ସିଟି ହସ୍ପିଟାଲ୍‌ରେ ଅଟକି ରହିଛି ୨୬ କୋଟିର ୬ ମହଲା କୋଠା ନିର୍ମାଣ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବି ହଟୁନି ବିଦ୍ୟୁତ୍ ସବ୍‌ଷ୍ଟେସନ୍

ସିଟି ହସ୍ପିଟାଲ୍‌ରେ ଅଟକି ରହିଛି ୨୬ କୋଟିର ୬ ମହଲା କୋଠା ନିର୍ମାଣ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବି ହଟୁନି ବିଦ୍ୟୁତ୍ ସବ୍‌ଷ୍ଟେସନ୍

Sambad

କଟକ: ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମସିଏଚ୍(ମାତୃ ମଙ୍ଗଳ ଗୃହ) କୋଠା ନିର୍ମାଣ ହେବ। ଅଥଚ କଟକ ସିଟି ହସପିଟାଲ ଏଥିରୁ ବଞ୍ଚିତ ହେବେ। ୨୬ କୋଟି ଟଙ୍କା ବ୍ୟୟରେ ଏହି କୋଠା ନିର୍ମାଣ ପ୍ରକଳ୍ପ ଏକ ବିଦ୍ୟୁତ ସବ-ଷ୍ଟେସନ ପାଇଁ ଅଟକି ରହିବା ଅନେକଙ୍କୁ ଚକିତ କରିଛି। ସିଟି ହସ୍‌ପିଟାଲ ପରିସରରେ ଯେଉଁ ସ୍ଥାନରେ କୋଠା ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ହୋଇଛି, ସେହି ସ୍ଥାନରୁ ସବ-ଷ୍ଟେସନ୍ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ହସପିଟାଲ୍ ଅଧୀକ୍ଷକଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏ ଚିଠି ଲେଖି ଥକିଗଲେଣି। ଏମିତିକି ଏହି ସ୍ଥାନାନ୍ତର ପାଇଁ ମୋଟ ବଜେଟରୁ ୫ କୋଟି ଟଙ୍କା ବିଦ୍ୟୁତ ବିଭାଗକୁ ଦେବାକୁ ବି ନିଷ୍ପତ୍ତି ହୋଇଛି। ତଥା ସବ-ଷ୍ଟେସନ ସ୍ଥାନାନ୍ତର ନହେବାରୁ ପ୍ରକଳ୍ପ ଅଟକି ରହିବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ସିଟି ହସପିଟାଲରେ ସ୍ତ୍ରୀ ଓ ପ୍ରସୂତି ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଏମ୍‌ସିଏଚ୍‌ (ମାତୃ ମ˚ଗଳ ଗୃହ) ୬ମହଲା କୋଠା ନିର୍ମାଣ ପାଇଁ ୨୦୨୦ ଜାନୁଆରି ୮ ତାରିଖରେ ରୋଗୀ କଲ୍ୟାଣ ସମିତିର ଜେନେରାଲ୍ ବଡି ବୈଠକରେ ନିଷ୍ପତ୍ତି ହୋଇଥିଲା। କଟକ ଆରଆଣ୍ଡବି ଡିଭିଜନ-୧ର ଅଧୀକ୍ଷକ ଯନ୍ତ୍ରୀ କୋଠା ନିର୍ମାଣ ବାବଦ ୨୫ କୋଟି ୮୪ ଲକ୍ଷ ୨୨ ହଜାର ୪୦୦ ଟଙ୍କାର ବ୍ୟୟ ବରାଦ କରିଥିଲେ। ଏହି ପ୍ରକଳ୍ପକୁ ସ୍ବାସ୍ଥ୍ୟ ବିଭାଗର ମଞ୍ଜୁରୀ ମିଳି ସାରିଛି। ଅର୍ଥ ବିଭାଗର ଅର୍ଥ ମଞ୍ଜୁରୀ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ୧୨ ହଜାର ବର୍ଗଫୁଟର ଜମିରେ ୧୦୦ ବେଡ୍ ବିଶିଷ୍ଟ କୋଠା ପାଇଁ ଏବେ ବଡ଼ ବାଧକ ହେଲାଣି ସିଟି ହସପିଟାଲ ପରିସରରେ ଥିବା ବିଦ୍ୟୁତ ବିଭାଗର ସବ-ଷ୍ଟେସନ୍।

ଦୀର୍ଘ ୧୫ ବର୍ଷ ହେବ ବିଦ୍ୟୁତ ବିଭାଗ ହସପିଟାଲ ପରିସରରେ ୧୦ ହଜାର ବର୍ଗଫୁଟ ଜମିରେ ନିର୍ମାଣ କରିଥିବା ଏହି ସବ-ଷ୍ଟେସନ୍ ହସପିଟାଲ ବାହାରକୁ ସ୍ଥାନାନ୍ତର କରିବାକୁ ସିଟି ହସପିଟାଲ ଅଧୀକ୍ଷକ ବାରମ୍ବାର ଟିପିସିଓଡିଏଲ(ଟିପି କେନ୍ଦ୍ରୀୟ ଓଡ଼ିଶା ବିତରଣ ଲିଃ)ର ଡିଜିଏମ(ଇଲେକ୍ଟ୍ରି)ଙ୍କୁ ଚିଠି ଲେଖା ସରିଲେଣି। ତିନି ଥର ଚିଠି ଲେଖାଯାଇଛି। ସବ-ଷ୍ଟେସନ ସ୍ଥାନାନ୍ତରରେ ବିଳମ୍ବ ହେଉଥିବାରୁ ସରକାରୀ ନିର୍ମାଣ କାମରେ ବିଳମ୍ବ ହେଉଥିବାରୁ ତୁରନ୍ତ ସ୍ଥାନ ଖାଲି କରିବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା। ଏହି ଚିଠି ଲେଖିବା ପୂର୍ବରୁ ସେହି ବର୍ଷ ଅକ୍ଟୋବର ୯ ତାରିଖରେ ଖୋଦ୍ ଜିଲ୍ଲାପାଳ ବି ସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଗଲା ଦୁଇ ବର୍ଷ ହେବ ସ୍ଥାନାନ୍ତର ପାଇଁ ସିଟି ହସପିଟାଲ୍ କର୍ତ୍ତୃପକ୍ଷ ଅନେକ କସରତ କରିସାରିଲେଣି। କିନ୍ତୁ ସବ-ଷ୍ଟେସନ୍ ସ୍ଥାନାନ୍ତର ହୋଇପାରୁ ନାହିଁ। ହସପିଟାଲ୍ କର୍ତ୍ତୃପକ୍ଷ ପୂର୍ବରୁ ସେସୁକୁ ଚିଠି ଲେଖିଥିଲେ। ଏବେ ଟାଟାକୁ ଲେଖିଛନ୍ତି। କିନ୍ତୁ ପ୍ରକଳ୍ପକୁ େନଇ ବିଦ୍ୟୁତ ବିଭାଗ ଗୁରୁତ୍ବ ନଦେବା ଚିନ୍ତାଜନକ ହେଲାଣି। ମୋଟ ବଜେଟରୁ ୫ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଥିବା ସତ୍ତ୍ବେ ଟିପିସିଓଡିଏଲ୍ ଖାମଖିଆଲି ମନୋଭାବ ପାଇଁ ଏହି ପ୍ରକଳ୍ପ ବାତିଲ ହେବାର ଆଶଙ୍କା ଥିବା କୁହାଯାଉଛି। ଯାହା ଫଳରେ କଟକ ଜିଲ୍ଲାରେ ସମୂହ ସ୍ବାର୍ଥ ଏହାଦ୍ବାରା ପ୍ରଭାବିତ ହୋଇପାରେ। ଏହି ୧୦୦ ବେଡ୍‌ ବିଶିଷ୍ଟ ଏମ୍‌ସିଏଚ୍‌ କୋଠାରେ ଗୁରୁତର ମହିଳାଙ୍କ ପାଇଁ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଆଇସିୟୁ, ପିପି ସେଣ୍ଟର, ଶିଶୁରୋଗ ବିଭାଗ, ସାଧାରଣ ଆଇସିୟୁ, ଏସଏନସିୟୁ ଇତ୍ୟାଦି ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏମସିଏଚ୍ କୋଠାର ଗୋଟିଏ ମହଲା ବଳକା ପଡ଼ୁଥିବାରୁ ସେହି ମହଲାରେ ଇଏନଟି, ସର୍ଜରୀ ଓଟି ଖୋଲାଯିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe