କୋଟି କୋଟି ଟଙ୍କା ପୈଠ ହୋଇଛି, ସେକ୍ଟର୍‌-୧୩ରେ ବିଦ୍ୟୁତ୍‌କରଣ କାମ ଶେଷ କେବେ?

କୋଟି କୋଟି ଟଙ୍କା ପୈଠ ହୋଇଛି, ସେକ୍ଟର୍‌-୧୩ରେ ବିଦ୍ୟୁତ୍‌କରଣ କାମ ଶେଷ କେବେ?

Sambad

କଟକ/ସିଡିଏ: ସେକ୍ଟର-୧୩ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତକରଣ କାମ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ସୂଚନାଥାଉକି, ୨୦୧୭ ମସିହାରୁ ଏଠାରେ ଲୋକେ ଘର ନିର୍ମାଣ କାମ ଆରମ୍ଭ କରିଥିଲେ। ସେତେବେଳେ ଏଠାରେ ବିଦ୍ୟୁତ୍‌ ସୁବିଧା ନଥିବାରୁ ସ୍ଥାନୀୟ ବାସିନ୍ଦା ସିଡିଏ କର୍ତ୍ତୃପକ୍ଷକଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ୨୦୧୮ ମସିହାରେ ସିଡିଏ କର୍ତ୍ତୃପକ୍ଷ ତତ୍କାଳୀନ ସେସୁ ଅଫିସରେ ୬ କୋଟି ୮ ଲକ୍ଷ ଟଙ୍କା ପୈଠ କରିଥିଲେ। ଏଥିରେ ସମୁଦାୟ ୧୬ ଟି ବଡ଼ ଟ୍ରାନ୍ସଫର୍ମର୍‌ ସ୍ଥାପନ ପାଇଁ ବ୍ୟବସ୍ଥା ହୋଇଥିଲା। କିନ୍ତୁ ଆଜି ସୁଦ୍ଧା ମାତ୍ର ୮ଟି ଟ୍ରାନ୍ସଫର୍ମର ସ୍ଥାପନ ହୋଇପାରିଛି। ସେହିପରି ୬ ଖୁଣ୍ଟ ବିଶିଷ୍ଟ ୨ଟି ଟ୍ରାନ୍ସଫର୍ମର ବସିବାକୁ ଥିବାବେଳେ ଏବେ ସୁଦ୍ଧା ଗୋଟିଏ ବି ବସିପାରିଲା ନାହିଁ। ଏହି ସେକ୍ଟର ମଧ୍ୟରେ ମୋଟ୍‌ ୩୪ କିମି ମଧ୍ୟରୁ ମାତ୍ର ୧୮ କିମି ପର୍ଯ୍ୟନ୍ତ ତାର ଟଣାଯାଇଛି। ଘରୋଇ ସଂଯୋଗ ପାଇଁ ୯୦ ଟି ସିମେଣ୍ଟ ଖୁଣ୍ଟି ଏପର୍ଯ୍ୟନ୍ତ ବସିପାରିନଥିବାରୁ ଲୋକମାନେ ସମସ୍ୟା ଭୋଗୁଛନ୍ତି।

publive-image Sambad

ଏପରି ଅସୁବିଧା ଯୋଗୁଁ ଲୋକମାନେ ୫୦୦ ମିଟର ଦୂରରୁ ଲମ୍ବା ତାର ଟାଣି ଘରକୁ ବିଦ୍ୟୁତ୍ ସଂଯୋଗ କରିବାକୁ ବାଧ୍ୟ ହେଉଛନ୍ତି। ତାର ଗୁଡ଼ିକ ଓହଳି ରହୁଥିବାରୁ ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ସୂଚନାନୁସାରେ, ଠିକାଦାର ଅଧାରୁ କାମ ଛାଡ଼ିଦେବାରୁ ବିଦ୍ୟୁତୀକରଣ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଥିଲା। ପରବର୍ତ୍ତୀ ସମୟରେ ଅଭିଯୋଗ ହେବାରୁ ଆଉଥରେ ଟେଣ୍ଡର୍‌ ଆହ୍ବାନ କରାଯାଇ କାମକୁ ସଂପୂର୍ଣ୍ଣ କରାଯିବ ବୋଲି ୨୦୨୦ ମସିହାରେ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦିଆଗଲା। ଏହି ପ୍ରତିଶ୍ରୁତିକୁ ୨ ବର୍ଷ ପୂରିଗଲାଣି, ହେଲେ ଆଜି ପର୍ଯ୍ୟନ୍ତ ଦ୍ବିତୀୟ ଟେଣ୍ଡର୍‌ ହୋଇପାରୁ ନାହିଁ। ଫଳରେ କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି। ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ପାଖାପାଖି ୫ ହଜାର ଲୋକ ବସବାସ କରୁଛନ୍ତି। କିନ୍ତୁ ସେହି ଅନୁପାତରେ ଟ୍ରାନ୍ସଫର୍ମର ନ ଥିବାରୁ ଲୋ-ଭୋଲଟେଜ୍ ସମସ୍ୟା ଉପୁଜୁଛି। ଏଥିପାଇଁ ବହୁ ଲୋକଙ୍କ ବିଦ୍ୟୁତ ସାମଗ୍ରୀ ପୋଡ଼ିଯାଉଛି। ଏସବୁ ସମସ୍ୟାର ସମାଧାନ ପାଇଁ ଆବାସିକ ସଂଘ ପକ୍ଷରୁ ବାରମ୍ବାର ଜିଲ୍ଲାପାଳ, ସିଡିଏର ଉପାଧ୍ୟକ୍ଷ, ଚେୟାରମ୍ୟାନ୍‌, ସେକ୍ରେଟେରି ତଥା ବିଦ୍ୟୁତ୍‌ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଅଭିଯୋଗ କରାଯାଉଛି। କିନ୍ତୁ ସବୁବେଳେ ଗୋଟିଏ ଉତ୍ତର ମିଳୁଛି ଯେ ଖୁବ୍‌ ଶୀଘ୍ର କାମ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe