ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରସଙ୍ଗ: ରାଜ୍ୟ ନିର୍ବାଚନ କମିସନଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

Advertisment

ପଞ୍ଚାୟତିରାଜ ସଚିବଙ୍କ ଅକ୍ଟୋବର ୧ର ବିଜ୍ଞପ୍ତିକୁ ଚାଲେଞ୍ଜ

ପଞ୍ଚାୟତିରାଜ ସଚିବଙ୍କ ଅକ୍ଟୋବର ୧ର ବିଜ୍ଞପ୍ତିକୁ ଚାଲେଞ୍ଜ

ନେତାଜୀ ବସ୍ ଟର୍ମିନାଲ୍‌ ପାଖ ୧୫ ଗୁଣ୍ଠ ଜମି ସିଏମ୍‌ସି ଦଖଲକୁ ଫେରିବ

orissahighcourt.nic.in

କଟକ: ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିକୁ ବିରୋଧ କରି ଦାୟର ମାମଲାରେ ରାଜ୍ୟ ନିର୍ବାଚନ କମିସନଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ଗ୍ରହଣୀୟ ପ୍ରସଂଗ ସହିତ ଆବେଦନରେ ଉଲ୍ଲେଖ କରାଯାଇଥିବା ଅନ୍ୟାନ୍ୟ ଅଭିଯୋଗ ଉପରେ ଡିସେମ୍ବର ୨୦ରେ ଶୁଣାଣି କରାଯିବ ବୋଲି ହାଇକୋର୍ଟ କହିଛନ୍ତି।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଞ୍ଚଳର ବୀରେନ୍ଦ୍ର ଦାସଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୧, ଅକ୍ଟୋବର ୧ରେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ପକ୍ଷରୁ ସଂରକ୍ଷଣ ସଂପର୍କିତ ନିୟମାବଳୀ ଜାରି କରାଯାଇ ପ୍ରକାଶ କରାଯାଇଥିବା ବିଜ୍ଞପ୍ତିକୁ ଅସାମ୍ବିଧାନିକ ଦର୍ଶାଇ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଛି। ପଞ୍ଚାୟତିରାଜ ସଚିବଙ୍କ ସଂରକ୍ଷଣ ସଂପର୍କିତ ନିୟମାବଳୀ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ସମ୍ବିଧାନରେ ଥିବା ବ୍ୟବସ୍ଥା ଅନୁସାରେ ସଚିବଙ୍କ ଏପରି କ୍ଷମତା ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି।

ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୯୪ରେ ସଂଶୋଧନ କରାଯିବା ପରେ ୧୯୯୭ରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। କିନ୍ତୁ ଗତ ୪ଟି ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥାକୁ ବିଚାରକୁ ନେଇ ଆସନ ସଂରକ୍ଷଣରେ ପରିବର୍ତ୍ତନ (ରୋଟେସନ୍) କରିବାକୁ ଅକ୍ଟୋବର ୧ର ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏଥିରୁ ୨୦୦୨ ପଞ୍ଚାୟତ ନିର୍ବାଚନକୁ ବିଚାରକୁ ନିଆଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଫଳରେ ଅନୁସୂଚିତ ଜାତି(ଏସ୍‌ସି) ଓ ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ କରାଯିବା ବେଳେ ସମସ୍ୟା ଦେଖା ଦେବ।

ଏଥି ସହିତ ସାରା ରାଜ୍ୟରେ ଏସ୍‌ସି ଓ ଏସ୍‌ଟି ଜନସଂଖ୍ୟାକୁ ବିଚାରକୁ ନିଆଯାଇ ଆସନ ସଂରକ୍ଷଣ କରାଯିବା କଥା। କିନ୍ତୁ ଗତ ଅକ୍ଟୋବର ୧ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଗ୍ରାମ/ ପଞ୍ଚାୟତ/ ବ୍ଲକ/ ଜିଲ୍ଲାରେ ଏସ୍‌ସି ଓ ଏସ୍‌ଟି ‌ଜନସଂଖ୍ୟାକୁ ଭିତ୍ତି କରି ସେମାନଙ୍କ ପାଇଁ ଆସନ ସଂରକ୍ଷଣ କରାଯିବ। ଏପରି କରାଯିବା ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନରେ ଥିବା ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତିରାଜ ଅନୁସଚିବ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଥିଲା ଯେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏହି ଆବେଦନ ଗ୍ରହଣୀୟ ନୁହେଁ।

ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ୨୦୨୨, ମାର୍ଚ୍ଚ ୧୧ରେ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ୨୦୨୨, ଜାନୁଆରେ ପଞ୍ଚାୟତ ନିର୍ବାଚନ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏ ପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ କି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। ତେଣୁ ଏହି ମାମଲା ଏବେ ଗ୍ରହଣୀୟ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯିବା ସହିତ ଗୋଆ ପୌର ନିର୍ବାଚନ ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟର ନଜିର ଉପସ୍ଥାପନ କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ଅକ୍ଟୋବର ୧ରେ ପଞ୍ଚାୟତିରାଜ ପ୍ରମୁଖ ସଚିବ ସଂରକ୍ଷଣ ସଂପର୍କିତ ନିର୍ଦ୍ଦେଶନାମା ଜାରି କରି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଥିଲେ। ଜିଲ୍ଲାପାଳମାନଙ୍କ ତତ୍ତ୍ବାବଧାନରେ ୱାର୍ଡ, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଆସନ ସଂରକ୍ଷଣ କରାଯିବ ବୋଲି ଏଥିରେ ସ୍ପଷ୍ଟ କରାଯାଇଥିଲା। ଜିଲ୍ଲାପାଳମାନେ ରିପୋର୍ଟ ଦେବା ପରେ ପଞ୍ଚାୟତିରାଜ ବିଭାଗ ସଂରକ୍ଷଣ ସଂକ୍ରାନ୍ତରେ ଚୂଡାନ୍ତ ରିପୋର୍ଟ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କର କରିବ। ତା ପରେ ନିର୍ବାଚନ କମିସନ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ।

ଭୋଟର ତାଲିକା ଚୂଡାନ୍ତ ପରେ ଯେ କୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଥିଲା। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜାରି ନିୟମାବଳୀ‌ ଅନଯାୟୀ ଏସ୍‌ସି, ଏସ୍‌ଟି ଓ ପଛିଆ ବର୍ଗଙ୍କ ପାଇଁ ମୋଟ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ସୀମିତ ରହିବ। ଗ୍ରାମ/ ପଞ୍ଚାୟତ/ ବ୍ଲକ/ ଜିଲ୍ଲାରେ ଏସ୍‌ସି ଓ ଏସ୍‌ଟି ‌ଜନସଂଖ୍ୟାକୁ ଭିତ୍ତି କରି ସେମାନଙ୍କ ପାଇଁ ଆସନ ସଂରକ୍ଷଣ କରାଯିବ। ଯଦି କୌଣସି ଗ୍ରାମ/ ପଞ୍ଚାୟତ/ ବ୍ଲକ/ ଜିଲ୍ଲାରେ ଏସ୍‌ସି ଓ ଏସ୍‌ଟିଙ୍କ ପାଇଁ ଆସନ ସଂରକ୍ଷଣ ନିମନ୍ତେ ସେମାନଙ୍କ ‌ଜନସଂଖ୍ୟା ଯଥେଷ୍ଟ ନୁହେଁ, ତେବେ ସେଠାରେ ଅତି କମରେ ଗୋଟିଏ ଆସନ ଏସ୍‌ସି ଓ ଗୋଟିଏ ଏସ୍‌ଟି ପାଇଁ ସଂରକ୍ଷିତ ରଖାଯିବା ବାଧ୍ୟତାମୂଳକ ବୋଲି ସ୍ପଷ୍ଟ କରାଯାଇଥିଲା। ସେହିଭଳି ଭାବେ ସଂରକ୍ଷଣ ବେଳେ ଗତ ଚାରିଟି ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥାକୁ ବିଚାରକୁ ନେଇ ରୋଟେସନ୍ କରିବାକୁ ମଧ୍ୟ ଅକ୍ଟୋବର ୧ରେ କୁହାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ଓ ରାଜ୍ୟ ନିର୍ବାଚନ କମିସନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe