଂରକ୍ଷିତ ରହିଥିବା ବେଳେ ବାକି ୩ଟି ଆସନ ଅର୍ଥାତ୍‌  ସାଲେପୁର ଜୋନ ୪୩ ଆସନ ଏସ୍‌ସି(ମହିଳା)ବର୍ଗଙ୍କ ପାଇଁ, ଜୋନ ୪୪ ଆସନ ଏସ୍‌ସି, ୪୬ନମ୍ବର ଜୋନ ଏସ୍‌ସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଫଳରେ ଏହି ସବୁ ଆସନରେ କାହାକୁ ଦଳ ପ୍ରାର୍ଥୀ କରିବ ତାକୁ ନେଇ ଆରମ୍ଭ ହୋଇଛି ଲବି। ବର୍ତ୍ତମାନ ଜୋନ ୪୫କୁ ପ୍ରତିନିଧିତ୍ବ କରୁଥିବା ଜ୍ୟୋତିରେଖା ‌ନାୟକ କଟକ ଜିଲ୍ଲା ପରିଷଦ ସଭାପତି ଅଛନ୍ତି। ତେଣୁ ଏହି ଜୋନ୍‌ ଅସଂରକ୍ଷିତ ରହି ଥିବାରୁ ତାଙ୍କ ପାଇଁ ପୁଣି ଥରେ ସେଠାରୁ ପ୍ରତିଦ୍ବନ୍ଦ୍ବିତା କରିବାର ସୁଯୋଗ ରହିଛି। କିନ୍ତୁ ସେ ଲଢିବେ ନା ନାହିଁ କି ଦଳ ତାଙ୍କୁ ଅନ୍ୟ ବିକଳ୍ପ ଭାବେ ବ୍ୟବହାର କରିବ ତାକୁ ନେଇ ସ୍ପଷ୍ଟ ଚିତ୍ର ମିଳି ପାରିନି। କିନ୍ତୁ ଏହି ଆସନ ଉପରେ ଅସଂରକ୍ଷିତ ବର୍ଗର ଅନ୍ୟ ନେତାଙ୍କ ଆଖି ରହିଛି।

ଅନ୍ୟପଟେ ପଂଚାୟତ ସମିତି ଅଧ୍ୟକ୍ଷ ଆସନ ପାଇଁ ଆତ୍ମାର ସଭାପତି ଓ ପୂର୍ବତନ ବ୍ଲକ୍‌ ଉପାଧ୍ୟକ୍ଷ  ଦିଲ୍ଲୀପ ଦାଶ, ମହିଳା ମିସନ ଶକ୍ତି ସଭାନେତ୍ରୀ ତୃପ୍ତିରେଖା ପରିଡା, ବ୍ଲକ୍‌ ଯୁବ ବିଜେଡି ସଭା‌ପତି ସଂଜିତ୍‌ ଦାଶ, ବର୍ତ୍ତମାନର ଉପାଧ୍ୟକ୍ଷ ରମେଶ ଜେନାଙ୍କ ଭଳି ସ୍ଥାନୀୟ ଅଞ୍ଚଳରେ ପ୍ରଭାବ ରଖୁଥିବା ଅନେକ ଆଶାୟୀ ଅଛନ୍ତି। ବତ୍ତର୍ମାନ ମହଣ ସମିତିସଭ୍ୟ ଥିବା ଦିଲ୍ଲୀପ ଦାଶ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ହେଲା ଛାତ୍ର ଜୀବନରୁ ରାଜନୀତି ସହିତ ଜଡିତ ଥିବା ବେଳେ ସେ ୫ଥର ସମିତିସଭ୍ୟ, ଦୁଇ ଥର ପଂଚାୟତ ସମିତି ଉପାଧ୍ୟକ୍ଷ, ଥରେ ସରପଞ୍ଚ  ରହିଛନ୍ତି। ତାଙ୍କ ପଂଚାୟତ ସମିତି ଅସଂରକ୍ଷିତ ରହି ଥିବାରୁ ସେ ଏବେ ପଂଚାୟତ ସମିତି ଅଧ୍ୟକ୍ଷ ପାଇଁ ପ୍ରମୁଖ ଦାବି ଦାର ରହିବା ସହିତ  ଶିଶୁଆ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ଭାଗ୍ୟ ପରୀକ୍ଷା କରିବେ ବୋଲି ଚର୍ଚ୍ଚା ହେଉଛି। ‌କିନ୍ତୁ ବିଧାୟକ ନୂଆ ନେତାଙ୍କୁ ସୁଯୋଗ ଦେଇ ନୂଆ ସମୀକରଣ ଯୋଜନାରେ ଥିବା ଚର୍ଚ୍ଚା ହେଉଛି। ବିଧାୟକଙ୍କ ନିଷ୍ପତ୍ତି ବିଜେଡି ପ୍ରାର୍ଥୀ ଚୟନ ଏବଂ ପରବର୍ତ୍ତୀ ସମୟରେ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରାର୍ଥୀ ଚୟନରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସବୁ ପକ୍ଷକୁ ସୁହାଇଲା ଭଳି ବିଧାୟକ ପ୍ରଶାନ୍ତ ବେହେରା କେତେଦୂର ନିଷ୍ପତ୍ତି ନେଇ ପାରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe