କଟକ : ସରକାରୀ ଅର୍ଥ ତୋଷାରପାତ ଅଭିଯୋଗ ସଂପର୍କିତ ମାମଲାରେ ମାର୍କଫେଡ୍ ଓଏସ୍ସିଏମ୍ଏଫ୍ ଲିମିଟେଡ୍ର ମଞ୍ଚେଶ୍ୱର ଗୋଦାମର ପୂର୍ବତନ ଗୋଦାମ ମ୍ୟାନେଜର କରୁଣାକର ମଲ୍ଲିକଙ୍କୁ ଭୁବନେଶ୍ୱର ଅତିରିକ୍ତ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ମାମଲାର ଶୁଣାଣି କରି ଶ୍ରୀ ମଲ୍ଲିକଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨), ୧୩(୧)(ସି)(ଡି) ସହିତ ଆଇପିସିର ଦଫା ୪୦୯ରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଜରିମାନା ନ ଦେଲେ ତାଙ୍କୁ ଅଧିକ ୨ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ। ଶ୍ରୀ ମଲ୍ଲିକ ଗୋଦାମ ମ୍ୟାନେଜର ଥିବା ବେଳେ ୧୮ ଲକ୍ଷ ୩୪ ହଜାର ୮୯୬ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏଥି ମଧ୍ୟରେ ୨୬୦.୯୮୫ ଟନ୍ ରାସାୟନିକ ସାର ସହିତ ନଗଦ ୮୩ ହଜାର ୪୨୪ ଟଙ୍କା ଅନ୍ତର୍ଭୁକ୍ତ ଥିଲା। ଏ ନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ୨୦୦୨, ଜୁଲାଇ ୨୫ରେ ମାମଲା ରୁଜୁ ହୋଇଥିଲା। ପୂର୍ବତନ ଭିଜିଲାନ୍ସ ଇନ୍ସପେକ୍ଟର ଏସ୍.କେ.ମହାପାତ୍ର ମାମଲାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲେ। ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ପିପି ଏ.କେ.ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।
ଭିଜିଲାନ୍ସ ମାମଲାରେ ପୂର୍ବତନ ଗୋଦାମ ମ୍ୟାନେଜରଙ୍କୁ ଜେଲ ଜରିମାନା
Advertisment
Follow Us