ଗ୍ରାହକଙ୍କ ଘରେ ଜୋରଜବରଦସ୍ତ ବସାଯାଉଛି ନୂଆ ବିଦ୍ୟୁତ ମିଟର, ଦୁଇ ଗୁଣ ଅଧିକ ଦରକୁ ବିରୋଧ କଲେ ମିଳୁଛି କାର୍ଯ୍ୟାନୁଷ୍ଠାନ ଧମକ

Advertisment
ଗ୍ରାହକଙ୍କ ଘରେ ଜୋରଜବରଦସ୍ତ ବସାଯାଉଛି ନୂଆ ବିଦ୍ୟୁତ ମିଟର, ଦୁଇ ଗୁଣ ଅଧିକ ଦରକୁ ବିରୋଧ କଲେ ମିଳୁଛି କାର୍ଯ୍ୟାନୁଷ୍ଠାନ ଧମକ

Sambad

ବିଦ୍ୟାଧରପୁର: ଟାଟା ପାୱାର କମ୍ପାନି ହାତକୁ ବିଦ୍ୟୁତ ବଣ୍ଟନ, ରକ୍ଷଣାବେକ୍ଷଣ ଦାୟିତ୍ବ ଯିବା ପରଠାରୁ ଗ୍ରାହକ ମହଲରେ ବିଭିନ୍ନ କାରଣରୁ ଅସନ୍ତୋଷ ବଢିବାରେ ଲାଗିଛି। ମନଇଚ୍ଛା ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଏବେ କେତେକ ସ୍ଥାନରେ ଜୋରଜବରଦସ୍ତ ନୂଆ ମିଟର ବସାଯିବା ଘଟଣା ଉପଭୋକ୍ତା ମହଲରେ ଅସନ୍ତୋଷର କାରଣ ହୋଇଛି। ମିଟର ରିଡିଙ୍ଗ କରୁଥିବା କର୍ମଚାରୀ ମାସକୁ ମାସ ନିର୍ଦ୍ଦିଷ୍ଟ ସମୟରେ ନ ଆସି ଅଧିକ ସ୍ଲାବ୍‌ରେ ଦେୟ ଆଦାୟ ଯୋଜନାରେ ୮ରୁ ୧୦ ଦିନ ପରେ ଆସୁଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ପୂର୍ବରୁ ଘରେ ଲାଗି ଥିବା ଡିଜିଟାଲ ମିଟର ବଦଳରେ ଟାଟା ମିଟର ବସାଇବା ପାଇଁ ଲୋକଙ୍କୁ ବାଧ୍ୟ କରାଯାଉଥିବା ଶିଖରପୁର ନଦୀକୂଳ ସାହି କାଳିଆବୋଦା ଶ୍ମଶାନ ସମ୍ମୁଖ ମଙ୍ଗଳାଗଡା ବାସିନ୍ଦା ଅଭିଯୋଗ କରିଛନ୍ତି। ବାସିନ୍ଦା ପ୍ରଫୁଲ୍ଲ କୁମାର ପ୍ରଧାନ, ଧନୀ ବେହେରା, ଲକ୍ଷ୍ମଣ ସେଠୀ, ପ୍ରଦୀପ ବେହେରା ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଜୁଲମକୁ ନେଇ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ ଜଣେ ଅଧ୍ୟାପକଙ୍କ ଘରେ ପୂର୍ବରୁ ଡିଜିଟାଲ ମିଟର ଲାଗିଥିଲା। କିନ୍ତୁ ତାହାକୁ ବଦଳାଇ ନୂଆ ମିଟର ବସାଇବାକୁ କୁହାଯାଇଥିଲା।

ଏଥିରେ ସହଯୋଗ ନ କଲେ ମାମଲା ରୁଜୁ ହେବ ବୋଲି ଚେତାବନୀ ଦିଆଯାଇଥିଲା। ନୂଆ ମିଟର ପାଇଁ କିଛି ଟଙ୍କା ସିଧାସଳଖ ଦେବାକୁ ପଡିବ ନାହିଁ। କିନ୍ତୁ ଏଥିପାଇଁ ୫ ବର୍ଷ ଯାଏ ମାସକୁ ୪୦ ଟଙ୍କା ଅଧିକ ବିଦ୍ୟୁତ ବିଲରେ ପୈଠ କରିବାକୁ ପଡିବ ବୋଲି ସାହିର ପ୍ରଫୁଲ୍ଲ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି। ବଜାରରେ ୧୨୦୦ ଟଙ୍କାରେ ମିଟର ମିଳୁଥିବା ବେଳେ ଏହି ନୂଆ ମିଟର ପାଇଁ ଦେବାକୁ ପଡିବ ୨୪ଶହ ଟଙ୍କା। ଡିଜିଟାଲ ମିଟର ଅପେକ୍ଷା ଏହି ନୂଆ ଟାଟା ମିଟରରେ ୩୦ଟଙ୍କା ଅଧିକ ବିଲ୍ ଆସୁଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। କିନ୍ତୁ ଏ ସଂପର୍କରେ ସ୍ଥାନୀୟ ଅଧିକାରୀ କୌଣସି ମତାମତ ଦେବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe